ବିଜୟ ହଜାରେ ଟ୍ରଫିରେ 'ବିରାଟ ଶୋ', ଶତକ ଦେଖି ଛାନିଆ ହେଲେଣି କୋଚ୍-ସିଲେକ୍ଟର

NEWS7
nirav-modi-arrested-in-london-says-enforcement-directorate

ବେଙ୍ଗାଲୁରୁ, ୨୫/୧୨: ଦୀର୍ଘ ବର୍ଷ ପରେ ବିଜୟ ହଜାରେ ଟ୍ରଫିକୁ ରିଟର୍ଣ୍ଣ । ମୁକାବିଲାରେ ଜବରଦସ୍ତ ବ୍ୟାଟିଂ । ବ୍ୟାଟରୁ ବାହାରିଲା ଦମଦାର ଶତକ । ଫ୍ୟାନ୍ସ ବି ଖୁସ୍ । ତେବେ ଏହା ବିରାଟଙ୍କ ବ୍ୟାଟିଂ ନଥିଲା ବରଂ ବିସିସିଆଇକୁ କଡା ଜବାବ । ଅନ୍ତରାଷ୍ଟ୍ରୀୟ ଦିନିକିଆ ଷ୍ଟାଇଲରେ ବିରାଟ ଶତକ କରି ଅନେକ କଥା କହିଦେଇଛନ୍ତି । ଏବେବି ସେ ଫିଟ୍ । ତାଙ୍କ ଫିଟନେସ ଉପରେ ପ୍ରଶ୍ନ କରୁଥିବା ବ୍ୟକ୍ତିଙ୍କୁ ସେ ବ୍ୟାଟରେ ଉତ୍ତର ଦେଇଛନ୍ତି । ବିଶ୍ୱକପରେ ସେ ଖେଳିବା ପାଇଁ ପ୍ରସ୍ତୁତ ହେଉଥିବାର ସଙ୍କେତ ମଧ୍ୟ ଏହି ବ୍ୟାଟିଂ ।

ବିସିସିଆଇର ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ମୁକାବିଲାରେ ବିରାଟ ୧୦୧ ବଲର ସାମ୍ନା କରିଥିଲେ । ଏହାସହ ୧୩୧ ରନ୍ ସଂଗ୍ରହ କରିଥିଲେ । ଫଳରେ ଦିଲ୍ଲୀ ୨୯୯ ରନର ଟାର୍ଗେଟକୁ ସହଜରେ ହାସଲ କରିନେଇଥିଲା । ଏହି ରନ୍ ସହ କୋହଲି ଲିଷ୍ଟ୍ ଏ କ୍ରିକେଟରେ ୧୬ ହଜାର ରନ୍ ଅତିକ୍ରମ କରିଛନ୍ତି । ସଚିନ ତେନ୍ଦୁଲକରଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ ଏହି କାରନାମା କରିଛନ୍ତି ।

କୋହଲିଙ୍କ ଏହି ଶତକ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପରେ ଆସିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟଙ୍କ ବ୍ୟାଟ୍ ଗର୍ଜନ କରିଥିଲା । ତିନିଟିକିଆ ସିରିଜରେ ସେ ଦୁଇଟି ଶତକ ଲଗାଇଥିଲେ । ଗୋଟିଏ ମୁକାବିଲାରେ ଅପରାଜେୟ ଅର୍ଧଶତକ ହାସଲ କରିଥିଲେ ।

ଚେଜ୍ ମାଷ୍ଟରଙ୍କ ପ୍ରଦର୍ଶନ ଦେଖି ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମା । ସେ କହିଛନ୍ତି ଯେ, ଦିନିକିଆରେ ବିରାଟ ଯେଉଁ ରେସରେ ଥିଲେ ତାହା ଘରୋଇ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି । ସେ ଏବେ ଭଲ ଫର୍ମରେ ରହିଛନ୍ତି । ଦୀର୍ଘଦିନ ପରେ ସେ ଘରୋଇ ମୁକାବିଲା ଖେଳୁଛନ୍ତି । ଏହାଦ୍ୱାରା ସେ ୨୦୨୭ ବିଶ୍ୱକପ୍ ଟିମରେ ସାମିଲ ହେବା ପାଇଁ ପ୍ରସ୍ତୁତ ଅଛନ୍ତି । ଭାରତୀୟ ଦଳରେ ବିରାଟ ସବୁଠୁ ଭରସାଯୋଗ୍ୟ ବ୍ୟାଟର । ଲଗାତାର ଭାବେ ସେ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ତେଣୁ ବିଶ୍ୱକପ୍ ସେ ଖେଳିବାରେ କିଛି ଅସୁବିଧା ନଥିବା ରାଜକୁମାର କହିଛନ୍ତି ।