AI ଚାହିଦା ଯୋଗୁ ବିଶ୍ବରେ ଚିପ୍ ସଙ୍କଟ, ମହଙ୍ଗା ହେବ ଫୋନ୍- ଟିଭି

NEWS7
newly-set-to-fire-by-in-laws-critically-hospitalized-in-pattamundei

ନୂଆଦିଲ୍ଲୀ: ବଢ଼ୁଛି AIର ଚାହିଦା। ଏବେ ଅନେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା AIର ବ୍ୟବହାରକୁ ଗୁରୁତ୍ବ ଦିଆଯାଉଛି। ମୋବାଇଲ ଠାରୁ ଆରମ୍ଭ କରି କାର୍ ସବୁଥିରେ ଏବେ ଏଆଇ। ଏମିତିରେ ଏଆର ବଢ଼ୁଥିବା ଏହି ଦ୍ରୁତ ବ୍ୟବହାର ଯୋଗୁ ଆଗକୁ ଫୋନ୍ ଏବଂ ଟିଭି ଭଳି ଇଲୋକ୍ଟ୍ରୋନିକ୍ସ ମହଙ୍ଗା ହୋଇପାରେ।

ପ୍ରକୃତରେ ଡାଟା ସେଣ୍ଟର ଏବଂ ସର୍ଭରଗୁଡ଼ିକୁ AI ଭିତ୍ତିଭୂମି ପାଇଁ ଅଧିକ ମେମୋରୀ ଚିପ୍ର ଆବଶ୍ୟକ ହେଉଛି। କାରଣ ମେମୋରୀ ଚିପ୍ ନିର୍ମାତାମାନେ ହାଇ (ଉଚ୍ଚ)- ବ୍ୟାଣ୍ଡୱିଡଥ୍ ମେମୋରୀ ଏବଂ ସର୍ଭର-ଗ୍ରେଡ୍ DRAMକୁ ପ୍ରାଥମିକତା ଦେଉଛନ୍ତି।

କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ସାମସଙ୍ଗ, SK ହାଇନିକ୍ସ ଏବଂ ମାଇକ୍ରନ୍ ଭଳି ପ୍ରମୁଖ ଚିପ୍ ନିର୍ମାତା ବଡ଼ AI ଏବଂ ସର୍ଭର ଗ୍ରାହକମାନଙ୍କୁ ପ୍ରାଥମିକତା ଦେଉଛନ୍ତି। ଆଉ କଞ୍ଜୁମର- ଗ୍ରେଡ୍ ମେମୋରୀ ଚିପ୍ସର ଉପଲବ୍ଧତା ହ୍ରାସ ପାଇଛି। ତେଣୁ ଏହାଯୋଗୁ ଟିଭି ଫ୍ରିଜ୍ ଭଳି କନଜ୍ୟୁମର ଇଲେକ୍ଟ୍ରୋନିକ୍ସ ପାଇଁ ଚିପ୍ସର ଅଭାବ ଦେଖାଦେଇଛି। ଏମିତିରେ ଆଗକୁ ଚିପ୍ର ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରିପୋର୍ଟରେ ଆହୁରି କୁହାଯାଇଛି ଚଳିତ ବର୍ଷ ସ୍ମାର୍ଟଫୋନ୍, ଟିଭି, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସର ମୂଲ୍ୟ ପ୍ରତି ମାସରେ ୭-୧୦% ବୃଦ୍ଧି ପାଇପାରେ।

ମେମୋରୀ ଚିପ୍ ମୂଲ୍ୟ ୪୦୦% ବୃଦ୍ଧି ପାଇସାରିଛି

ବ୍ଲୋପଙ୍କ୍ ଏବଂ କୋଡାକର ବ୍ରାଣ୍ଡ ଲାଇସେନ୍ସ ରଖିଥିବା ସୁପର ପ୍ଲାଷ୍ଟ୍ରୋନିକ୍ସର ସିଇଓ ଅବନୀତ ସିଂହ ମାରୱାହ କହିଛନ୍ତି, ସ୍ମାର୍ଟ ଟିଭିରେ DDR-3 ଏବଂ DDR-4 ମେମୋରୀ ବ୍ୟବହୃତ ହୁଏ। ହେଲେବି AI ଚାହିଦା ଯୋଗୁ ଏହି ମେମୋରୀ ଚିପ୍କୁ କମ୍ପାନିମାନେ ସର୍ଭର କମ୍ପାନିଙ୍କୁ ଯୋଗାଉଛନ୍ତି। ଫଳସ୍ୱରୂପ ଅନ୍ତର୍ଜାତୀୟ ବଜାରରେ ମେମୋରୀ ଚିପ୍ର ମୂଲ୍ୟ ପୂର୍ବରୁ ୩୦୦- ୪୦୦ ପ୍ରତିଶତ ବୃଦ୍ଧି ପାଇଛି।

ରିପୋର୍ଟ ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ମେମୋରୀ ଚିପ୍ସର ମୂଲ୍ୟ ଆହୁରି ୪୦-୫୦% ବୃଦ୍ଧି ପାଇପାରେ। ଏହା ଦ୍ୱାରା ଟିଭି ମୂଲ୍ୟରେ ୭-୧୦% ବୃଦ୍ଧି ହୋଇପାରେ। ବଡ଼ କଥା ହେଲା ଏହି ସମସ୍ୟାରୁ ଶୀଘ୍ର ମୁକ୍ତି ଭଳି ଜଣାପଡ଼ୁନାହିଁ। ଏମିତିରେ GST ୨୮%ରୁ ୧୮% ହ୍ରାସର ଲାଭ ମିଳିନପାରେ।

ଆପଲ୍ ବ୍ୟତୀତ ଅନ୍ୟ ବ୍ରାଣ୍ଡର ଫୋନ୍ ମହଙ୍ଗା ହୋଇପାରେ

ବିଶ୍ଳେଷକ ମିଙ୍ଗ୍-ଚି କୁଓ କହିଛନ୍ତି ଆପଲ୍ ଆଇଫୋନ୍ ୧୮ର ମୂଲ୍ୟ ସ୍ଥିର ରଖିବାକୁ ଚେଷ୍ଟା କରିବ। କାରଣ ଆପଲ୍ ବିଶ୍ୱ ମେମୋରୀ ଚିପ୍ ଯୋଗାଣର ୨୦-୨୫% ବ୍ୟବହାର କରେ।ଏହା ଯୋଗାଣକାରୀଙ୍କ ଉପରେ ଚାପ ପକାଇପାରେ। ଏପର୍ଯ୍ୟନ୍ତ କେବଳ ସ୍ମାର୍ଟଫୋନ୍ କମ୍ପାନି ନଥିଂ ଚଳିତ ବର୍ଷ ଫୋନ୍ର ମୂଲ୍ୟ ବୃଦ୍ଧି କରିବ ନାହିଁ ବୋଲି କହିଛି।

ସେହିଭଳି କମ୍ପ୍ୟୁଟର ବ୍ରାଣ୍ଡଗୁଡ଼ିକ ଚୀନରୁ ଚିପ୍ସ ଆମଦାନୀ କରିବା ବିଷୟରେ ବିଚାର କରୁଛନ୍ତି। କିଛି ବିଶ୍ୱସ୍ତରୀୟ କମ୍ପ୍ୟୁଟର ବ୍ରାଣ୍ଡ ପାରମ୍ପରିକ ଚିପ୍ କମ୍ପାନିଗୁଡ଼ିକର ବିକଳ୍ପ ଅନୁସନ୍ଧାନ କରୁଛନ୍ତି। HP, Dell, Acer, ଏବଂ Asus ଭଳି କମ୍ପାନିଗୁଡ଼ିକ CXMT ଭଳି ଚୀନ୍ କମ୍ପାନିଗୁଡ଼ିକରୁ ମେମୋରୀ ଚିପ୍ସ ଆମଦାନୀ କରିବା ବିଷୟରେ ବିଚାର କରୁଛନ୍ତି।ଯଦି ଏହା ହୁଏ, ତେବେ ଲାପଟପ୍, PC ଏବଂ ଟାବଲେଟ୍ର ମୂଲ୍ୟ ସ୍ଥିର ରହିପାରେ।

ସେହିଭଳି ମେମୋରୀ ଅଭାବ ଯୋଗୁ Nvidia ଭଳି କମ୍ପାନିଗୁଡ଼ିକ କିଛି ଗେମିଂ ଚିପ୍ର ଲଞ୍ଚକୁ ମଧ୍ୟ ବିଳମ୍ବ କରିଛନ୍ତି। ଅଟୋ ସେକ୍ଟର ମଧ୍ୟ ପ୍ରଭାବିତ ହୋଇଛି କାରଣ କାରଗୁଡ଼ିକ ମଧ୍ୟ ସେମିକଣ୍ଡକ୍ଟର ଏବଂ ମେମୋରୀ ବ୍ୟବହାର କରନ୍ତି।