ଶୀତ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି : ୨ ଦିନ ବଢିବ ରାତି ପାରଦ, ପରେ ପୁଣି କମିବ

NEWS7
newborn-baby-girl-rescued-from-padmapur-drain

ଭୁବନେଶ୍ୱର ୧୧।୦୧ : ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବ । ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ପାରଦ । ଅର୍ଥାତ ଥଣ୍ଡାର ଭୟାନକ ପ୍ରକୋପରୁ ସାମୟିକ ଆଶ୍ୱସ୍ତି ମିଳିବ । ମାତ୍ର ଦୁଇଦିନ ପରେ ଆକାଶ ପୁଣି ମେଘମୁକ୍ତ ହେବା ସହ ବଢ଼ିବ ଥଣ୍ଡାର ପ୍ରକୋପ । କିଛି ଦିନ ଥରାଇବ । ହେଲେ ୧୮ରୁ କ୍ରମଶଃ ରାତି ତାପମାତ୍ରା ବଢ଼ିବାକୁ ଲାଗିବ । ଏଭଳି ପୂର୍ବାନୁମାନ ଦେଖାଇଛନ୍ତି ପାଣିପାଗ ବିଶେଷଜ୍ଞ ।

ରାଜ୍ୟରେ ମାସେରୁ ଅଧିକ ସମୟ ହେବ ଥଣ୍ଡାର ଅସହ୍ୟ ପ୍ରକୋପ ଜାରି ରହିଛି । ଶୁକ୍ରବାର ରାତିରେ ଭୀଷଣ ଥଣ୍ଡାରେ ଥରିଥିଲା ସାରା ଓଡ଼ିଶା । ଶୁକ୍ରବାର ରାତିରେ ଶିମିଳିପାଳର ଉପର ବାର୍ହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ମାଇନସ ୧ ଡିଗ୍ରୀ ସେଲସିୟସ୍ ଥିଲା । ୨୮ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିଲା । ଚଳିତବର୍ଷ ଶୀତରେ ପୂର୍ବରୁ ଦୁଇ ଥର ଝାରସୁଗୁଡ଼ା ସର୍ବକାଳୀନ ଥଣ୍ଡା ରେକର୍ଡ ଭାଙ୍ଗି ସାରିଥିବାବେଳେ ଆଜି ପୁଣି ଭାଙ୍ଗିଛି । ୨୦୦୪ ପରଠାରୁ ଏତେ ଥଣ୍ଡା ଭୁବନେଶ୍ୱରରେ କେବେ ଅନୁଭୂତ ହୋଇନଥିଲା। ୨୨ ବର୍ଷର ଥଣ୍ଡା ରେକର୍ଡ ଭାଙ୍ଗଥିଲା ଭୁବନେଶ୍ୱର ।

ବର୍ତ୍ତମାନ ତାମିଲନାଡ଼ୁ ନିକଟରେ ବଙ୍ଗୋପସାଗରରେ ଥିବା ଅବପାତ ପ୍ରଭାବରେ ପାଗ ଆଂଶିକ ମେଘୁଆ ହୋଇଛି । ଏହା ଫଳରେ ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ପବନ ପ୍ରବାହ ସାମାନ୍ୟ ବାଧାପ୍ରାପ୍ତ ହୋଇଛି । ତେଣୁ ଆସନ୍ତା ଦୁଇଦିନ ଶୀତ କିଛି ମାତ୍ରାରେ କମିବା ସହ ରାତି ତାପମାତ୍ରା ବଢ଼ିବ । ୧୨ରୁ ପୁଣି ପାରଦ ଖସିବ, ଥଣ୍ଡା ବଢ଼ିବ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନ ସାମୟିକ ଭାବେ ରାତି ତାପମାତ୍ରା ସାମାନ୍ୟ ବଢ଼ିବ । ଥଣ୍ଡାରୁ ଆଶ୍ୱସ୍ତି ମିଳିବ । ପୁଣି ଥଣ୍ଡା ରହିବ ୧୭ ତାରିଖ ପର୍ଯ୍ୟନ୍ତ । ୧୮ରୁ ରାତି ତାପମାତ୍ରା ବଢ଼ିବା ସହ ଥଣ୍ଡା କମିବ । ଭୁବନେଶ୍ୱର ପାଣିପାଗ ବିଭାଗ ଆକଳନ କରିଛି ପାଗ ବର୍ତ୍ତମାନ ଶୁଖିଲା ରହିବ । ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳରେ ଶୀତ ଲହରୀ ରହିପାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ । ଆସନ୍ତା ୨ ଦିନ ଭିତରେ ରାଜ୍ୟରେ ପାରଦ ୨ରୁ ୩ ଡିଗ୍ରୀ ବଢ଼ିପାରେ । ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ ଚଳିତ ଶୀତ ଋତୁରେ ଭୀଷଣ ଥଣ୍ଡା ଜାରି ରହିଛି । ଏତେ ଲମ୍ବା ଅବଧି ଶୀତ ଗତ ଅଢ଼େଇ ଦଶନ୍ଧିରେ ଅନୁଭୂତ ହୋଇନଥିଲା । ଏଥର ପଶ୍ଚିମା ଝଡ଼ (ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ) ପ୍ରଭାବ ପ୍ରାୟତଃ ନାହିଁ ।

ଅନ୍ୟପଟେ ଉତ୍ତର- ପଶ୍ଚିମରୁ ପ୍ରବାହିତ କାଲୁଆ ପବନର ବେଗ ଅଧିକ ରହିଛି । ସାଧାରଣତଃ ଏ ପବନର ବେଗ ଘଣ୍ଟା ପ୍ରତି ୫ରୁ ୧୦ କିମି ରହିଥାଏ । ଗତ ୨୪ ଘଣ୍ଟାରେ ରେକର୍ଡ କହୁଛି, ଝାରସୁଗୁଡ଼ାରେ ଘଣ୍ଟା ପ୍ରତି ୩୦ କିମି ବେଗରେ ପବନ ପ୍ରବାହିତ ହେଉଥିଲା । ଆକାଶ ମେଘମୁକ୍ତ ରହୁଥିବାବେଳେ କେନ୍ଦ୍ରୀୟ ଭାରତ ଉପରେ ପ୍ରାୟତଃ ଗୁରୁଚାପ ବଳୟ ରହୁଛି । ଏହା ପ୍ରଭାବରେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବି ଏଥର ପ୍ରବଳ ଶୀତ ଲାଗି ରହିଛି ।