ଆର୍ଥିକ ଦୁଃସ୍ଥିତିରେ କ୍ୟୁବା, ଜଲ୍‌ଦି ଟେକଓଭର୍‌ କରିବୁ; ଦାବି କଲେ ଡୋନାଲ୍ଡ ଟ୍ରମ୍ପ

NEWS7
new-motor-vehicle-law-2019

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କ୍ୟୁବାକୁ ଅକ୍ତିଆର କରିବାକୁ ଯୋଜନା କରୁଛନ୍ତି । ଇରାନ୍‌ ଉପରେ ଆକ୍ରମଣ ଆରମ୍ଭ କରିସାରିଥିବା ଆମେରିକା କ୍ୟୁବା ଉପରେ ନିଜର ନିୟନ୍ତ୍ରଣ ଆଣିବ ବୋଲି ଦାବି କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, କ୍ୟୁବା ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ବନ୍ଧୁତ୍ବପୂର୍ଣ୍ଣ ଉପାୟରେ କ୍ୟୁବାକୁ ଅଧିଗ୍ରହଣ କରିବୁ । ତେଭେନେଜୁଏଲା ଭଳି କ୍ୟୁବାକୁ ନିଜ ନିୟନ୍ତ୍ରଣରେ ନେଇପାରେ ଆମେରିକା ।

ଟ୍ରମ୍ପ ହ୍ୱାଇଟ୍ ହାଉସରୁ ଟେକ୍ସାସ ଅଭିମୁଖେ ବାହାରିବା ସମୟରେ ସାମ୍ବାଦିକମାନଙ୍କୁ କହିଛନ୍ତି, ‘କ୍ୟୁବା ସରକାର ଆମ ସହିତ କଥାବାର୍ତ୍ତା କରୁଛନ୍ତି। ସେମାନେ ଗଭୀର ସମସ୍ୟାରେ ଅଛନ୍ତି। ସେମାନଙ୍କ ପାଖରେ ଟଙ୍କା ନାହିଁ, ସେମାନଙ୍କ ପାଖରେ କିଛି ନାହିଁ। କିନ୍ତୁ ସେମାନେ ଆମ ସହିତ କଥାବାର୍ତ୍ତା କରୁଛନ୍ତି ଏବଂ ଆମେ କ୍ୟୁବାକୁ ବନ୍ଧୁତ୍ୱପୂର୍ଣ୍ଣ ଉପାୟରେ ଅଧିଗ୍ରହଣ  କରିପାରୁ ।’

ଟ୍ରମ୍ପଙ୍କ ‘ବନ୍ଧୁତ୍ୱପୂର୍ଣ୍ଣ ଅଧିଗ୍ରହଣ’ ମନ୍ତବ୍ୟକୁ ନେଇ ଆଶଙ୍କା ବୃଦ୍ଧି ପାଇଛି । ସେପଟେ ଆମେରିକା ଏବଂ କ୍ୟୁବା ମଧ୍ୟରେ ପ୍ରକୃତରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ସେନେଇ ଟ୍ରମ୍ପ ସ୍ପଷ୍ଟ କରିନାହାନ୍ତି । ଟ୍ରମ୍ପଙ୍କ ଅନୁସାରେ, ଆମେରିକାର ଆଗାମୀ ପଦକ୍ଷେପ କ୍ୟୁବା ଛାଡ଼ି ଆମେରିକାରେ ରହୁଥିବା ଲୋକଙ୍କ ଲାଗି ଶୁଭଙ୍କର ହେବ । 

ଟ୍ରମ୍ପ କହିଛନ୍ତି, ଅନେକ ଲୋକ କ୍ୟୁବା ଫେରିବାକୁ ଚାହୁଁଛନ୍ତି । ବର୍ତ୍ତମାନର ଆଲୋଚନାରେ ସେମାନେ ସନ୍ତୁଷ୍ଟ। ରାଜନୈତିକ ଉତ୍ତେଜନା ଏବଂ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଆମେରିକା ଏବଂ କ୍ୟୁବା ମଧ୍ୟରେ ସମ୍ପର୍କ ଦଶନ୍ଧି ଧରି ଜଟିଳ ହୋଇପଡ଼ିଛି। ଟ୍ରମ୍ପଙ୍କ ମନ୍ତବ୍ୟ ଏପରି ସମୟରେ ଆସିଛି, ଯେତେବେଳେ ସେ ବାରମ୍ବାର ଗ୍ରୀନଲାଣ୍ଡର ମିଶ୍ରଣ ପାଇଁ ଆହ୍ୱାନ ଦେଇଛନ୍ତି ।