ଇରାନ୍‌ରେ ଧ୍ବଂସ ଲୀଳା, ଶତାଧିକ ଅଞ୍ଚଳରେ ମିସାଇଲ୍ ମାଡ଼; ଭିଡିଓ ଜାରି କଲା ଇସ୍ରାଏଲ୍‌

NEWS7
nepals-supreme-court-orders-appointment-of-sher-bahadur-as-pm

ଆଦିଲ୍ଲୀ: ଇରାନ୍ ଉପରେ ମିସାଇଲ୍ ମାଡ଼ର ପ୍ରଥମ ଭିଡିଓ ସେୟାର କଲା ଇସ୍ରାଏଲ । ଏକ୍ସରେ ଧ୍ବଂସର ଚିତ୍ର ପୋଷ୍ଟ କଲା ଇସ୍ରାଏଲୀ ସେନା (ଆଇଡିଏଫ୍) । ପଶ୍ଚିମ ଇରାନରେ ଶତାଧିକ ଅଞ୍ଚଳକୁ ଟାର୍ଗେଟ କରି ଧ୍ବଂସ କରାଯାଇଛି ବୋଲି ଇସ୍ରାଏଲ କହିଛି। ଇସ୍ରାଏଲ ଏୟାରଫୋର୍ସ ଇରାନ୍ ଭିତରେ ଧ୍ବଂସର ଲୀଳା ରଚୁଥିବା ବେଳେ, ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦେଶକୁ ସୁରକ୍ଷା ଦେଉଛି। ଇରାନ ପଟୁ ଆସୁଥିବା ମିସାଇଲକୁ ଆକାଶରେ ହିଁ ନଷ୍ଟ କରୁଛି ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀ । ଇସ୍ରାଏଲୀ ସେନା କହିଛି ଯେ, ‘ଆମେରିକା ସହିତ ମିଳିତ ଭାବରେ ଇରାନର ଶତାଧିକ ଅଞ୍ଚଳରେ ଆକ୍ରମଣ କରାଯାଇଛି । ଦୁଇ ସହଯୋଗୀ ଦେଶ ମଧ୍ୟରେ ମାସ ମାସ ଧରି ଯୋଜନା ପରେ ଏହା ହୋଇଛି। ଏହି ଆକ୍ରମଣରେ ଇରାନର ସାମରିକ ଘାଟିକୁ ଟାର୍ଗେଟ କରାଯାଇଛି ।’

ଏହାରି ମଧ୍ୟରେ ୟୁଏଇ ରିପୋର୍ଟ କରିଛି ଯେ, ଇରାନ ଆକ୍ରମଣର ଦ୍ୱିତୀୟ ଲହରକୁ ପ୍ରତିହତ କରିଛି । କ୍ଷେପଣାସ୍ତ୍ରର ଖଣ୍ଡ ବିଖଣ୍ଡିତ ଅଂଶ ରାଜଧାନୀ ଆବୁଧାବିରେ ପଡ଼ିଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି । ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ୟୁଏଇର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, UAE ବାୟୁ ପ୍ରତିରକ୍ଷା ସଫଳତାର ସହ ଇରାନ କ୍ଷେପଣାସ୍ତ୍ରକୁ ଧ୍ବଂସ କରିଛି । କ୍ଷେପଣାସ୍ତ୍ରର ଖଣ୍ଡଗୁଡ଼ିକ ଆବୁଧାବିର ବିଭିନ୍ନ ଅଞ୍ଚଳରେ ପଡ଼ିଛି । ଖଲିଫା ସିଟି, ବାନି ୟାସ୍, ମହମ୍ମଦ ବିନ୍ ଜାଏଦ୍ ସିଟି ଏବଂ ଅଲ୍ ଫାଲାହରେ ପଡ଼ିଛି ଇରାନ୍ କ୍ଷେପଣାସ୍ତ୍ରର ଧ୍ବଂସାବଶେଷ ।

ଇସ୍ରାଏଲୀ ସେନା ରିପୋର୍ଟ କରିଛି ଯେ, ଶନିବାର ସକାଳେ ତେହେରାନର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଇଛି । ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ ସେନା କହିଛି ଯେ, ଆକ୍ରମଣ ଇରାନର ରାଜନୈତିକ-ସୁରକ୍ଷା ନେତୃତ୍ୱର ଉଚ୍ଚପଦସ୍ଥ ବ୍ୟକ୍ତିବିଶେଷ ଏକତ୍ରିତ ହୋଇଥିବା ସ୍ଥାନକୁ ଲକ୍ଷ୍ୟ କରି କରାଯାଇଥିଲା । ସେପଟେ ଇସ୍ରାଏଲା ଆକ୍ରମଣରେ ତେହେରାନରେ ଥିବା ଆୟତୋଲ୍ଲା ଅଲି ଖାମେନିଙ୍କ ବାସଭବନ କ୍ଷତିଗ୍ରସ୍ତ ହୋଇଛି। ଏପରିକି ଇରାନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଇଆରଜିସି କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।