'ହ୍ରାସ ପାଉଛି ଭାରତର ଉତ୍ପାଦନ' : ଜର୍ମାନୀରୁ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍

NEWS7
nepal-india-s-support-on-the-new-map-party-showed-the-way-out

ନୂଆଦିଲ୍ଲୀ, ୧୮/୧୨: ବିବାଦରେ ରାହୁଲ ଗାନ୍ଧୀଙ୍କ ବୟାନ । ଜର୍ମାନୀ ଗସ୍ତରେ ଯାଇ ଭାରତରେ ଉତ୍ପାଦ ହ୍ରାସ ପାଉଥିବା କହିଛନ୍ତି ରାହୁଲ । ତେବେ ବିରୋଧୀ ଦଳ ନେତାଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧୀ ଜର୍ମାନୀ ଗସ୍ତ କରିଛନ୍ତି । ସେଠାରେ ସେ ମୁନିଚରେ ଥିବା ବିଏମଡବଲୁ ପ୍ଲାଣ୍ଟ୍ ବୁଲି ଯାଇଥିଲେ । ଯାହା ପରେ ତାଙ୍କ ସୋସିଆଲ ମିଡିଆ ସାଇଟରେ ଏକ ଭିଡିଓ ପୋଷ୍ଟ୍ ହୋଇଥିଲା । ଭିଡିଓରେ ରାହୁଲ ଭାରତର ଉତ୍ପାଦ ଖୁବ୍ ହ୍ରାସ ପାଇଥିବା କହିଛନ୍ତି ।

ଭିଡିଓରେ ରାହୁଲ କହିଛନ୍ତି ଯେ, ଉଦ୍ୟୋଗ ହେଉଛି ବୃହତ ଅର୍ଥନୀତିର ମେରୁଦଣ୍ଡ । କିନ୍ତୁ ଦୁର୍ଭାଗ୍ୟବଶତଃ ଭାରତରେ ଏହା ହ୍ରାସ ପାଉଛି । ଅର୍ଥନୀତି ଅଭିବୃଦ୍ଧି ପାଇଁ ଉତ୍ପାଦନ କ୍ଷମତା ବଢାଇବାକୁ ହେବ । ବିଭିନ୍ନ କମ୍ପାନୀ ପାଇଁ ଅନୁକୂଳ ପରିବେଶ ପ୍ରତିଷ୍ଠା କରିବାକୁ ପଡିବ । ଯାହା ଦ୍ୱାରା ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ । ତେବେ ରାହୁଲଙ୍କ ଏହି ବୟାନ ବିଦେଶ ମାଟିରୁ ଭାରତ ସରକାରଙ୍କୁ କଟାକ୍ଷ ବୋଲି କୁହାଯାଉଛି ।

ରାହୁଲଙ୍କ ବୟାନର ଜବାବ ରଖିଛି ଭାରତ । ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ, ରାହୁଲ ମିଛ ଖବର ଦେଉଛନ୍ତି । ଇଲେକ୍ଟ୍ରୋନିକ୍ସ ଉତ୍ପାଦରେ ଗତ ୧୦ ବର୍ଷରେ ୪୯୫ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ରପ୍ତାନୀ ମଧ୍ୟ ୭୬୦ ପ୍ରତିଶତ ବଢିଛି । ୧୯୯୧ ପରେ ଭାରତୀୟ ଦ୍ରବ୍ୟର ଉତ୍ପାଦନ ପ୍ରାୟ ୧୪ ଗୁଣା ବୃଦ୍ଧି ପାଇଛି । ୧୯୯୧ରେ ଦେଶରେ ୨୦ ଲକ୍ଷ କାର୍ ତିଆରି ହେଉଥିଲା । ଯାହା ୨୦୨୪ରେ ୨ କୋଟି ୮୦ ଲକ୍ଷରେ ପହଁଚିପାରିଛି ।

ଆହୁରି ମଧ୍ୟ ବିଜେପି ମୁଖପାତ୍ର କହିଛନ୍ତି ଯେ, ଭାରତ ୨୦୩୦ରେ ୫୦ ମିଲିୟନ ଯାନବାହାନ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିକାଶର ଶିଖର ଛୁଇଁବା ଦିଗରେ ଆଗେଇ ଚାଲିଥିବା ସେ ପ୍ରକାଶ କରିଛନ୍ତି ।