ଇଡ଼ି ର I-PAC ଚଢଉ ମାମଲା: ତୃଣମୂଳ କଂଗ୍ରେସର ପିଟିସନ ହାଇକୋର୍ଟରେ ଖାରଜ

NEWS7
nehha-pendse-on-online-trolling-says-me-and-my-husband-stopped-giving-attention-to-these

କୋଲକାତା ୧୪।୧: ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି) ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢଉ ମାମଲାରେ କୋଲାକାତା ହାଇକୋର୍ଟ ବୁଧବାର ତୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ରୁଜୁ ପିଟିସନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଟିଏମସି ଅଭିଯୋଗ କରିଥିଲା ଯେ ଇଡି ଜାନୁୟାରୀ ୮ ତାରିଖ ଦିନ ଆଇ-ପିଏସିର ଆଇଟି ମୁଖ୍ୟ ପ୍ରତୀୟ ଜୈନଙ୍କ କାର୍ଯ୍ୟାଳୟ ଓ ବାସଭବନ ଉପରେ ଚଢଉ କରି କିଛି କାଗଜପତ୍ର ଜବତ କରିଥିଲା।

ଏହି ମାମଲାରେ ଇଡି ଓକିଲ ତଥା ଆସିଷ୍ଟାଣ୍ଟ ସୋଲିସିଟର ଜେନେରାଲ (ଏଏସଜି) ରାଜୁ କୋର୍ଟକୁ କହିଛନ୍ତି ଯେ ଏଜେନ୍ସୀ ପାର୍ଟି କାର୍ଯ୍ୟାଳୟରୁ କିଛି ବି ଜବତ କରି ନାହିଁ। ଏଥିରେ କୋର୍ଟ କହିଛନ୍ତି ଯେ ଇଡି ସ୍ପଷ୍ଟ କରିଛି ଯେ ଏହି ଚଢଉରେ କିଛି ବି ଜବତ ହୋଇନି, ଏଣୁ ମାମଲାରେ ଶୁଣାଣିର କୌଣସି ଆବଶ୍ୟକତା ନାହିଁ। ଶୁଣାଣି କାଳରେ ଏଏସଜି ରାଜୁ କହିଛନ୍ତି ଯେ ଯଦି କୌଣସି ରେକର୍ଡ ଜବତ ହୋଇଛି ତାହା ମମତା ବାନାର୍ଜୀଙ୍କ ଦ୍ୱାରା କରାଯାଇଛି। ସେ କହିଛନ୍ତି ଯେ ମମତା ବେଆଇନ ଭାବେ ଫାଇଲଗୁଡିକୁ ନିଜ ସହିତ ନେଇ ଯାଇଥିଲେ। ତେବେ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବାରୁ ହାଇକୋର୍ଟ ଆବେଦନ ଉପରେ ଶୁଣାଣି ସ୍ଥଗିତ କରିଦେଇଛନ୍ତି।

ଇଡି ଓକିଲ ଏହା ବି ତର୍କ ଦେଇଛନ୍ତି ଯେ ଆଇ-ପିଏସିର ସହ ସଂସ୍ଥାପକ ପ୍ରତୀକ ଜୈନ ମାମଲାରେ ସ୍ୱୟଂ ପିଟିସନ ଦାଖଲ କରିବାର ଥିଲା। ତେବେ ଏଥିରେ ଟିଏମସିର ଅଧିକାର କିପରି ଉଲ୍ଲଂଘନ ହେଲା ଏ ନେଇ ଇଡି ଓକିଲ କୋର୍ଟରେ ପ୍ରଶ୍ନ କରିଛନ୍ତି। ତାଙ୍କ କହିବା କଥା ହେଲା ଆବେଦନ କେବଳ ନିର୍ବାଚନ ସମ୍ପର୍କିତ ନୁହେଁ। ତେବେ ଏଥିରୁ ସ୍ପଷ୍ଟ ହେଉ ନାହିଁ କାହାର ଅଧିକାର କିଏ ହନନ କଲା। ସେହିପରି ଓକିଲ ଏହା ବି କହିଛନ୍ତି ଯେ ଆଇ-ପିଏସି କାର୍ଯ୍ୟାଳୟରୁ ଯଦି କିଛି ଜବତ ହୋଇଛି ତେବେ ଆବେଦନକାରୀଙ୍କ ସହ ଏହାର କଣ ସମ୍ପର୍କ ରହିଛି ଏହା ବି ସ୍ପଷ୍ଟ କରାଯାଇ ନାହିଁ।