କ୍ରିକେଟର ରିଙ୍କୁ ସିଂଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ଲୁଟିଲେ ହ୍ୟାକର, ତଦନ୍ତ କରୁଛି ପୋଲିସ

NEWS7
ndia-reports-10064-new-covid19-cases

ଆଲିଗଡ଼: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ଫେସବୁକ୍ ଆକାଉଣ୍ଟ୍ ହ୍ୟାକ୍ ହୋଇଛି। ରିଙ୍କୁ ସିଂଙ୍କ ଫେସବୁକ୍ ଆଇଡିରେ ପ୍ରାୟ ୧.୬ ନିୟୁତ ଫଲୋୟର୍ସ ଅଛନ୍ତି । ଏଥରୁ କ୍ରିକେଟର ଆୟ ମଧ୍ୟ କରୁଛନ୍ତି । ହ୍ୟାକର୍ସ କେବଳ ଆକାଉଣ୍ଟ୍ ହ୍ୟାକ୍ କରିନାହାନ୍ତି ବରଂ ଏଥିରୁ ହେଉଥିବା ଆୟକୁ ମଧ୍ୟ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି । ରିଙ୍କୁ ସିଂ ସ୍ପଷ୍ଟ କରିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ତାଙ୍କ ଫେସବୁକ୍ ଆଇଡିରେ କିଛି ଫଟୋ ଏବଂ ଭିଡିଓ ଅପଲୋଡ୍ ହୋଇଛି । ଏସବୁ ଫଟୋ ଏବଂ ଭିଡିଓ ତାଙ୍କର ନୁହେଁ ।

ରିଙ୍କୁ ସିଂ ଆଲିଗଡ଼ର ବରିଷ୍ଠ ପୋଲିସ ଅଧିକ୍ଷକ ନୀରଜ ଜାଦୋନଙ୍କୁ ଫୋନ୍ କରି ଆକାଉଣ୍ଟ ହ୍ୟାକ ବିଷୟରେ ଜଣାଇଥିଲେ। ଏହା ପରେ, ରିଙ୍କୁ ସିଂଙ୍କ ଭାଇ ସୋନୁ ନୀରଜଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗରେ କେବଳ ତାଙ୍କ ଫେସବୁକ୍ ଆଇଡି ହ୍ୟାକ ନୁହେଁ ବରଂ ତାଙ୍କୁ ମିଳୁଥିବା ଟଙ୍କା ଉଠାଣ ହୋଇଥିବା ନେଇ ଉଲ୍ଲେଖ କରାଯାଇଛି। ଅଭିଯୋଗ ଆଧାରରେ, ଏସଏସପି ନୀରଜ ଜାଦୋନଙ୍କ ନିର୍ଦ୍ଦେଶରେ ଅଜ୍ଞାତ ହ୍ୟାକରଙ୍କ ବିରୋଧରେ ସାଇବର ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି।

ପୋଲିସର ସୂଚନା ଅନୁଯାୟୀ, ରିଙ୍କୁ ସିଂଙ୍କ ଫେସବୁକ୍ ଆଇଡି ପୂର୍ବରୁ ତାଙ୍କ ଜିମେଲ୍ ଆଇଡି, ରିଙ୍କୁକୁମାର344.8.7 ସହିତ ଲଗ୍ ଇନ୍ କରାଯାଇଥିଲା। କିନ୍ତୁ, ହ୍ୟାକ୍ ପରେ ଆକାଉଣ୍ଟଟି Commercial.RinkuKumar ନାମକ ଏକ ଆଇଡି ସହିତ ଲଗ୍ ଇନ୍ କରାଯାଇଛି। ହ୍ୟାକର ଇମେଲ ଆକ୍ସେସ୍ ମଧ୍ୟ ନିଜ କବଜାକୁ ନେଇସାରିଛନ୍ତି।

ଏସଏସପି ନୀରଜ ଜାଦୋନ କହିଛନ୍ତି ଯେ, ରିଙ୍କୁ ସିଂଙ୍କ ଭାଇଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗରେ ଆକାଉଣ୍ଟ ହ୍ୟାକିଂ ଏବଂ ମନିଟାଇଜେସନ୍ ପାଣ୍ଠିର ଆତ୍ମସାତ ହୋଇଥିବା ଜଣାପଡ଼ିଛି। ହ୍ୟାକରଙ୍କୁ ଚିହ୍ନଟ କରି ଆକାଉଣ୍ଟ ପୁନରୁଦ୍ଧାର କରିବାକୁ ସାଇବର ସେଲକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ଏହା ମଧ୍ୟ ତଦନ୍ତ କରୁଛି ଯେ, ହ୍ୟାକିଂ ଏକ ସଂଗଠିତ ସାଇବର ଗ୍ୟାଙ୍ଗ୍ ଦ୍ୱାରା କରାଯାଇଛି ନା କୌଣସି ବ୍ୟକ୍ତି କରିଛନ୍ତି ।

ସାଇବର ପୋଲିସ ଷ୍ଟେସନ ଇନଚାର୍ଜ ରମେନ୍ଦ୍ର ଶୁକ୍ଲା କହିଛନ୍ତି ଯେ, ରିଙ୍କୁ ସିଂଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି। ଫେସବୁକ୍ ଆକାଉଣ୍ଟ ସହ ଜଡିତ ଲଗଇନ୍ ବିବରଣୀ, IP ଠିକଣା ଏବଂ କାରବାର ସୂଚନା ସଂଗ୍ରହ କରାଯାଉଛି। ଆକାଉଣ୍ଟକୁ ଯଥାଶୀଘ୍ର ପୁନରୁଦ୍ଧାର କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ସମନ୍ୱୟ ମଧ୍ୟ ସ୍ଥାପନ କରାଯାଉଛି।