ବ୍ରିଟେନ ଯାଇ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ଉପରେ ରୋକ ଲଗାଇଲେ UAE ସରକାର, ଜାଣନ୍ତୁ କାହିଁକି?

NEWS7
naxal-digged-road-in-malkangiri

ଅବୁଧାବୀ ୧୨।୧: ୟୁନାଇଟେଡ ଆରବ ଏମିରେଟସ(ୟୁଏଇ) ସରକାର ଉଚ୍ଚଶିକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ନିଷ୍ପତ୍ତି ନେଇଛନ୍ତି। ୟୁଏଇ ସରକାର ବ୍ରିଟେନ ଯାଇ ପଢୁଥିବା ଛାତ୍ରଙ୍କ ସରକାରୀ ସ୍ଲଲାରସିପ୍ ଉପରେ ରୋକ ଲଗାଇ ଦେଇଛନ୍ତି। ସୁରକ୍ଷା ଓ ବିଚାରଗତ ପ୍ରଭାବକୁ ନେଇ ବଢୁଥିବା ଚିନ୍ତାକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ୟୁଏଇ ଅନୁସାରେ ବ୍ରିଟିଶ ଶିକ୍ଷଣାନୁଷ୍ଠାନରେ କିଛି ଏପରି ତତ୍ୱ ସକ୍ରିୟ ଅଛନ୍ତି ଯେଉଁମାନେ ଛାତ୍ରଛାତ୍ରୀଙ୍କୁ ମୌଳବାଦୀ ଚିନ୍ତାଧାରା ଆଡକୁ ପ୍ରଭାବିତ କରୁଛନ୍ତି।

ତେବେ ବ୍ରିଟିଶ ବିଶ୍ୱବିଦ୍ୟାଳୟମାନଙ୍କରେ ଉଚ୍ଚଶିକ୍ଷା ପାଇଁ ୟୁଏଇ ସରକାର ଗତ ଜୁନ ମାସରେ ରୋକ ଲଗାଇଥିଲେ। ହେଲେ ସରକାରଙ୍କ ନିଷ୍ପତ୍ତି ଏବେ ବିତର୍କର କାରଣ ପାଲଟିଛି। ବ୍ରିଟିଶ ସମ୍ବାଦପତ୍ର ‘ଦି ଫାଇନାନସିଆଲ ଟାଇମ୍ସ’ ଓ ‘ଦି ଟାଇମ୍ସ’ ର ରିପୋର୍ଟ ପରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ଏହି ସବୁ ରିପୋର୍ଟ ଅନୁସାରେ ୟୁଏଇର ଉଚ୍ଚଶିକ୍ଷା ମନ୍ତ୍ରାଳୟ ବିଦେଶୀ ଶିକ୍ଷଣାନୁଷ୍ଠାନଙ୍କ ନୂଆ ତାଲିକା ଜାରି କରିଛନ୍ତି। ଏଥିରେ ବ୍ରିଟେନର କୌଣସି ବିଶ୍ୱବିଦ୍ୟାଳୟ ନଥିବା ଜଣାପଡିଛି।

ୟୁଏଇର ସଂଶୋଧିତ ସ୍କଲାରସିପ୍ ସୂଚୀରେ ଆମେରିକା, ଅଷ୍ଟ୍ରେଲିୟା, ଫ୍ରାନ୍ସ ଓ ଇସ୍ରାଏଲର ଶିକ୍ଷାନୁଷ୍ଠାନକୁ ସ୍ଥାନ ମିଳିଛି। ହେଲେ ବ୍ରିଟେନ ଯାହାକୁ ବିଶ୍ୱସ୍ତରୀୟ ଶିକ୍ଷାର ବଡ଼ କେନ୍ଦ୍ର ମନେ କରାଯାଏ ଏହି ସୂଚୀରୁ ସମ୍ପୂର୍ଣ୍ଣ ବାଦ ପଡିଛି। ଏହା ଉପରେ ଯେବେ ବ୍ରିଟିଶ ଅଧିକାରୀମାନେ ପ୍ରଶ୍ନ କଲେ ୟୁଏଇ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ସରକାର ଚାହାନ୍ତିନି ବିଦେଶରେ ପଢୁଥିବା ବେଳେ ତାଙ୍କ ଛାତ୍ର କୌଣସି ପ୍ରକାରର ମୌଳବାଦ ପ୍ରଭାବରେ ଆସୁ।

ଫାଇନାନ୍ସିଆଲ ଟାଇମ୍ସ ଅନୁସାରେ ୟୁଏଇର ମୁଖ୍ୟଚିନ୍ତା ମୁସ୍ଲିମ ବ୍ରଦରହୁଡକୁ ନେଇ। ୟୁଏଇ ପୂର୍ବରୁ ଏହି ସଙ୍ଗଠନକୁ ଆତଙ୍କବାଦୀ ଘୋଷିତ କରିସାରିଛି। ୟୁଏଇ ଅନୁସାରେ ବ୍ରିଟିଶ ବିଶ୍ୱବିଦ୍ୟାଳୟ ଓ କ୍ୟାମ୍ପସ ବାତାବରଣରେ ବ୍ରଦରହୁଡ ସମ୍ପର୍କିତ ବିଚାରଗତ ନେଟୱାର୍କ ମହଜୁଦ ଅଛି। ୟୁଏଇ ଦୀର୍ଘ ସମୟରୁ ୟୁରୋପୀୟ ଦେଶଙ୍କୁ ଏହି ସଙ୍ଗଠନକୁ ନିଷିଦ୍ଧ କରିବା ପାଇଁ ଦାବି କରିଆସୁଛି। ହେଲେ ବ୍ରିଟେନ ଏ ପର୍ଯ୍ୟନ୍ତ ଏ ଦିଗରେ ଏପରି କୌଣସି ପଦକ୍ଷେପ ଗ୍ରହଣ କରିନାହିଁ।

୨୦୧୫ ମସିହାରେ ବ୍ରିଟିଶ ସରକାର ମୁସ୍ଲିମ ବ୍ରଦରହୁଡକୁ ନେଇ ଏକ ବିସ୍ତୃତ ସମୀକ୍ଷା କରାଇଥିଲେ। ଏହି ସମୀକ୍ଷା ସାଉଦୀ ଆରବର ଚେତାବନୀ ପରେ ଆରମ୍ଭ କରାଯାଇଥିଲା। ରିପୋର୍ଟରେ କୁହାଯାଇଥିଲା ଯେ ସଙ୍ଗଠନର ବିଚାର ବ୍ରିଟିଶ ମୂଲ୍ୟ ସହ ମେଳ ହେଉ ନାହିଁ। ତେବେ ଏହା ସ୍ପଷ୍ଟ କରାଯାଇଥିଲା ଯେ ବ୍ରିଟେନରେ ଅଥବା ବ୍ରିଟେନ ବିରୋଧରେ କୌଣସି ଆତଙ୍କବାଦୀ ଗତିବିଦ୍ଧିରେ ମୁସ୍ଲିମ ବ୍ରଦରହୁଡର ସିଧା ସମ୍ପର୍କ ନାହିଁ। ଏହି କାରଣରୁ ବ୍ରିଟେନ ସଙ୍ଗଠନ ଉପରେ କୌଣସି କଟକଣା ଲଗାଇବାକୁ ମନା କରିଦେଇଥିଲା।

ମୁସ୍ଲିମ ବ୍ରଦରହୁଡର ସ୍ଥାପନା ଇଜିଫ୍ଟରେ ୧୯୨୮ ମସିହାରେ ହସନ ଅଲ-ବନ୍ନା କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଇସ୍ଲାମ ସିଦ୍ଧାନ୍ତକୁ ସାମାଜିକ ଓ ରାଜନୈତିକ ଜୀବନରେ ଲାଗୁ କରିବା। ଆରବ ସ୍ପ୍ରିଂ ପରେ ଏହି ସଙ୍ଗଠନ ଇଜିପ୍ଟ କ୍ଷମତା ମଧ୍ୟ ଦଖଲ କରିଥିଲା। ହେଲେ ୨୦୧୩ ସାମରିକ ବିଦ୍ରୋହ ପରେ ଏହି ସଙ୍ଗଠନକୁ ଇଜିପ୍ଟରେ ନିଷିଦ୍ଧ କରାଯାଇଛି। ଜାନୁୟାରୀ ୨୦୨୬ ପର୍ଯ୍ୟନ୍ତ ଇଜିପ୍ଟ, ସାଉଦୀ ଆରବ, ୟୁଏଇ, ଋଷିଆ ଓ ଜୋର୍ଡାନ ଭଳି ଦେଶରେ ଏହାକୁ ଆତଙ୍କ ସଙ୍ଗଠନ ଘୋଷଣା କରାଯାଇଛି।