କୁଆଡ଼େ ଯାଇଛନ୍ତି କଂଗ୍ରେସ ବିଧାୟକ, ଦଳୀୟ ନେତାଙ୍କ କଥାରେ ନାହିଁ ତାଳମେଳ

NEWS7
naxal-digged-road-in-malkangiri

ଭୁବନେଶ୍ୱର ୧୩/୦୩: ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ଅଛି । ସମୟ ଯେତିକି ଗଡ଼ୁଛି, ବିରୋଧୀ ବିଜେଡି ଓ କଂଗ୍ରେସରେ ସନ୍ଦେହ ସେତିକି ବଢ଼ୁଛି। ନିର୍ଦ୍ଦିଷ୍ଟ ଭାବେ ୭/୮ ଜଣ ବିଧାୟକଙ୍କ ମତିଗତି ଉପରେ ନଜର ଥିଲେ ବି ଅନ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭରସା କରାଯାଇ ପାରୁ ନାହିଁ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ ଏହି ନିର୍ବାଚନର ମଙ୍ଗ ଧରିଛନ୍ତି।

ସେପଟେ କଂଗ୍ରେସର ୮ଜଣ ବିଧାୟକ ବେଙ୍ଗାଲୁରୁ ଯାଇଛନ୍ତି । ତେବେ ଏନେଇ କଂଗ୍ରେସ ନେତାଙ୍କ ଭିତରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡମ କହିଛନ୍ତି ଶାସକ ଦଳ ପ୍ରଲୋଭନ ଦେଖାଇ ଭୋଟ ନେବାକୁ ଚେଷ୍ଟା କରୁଛି । ଆମ ବିଧାୟକଙ୍କୁ ଆମେ ଏକଜୁଟ କଲୁ । ଯେଉଁମାନେ ରହୁଛନ୍ତି ସେମାନେ କ୍ରସ ଭୋଟିଙ୍ଗ କରିବେ ନାହିଁ ବୋଲି ସୂଚନା ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡମ ।

ସେହିପରି କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋଷ । ବାହାରକୁ ଯିବାର କ'ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କଲେ ସୋଫିଆ ।'ଆମେ ନିର୍ବାଚିତ ଲୋକ ପ୍ରତିନିଧି, କଟକ ଭଳି ଶିକ୍ଷିତ ସହରରୁ ଆସିଛୁ । ମୁଁ ଗଣମାଧ୍ୟମରୁ ଶୁଣିଲି, ମତେ କିଛି କୁହାଯାଇନାହିଁ ବୋଲି ସେ କହିଛନ୍ତି । ଆମେ ବି ନିଜେ ନିଜେ ନିଷ୍ପତ୍ତି ନେଇଛୁ ବୋଲି କହିଲେ ସୋଫିଆ ।

ସେହିଭଳି ଭିନ୍ନ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ନିଜ ଇଚ୍ଛାରେ ବୁଲିବାକୁ ଯାଇଛନ୍ତି ଆମ ବିଧାୟକ । ଦୁଇ ଦିନ ପରେ ଆସିବେ, ବହୁତ ଦିନ ହେଲା କୁଆଡେ ଯାଇ ନ ଥିଲେ । ଏଥିରେ କିଛି ରାଜନୈତିକ ଅଭିଶନ୍ଧି ନାହିଁ । ଆମ ବିଧାୟକଙ୍କ ଉପର ବିଶ୍ୱାସ ଅଛି । ଘୋଡା ବେପାରରେ ସାମିଲ ହେବେନି ବୋଲି ସେ ରୋକ୍ ଠୋତକ୍ ଶୁଣାଇଦେଇଛନ୍ତି ।