ହସିନାଙ୍କୁ ବାଂଲାଦେଶ ପ୍ରତ୍ୟାର୍ପଣ କରାଯିବ ନା ନାହିଁ ? ମୁହଁ ଖୋଲିଲେ ଏସ ଜୟଶଙ୍କର

NEWS7
naveen-took-oath-as-cm-of-odisha-for-5th-time

ନୂଆଦିଲ୍ଲୀ, ୦୭ /୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସିନାଙ୍କ ପାଇଁ ଭାରତ ଏବଂ ବାଂଲାଦେଶର ସମ୍ପର୍କରେ ତିକ୍ତତା ବଢିଛି । ନିକଟରେ ତାଙ୍କୁ ବାଂଲା କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି । ଏହାପରେ ଲଗାତାର ଭାବେ ହସିନାଙ୍କୁ ଫେରାଇଦେବାକୁ ବାଂଲା ସରକାର ଦାବି କରି ଆସୁଛନ୍ତି । କିନ୍ତୁ ଭାରତ ଏଦିଗରେ କିଛି ସ୍ପଷ୍ଟ କରୁନାହିଁ । ତେବେ ଏପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

ସୂଚନାନୁସାରେ, ୨୦୨୪ ମସିହା ଅଗଷ୍ଟ ମାସରେ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ଏଥିରେ ହସିନାଙ୍କ ୧୫ ବର୍ଷର ସରକାର ବିରୋଧରେ ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ହସିନା କ୍ଷମତାଚ୍ୟୁତ ହେବାକୁ ବାଧ୍ୟ ହୋଇଥିଲେ । ପରେ ସେ ଭାରତ ପଳାଇଆସିଥିଲେ । ଏବେ ଏଠାରେ ସେ ଶରଣାର୍ଥୀ ଭାବେ ରହୁଛନ୍ତି ।

ତେବେ ହସିନାଙ୍କୁ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ନେଇ ଜୟଶଙ୍କର କହିଛନ୍ତି ଯେ, ହସିନା ଯେତେଦିନ ଚାହିଁବେ ଭାରତରେ ରହିପାରିବେ । ସେ ନିଜ ଇଚ୍ଛାରେ ଭାରତରେ ରହୁଛନ୍ତି । ସେ ଭାରତକୁ ଏକ ଭିନ୍ନ ପରିସ୍ଥିତିରେ ଆସିଥିଲେ । କିନ୍ତୁ ସେ ବାଂଲାଦେଶ ଫେରିବେ ନା ନାହିଁ ତାହା ସେ ନିଜେ ଚିନ୍ତା କରିବେ ।

ବାଂଲାଦେଶ ସହ ସମ୍ପର୍କକୁ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତ ସଦାବେଳେ ଗଣତନ୍ତ୍ରକୁ ସମର୍ଥନ କରି ଆସିଛି । ପଡୋଶୀ ଦେଶରେ ଗଣତନ୍ତ୍ର ମଜବୁତ ହେବା ଆବଶ୍ୟକ । ବର୍ତ୍ତମାନ ବାଂଲାଦେଶର ସରକାର ସେଠାରେ ନିର୍ବାଚନ କରିପାରୁ ନାହାଁନ୍ତି । ସେଠାରେ ନିର୍ବାଚନ କରିବା ସରକାରଙ୍କ ପ୍ରଥମ ପ୍ରସଙ୍ଗ ହେବା ଦରକାର । ଏନେଇ ବାଂଲାର ଅନ୍ତରୀଣ ସରକାର ଯତ୍ନବାନ ହେବାକୁ ଜୟଶଙ୍କର ପରାମର୍ଶ ଦେଇଛନ୍ତି ।