ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ହିଞ୍ଜିଳିରୁ ଆରମ୍ଭ କରିବେ କ୍ୟାମ୍ପେନିଂ

Published By : Prameya-News7 Bureau | April 24, 2024 IST

ବ୍ରହ୍ମପୁର ୨୪।୦୪ : ବୁଧବାର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ଆରମ୍ଭ କରିବେ ବିଜେଡିର ଟପ୍ ମୋଷ୍ଟ ଷ୍ଟାର୍ କ୍ୟାମ୍ପେନର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବୁଧବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ନବୀନ। ଆଜି ହିଞ୍ଜିଳି ଓ ଶେରଗଡ଼ରେ କରିବେ ଜନସଭା । ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ସକାଳ ସାଢେ ୧୦ଟାରେ ହିଞ୍ଜିଳିକାଟୁରେ ପହଞ୍ଚିବେ। ହିଞ୍ଜିଳିରେ ସାଧାରଣ ସଭାରେ ଦେବେ ଯୋଗ ନବୀନ। ତାପରେ ସାଢେ ୧୧ ଟାରେ ପୁଣି ଶେରଗଡ଼ ବସଷ୍ଟାଣ୍ଡରେ ସାଧାରଣ ସଭାରେ ଯୋଗ ଦେବେ ନବୀନ । ଗୋଟିଏ ଦିନରେ ଦୁଇଟି ସଭା କରିବେ ମୁଖ୍ୟମନ୍ତ୍ରୀ। ଯୋଡ଼ିଶଙ୍ଖ ଧ୍ବନିରେ କମ୍ପିବ ପୁରା ଅଞ୍ଚଳ । ପୁରା ଗଞ୍ଜାମ ଜିଲ୍ଲାରେ ଯେଭଳି ଭାବେ ପ୍ରଚାରର ପ୍ରଭାବ ପଡିବ ସେଥିପାଇଁ ପୁରା ଯୋଜନା କରିଛି ବିଜେଡି।

ଗଞ୍ଜାମ କିଲ୍ଲାରେ ଦୁଇ ଦୁଇଟି ଲୋକସଭା ରହିଛି । ବ୍ରହ୍ମପୁର ଏବଂ ଆସ୍କା । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ଅଛି ଆସ୍କା ଲୋକସଭା ନିର୍ବାଚନ। ଆସନ୍ତା ୩୦ରେ ନବୀନ ନାମାଙ୍କନ କରିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରା ତାରିଣୀଙ୍କୁ ଦର୍ଶନ କରି ଛତ୍ରପୁରରେ ନିଜର ନାମାଙ୍କନା ଦାଖଲ କରିବେ । ବୁଧବାର ନବୀନ ପ୍ରଚାର ମଇଦାନକୁ ଓହ୍ଲାଉଥିବାରୁ ଉତ୍ସାହିତ ଶଙ୍ଖ ଶିବିର । ୨୦୦୦ ମସିହାରୁ ଲଗାତର ହିଞ୍ଜିଳି ବିଧାନସଭା ଆସନରୁ ବଡ଼ ବ୍ୟବଧାନରେ ଜିତି ଆସୁଛନ୍ତି ନବୀନ ପଟ୍ଟନାୟକ । ସବୁ ଥର ଭଳି ଏଥର ମଧ୍ୟ ହୋମ୍ ଗ୍ରାଉଣ୍ଡ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଛନ୍ତି ।

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.