ମାଲକାନଗିରିରେ ହିଂସାକାଣ୍ଡ ଘଟଣା ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି, ହସ୍ତକ୍ଷେପ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କଲା ବିଜେଡି

NEWS7
nature-lover-narottam-das-returned-his-award

ଭୁବନେଶ୍ବର ୧୨।୧୨:ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମାଲକାନଗିରିରେ ଆଇନଶୃଙ୍ଖଳା ପରିସ୍ଥିତି ଓ ମହାତ୍ମା ଗାନ୍ଧୀଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅରୁଚିକର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ।

ବିଜେଡି ଅଭିଯୋଗ କରିଛି,ମାଲକାନଗିରିରେ ହିଂସାକାଣ୍ଡ ଘଟଣା ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି । ଏ ଘଟଣାରେ ହସ୍ତକ୍ଷେପ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ବିଜେଡି । ସେହିଭଳି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏ ଘଟଣାରେ ପୋଲିସ ଡିଜି,ମହିଳା କମିଶନରଙ୍କ ନିକଟରେ ବିଜେଡି ଫେରାଦ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଯେଉଁଥି ପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବାକୁ ପଛାଇଲେ ନାହିଁ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ନିକଟରେ ବିଜେଡି ଦାବି କରିଛି ।

ସେପଟେ,ମାଲକାନଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ବିଭିନ୍ନ ଦିଗକୁ ତର୍ଜମା କରି ଫେରିବା ପରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ।

ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଛନ୍ତି, ଜିଲ୍ଲା ପ୍ରଶାସନ ଓ ଉଭୟ ସଂପ୍ରଦାୟ ସହ ଆଲୋଚନା ହୋଇଛି । ସେହି ଅନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଯାହା ଉଚିତ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବେ । ଉଭୟ ସଂପ୍ରଦାୟ ଶାନ୍ତି ଚାହୁଁଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ଅନେକ କାରଣ ରହିଛି । ସରଜମିନ ତଦନ୍ତ କରାଯାଇଛି । ଦୁଇ ସମ୍ପ୍ରଦାୟ ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହିତ ଆଲୋଚନା ହୋଇଛି । ସମସ୍ତେ ଶାନ୍ତି ଚାହୁଁଛନ୍ତି ।