ନିର୍ବାଚନ ପୂର୍ବରୁ ସନ୍ଦେଶଖାଲିରେ CBI ଏବଂ NSGର ବଡ଼ ଆକ୍ସନ, ତଦନ୍ତକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ମମତା ସରକାର

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସନ୍ଦେଶଖାଲି ପୁଣି ଥରେ ଚର୍ଚ୍ଚାକୁ ଆସିଛି । ନିର୍ବାଚନ ଠିକ୍ ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଶୁକ୍ରବାର ପୁଣି ଥରେ ଚଢଉ କରିଛି । ଯେଉଁଥିରେ କଥିତ ରୂପେ ଜଣେ ଟିଏମସି ନେତାଙ୍କ ସମ୍ପର୍କୀୟଙ୍କ ଘରୁ ବିପୁଳ ପରିମାଣରେ ହତିଆର ଏବଂ ଗୋଳା-ବାରୁଦ ଜବତ କରାଯାଇଛି । ଏହାପରେ ଘଟଣାସ୍ଥଳରେ ଏନଏସଜିର ବୋମା ସ୍କ୍ୱାଡ୍ ପହଞ୍ଚିଛି । ଅନ୍ୟପଟେ ସିବିଆଇର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ବେଙ୍ଗଲ ସରକାର ସୁପ୍ରିମକୋର୍ଟ ପହଞ୍ଚିଛି । ମମତା ସରକାର ହାଇକୋର୍ଟଙ୍କ ସେହି ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି, ଯେଉଁଥିରେ ସିବିଆଇକୁ ଚଢଉ ପାଇଁ ଅନୁମତି ଦିଆଯାଇଛି । ସୁପ୍ରିମକୋର୍ଟରେ ଜଷ୍ଟିସ୍ ବିଆର ଗଭଇଙ୍କ ପୀଠ ଏହି ଯାଚିକା ଉପରେ ଏପ୍ରିଲ ୨୯ରେ ଶୁଣାଣି କରିବେ ।

ଖବର ଅନୁସାରେ କେନ୍ଦ୍ରୀୟ ସୁରକ୍ଷା ବଳ ସହ ସିବିଆଇ ଅଧିକାରୀ, ସନ୍ଦେଶକାଲି ବ୍ଲକର ସରବେରିଆ ଅଞ୍ଚଳରେ ଚଢଉ ଅଭିଯାନ ପାଇଁ ପହଞ୍ଚିଛନ୍ତି । ସିବିଆଇକୁ ଠୋସ୍ ସୂଚନା ମିଳିଥିଲା । ସେହି ଆଧାରରେ ଅଧିକାରୀମାନେ ସୂଚନା ମିଳିଥିବା ଘରେ ଚଢଉ କରିଥିଲେ । ଚଢଉ ହୋଇଥିବା ଘର ମାଲିକ ସ୍ଥାନୀୟ ଟିଏମସି ପଞ୍ଚାୟତ ସଦସ୍ୟ ହଫିଜୁଲ ଖାନର ସମ୍ପର୍କିୟ ବୋଲି ଜଣାପଡ଼ିଛି । ସୂତ୍ର ଅନୁସାରେ, ଘର ଭିତରେ ବିପୁଳ ମାତ୍ରାରେ ବୋମା ରଖାଯାଇଥିଲା । ସିବିଆଇ ଅପରେସନକୁ ସୁବିଧାଜନକ କରିବା ପାଇଁ ଏକ ବୋମା ସ୍କ୍ରିନିଂ ଉପକରଣ ମଧ୍ୟ ଲଗାଇଥିଲା । ବିପୁଳ ମାତ୍ରାରେ ହତିଆର ଏବଂ ବୋମା ମିଳିବା ପରେ ଅଧିକାରୀମାନେ ଏହି ସୂଚନା ବରିଷ୍ଠ ଅଧିକାରୀଙ୍କୁ ଦେଇଛନ୍ତି । 

ଅନ୍ୟପଟେ ଟିଏମସି ଏହି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛି । ଟିଏମସି ମୁଖପାତ୍ର କୁଣାଳ ଘୋଷ କହିଛନ୍ତି ଯେ ସନ୍ଦେଶଖାଲି ପ୍ରସଙ୍ଗକୁ ଚର୍ଚ୍ଚାରେ ରଖିବା ପାଇଁ ଏକ ସୁନିୟୋଜିତ ଷଡଯନ୍ତ୍ର ଅଧିନରେ ଦିଲ୍ଲୀରେ ନାଟକୀୟ ଗତିବିଧି କରି ମତଦାନକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.