ଲୋକସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୬୧%ରୁ ଅଧିକ ଭୋଟିଂ, ଆସାମରେ ସବୁଠୁ ଅଧିକ

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟ ଗୁଜରାଟ ସମେତ ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆଜିର ଭୋଟିଂ ସହ ୨୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ୨୮୩ ଲୋକସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ଡାଟା ଅନୁସାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସଂଧ୍ୟା ୮ଟା ସୁଦ୍ଧା ୬୧.୫ ପ୍ରତିଶତ ଭୋଟିଂ ହୋଇଛି । 

ନିର୍ବାଚନ ଆୟୋଗଙ୍କ ଡାଟା ଅନୁସାରେ ତୃତୀୟ ପର୍ଯ୍ୟାୟରେ ଆସାମରେ ସର୍ବାଧିକ ୭୫.୩୦ ପ୍ରତିଶତ ମତଦାନ ହୋଇଛି । ତେବେ ରାଜ୍ୟରେ ଭୋଟିଂ ପ୍ରତିଶତ ଆହୁରି ଅଧିକ ହୋଇପାରେ । କାରଣ ସଂଧ୍ୟା ୬ଟା ପରେ ମଧ୍ୟ ଅନେକ ଭୋଟର ପୋଲିଂ ବୁଥରେ ଲାଇନ୍ ଲଗାଇ ନିଜ ପାଳି ପାଇଁ ଅପେକ୍ଷା କରିଥିଲେ । ସେହିପରି ପଶ୍ଚିମବଙ୍ଗରେ ପ୍ରାୟ ୭୩.୯ ପ୍ରତିଶତ ଭୋଟିଂ ହୋଇଛି । 

ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଦତ୍ତ ଡାଟା

ତୃତୀୟ ପର୍ଯ୍ୟାୟରେ ଛତିଶଗଡ଼ର ୧୧ ଆସନ ମଧ୍ୟରୁ ସାତରେ ମତଦାନ ହୋଇଛି । ମଙ୍ଗଳବାର ରାଜ୍ୟରେ ୬୬.୯୯ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି । ସେହିପରି ମଧ୍ୟପ୍ରଦେଶର ୯ ଲୋକସଭା ଆସନ ପାଇଁ ହୋଇଥିବା ଭୋଟରେ ୬୩.୧୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୧ ଆସନ ପାଇଁ ମତଦାନ ହୋଇଛି । ଏଠି ୫୪.9୮ ପ୍ରତିଶତ ଭୋଟ ରେକର୍ଡ କରାଯାଇଛି । ଗୁଜରାଟର ସମସ୍ତ ଲୋକସଭା ଆସନ ପାଇଁ ମତଦାନ ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ଡାଟା ଅନୁସାରେ ରାଜ୍ୟରେ ୫୬.୮୩ ପ୍ରତିଶତ ମତଦାନ ହୋଇଛି । ସେହିପରି ବିହାରର ୫ ଲୋକସଭା ଆସନରେ ୫୬ ପ୍ରତିଶତ, ଉତ୍ତର ପ୍ରଦେଶର ୧୦ ଆସନରେ ୫୭.୩୪ ପ୍ରତିଶତ, କର୍ଣ୍ଣାଟକର ୧୪ ଆସନରେ ୬୭.୭୬ ପ୍ରତିଶତ ଭୋଟ ହୋଇଛି ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.