LIVE TV

ସ୍ବଦେଶୀ ଫାଇଟର ଜେଟ୍ ‘ତେଜସ୍’ ସଂପର୍କରେ ୫ ବଡ଼ ତଥ୍ୟ, ଦୁବାଇ ଏୟାର ଶୋ’ରେ କ୍ରାସ୍ ପରେ ଚର୍ଚ୍ଚା

NEWS7
national-conference-leader-farooq-abdullah-requests-pm-modi-to-allow-restoration-of-4g

ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ଇତିହାସରେ ଆଜି (ଶୁକ୍ରବାର) ଦ୍ବିତୀୟ ଥର ଲାଗି ଦୁର୍ଘଟଣାଗ୍ରସ୍ତ ହୋଇଛି ତେଜସ୍ ଲଢ଼ୁଆ ବିମାନ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ୍ ଆଜି ଦୁବାଇରେ ଆୟୋଜିତ ଏୟାର ଶୋ’ରେ କ୍ରାସ୍ ହୋଇଯାଇଛି । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ଏଚଏଲ) ତିଆରି କରୁଥିବା ଏହି ତେଜସ୍ କ୍ରାସ ହୋଇଯିବା ପରେ ଏହାର ଦକ୍ଷତାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜି ଏହି ଲଢ଼ୁଆ ବିମାନ ଦୁର୍ଘଟଣାରେ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିବା ନେଇ ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପଛରେ ଥିବା ପ୍ରକୃତ କାରଣ ଜଣାପଡ଼ି ନାହିଁ । ଏହା ପୂର୍ବରୁ ୨୦୨୪ରେ ତେଜସ୍ ବିମାନ ରାଜସ୍ଥାନର ଜୈସାଲମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଲଗାତାର ଦୁଇ ବର୍ଷରେ ଦୁଇ ଥର ତେଜସ୍ ବିମାନ ଦୁର୍ଘଟଣା ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ଏହି ଦୁଇଟି ଦୁର୍ଘଟଣାକୁ ନେଇ ତେଜସ୍ର ଦକ୍ଷତା ଉପରେ ପ୍ରଶ୍ନ କରିବା ଯୁକ୍ତିସଙ୍ଗତ ହେବ ନାହିଁ ବୋଲି କୁହାଯାଉଛି । କାରଣ ୨୦୦୧ରେ ପ୍ରଥମ ଉଡ଼ାଣ ଭରିଥିବା ସ୍ବଦେଶୀ ଫାଇଟର ଜେଟ୍ ଦୀର୍ଘ ୨୪ ବର୍ଷ ଧରି ନିଜର ଦକ୍ଷତା ଦେଖାଇ ଆସିଛି । ଯଦିଓ ୨୦୦୧ରୁ ଉଡ଼ାଣ ଭରିବା ଆରମ୍ଭ କରିଥିଲା ତେଜସ୍, କିନ୍ତୁ ୨୦୧୬ରେ ବାୟୁସେନା ଏବଂ ନୌସେନାରେ ସାମିଲ ହୋଇଥିଲା ।

ତେଜସ୍ ଯୁଦ୍ଧ ବିମାନ ବିଷୟରେ ୫ଟି ପ୍ରମୁଖ ତଥ୍ୟ:୧. ସ୍ୱଦେଶୀ ଜ୍ଞାନରେ ବିକଶିତ ତେଜସ୍ ଏକ ହାଲୁକା ଯୁଦ୍ଧ ବିମାନ। ଗୋଟିଏ ସିଟ ଏବଂ ଗୋଟିଏ ଇଞ୍ଜିନ୍ ବିଶିଷ୍ଟ ଫାଇଟର ଜେଟ୍। ଭାରତୀୟ ବାୟୁସେନା ଦୁଇ-ସିଟ୍ ବିଶିଷ୍ଟ ଟ୍ରେନିଂ ବିମାନ ବ୍ୟବହାର କରେ। ଭାରତୀୟ ନୌସେନା ମଧ୍ୟ ଦୁଇ-ସିଟ୍ ବିଶିଷ୍ଟ ତେଜସ୍ ଜେଟ୍ ବ୍ୟବହାର କରେ। ଏହା ୨୦୦୧ରେ ପ୍ରଥମ ଉଡ଼ାଣ ଭରିଥିଲା । ସେହିଭଳି ଦ୍ବିତୀୟ ସିରିଜ୍ର ପ୍ରଥମ ବିମାନ ମାର୍ଚ୍ଚ ୨୨, ୨୦୧୬ରେ ଉଡ଼ିଥିଲା ।

୨. ତେଜସ୍ ବିମାନ ୪ ହଜାର କେଜିର ଯୁଦ୍ଧାସ୍ତ୍ର ଏବଂ ସାମଗ୍ରିକ ଭାବରେ ମୋଟ ୧୩,୩୦୦ କେଜି ଓଜନ୍ ନେଇ ଉଡ଼ାଣ ଭରିବାର କ୍ଷମତା ରଖିଛି । ହାଲୁକା ଏବଂ ଗୋଟିଏ ଇଞ୍ଜିନରେ ପରିଚାଳିତ ତେଜସ୍ ଯୁଦ୍ଧ ବିମାନର ଦକ୍ଷତା ବହୁତ ବେଶୀ ।

୩. ମଲ୍ଟି ରୋଲ୍ ଫାଇଟର ଜେଟ୍ ତେଜସ୍, ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାରେ ପାରଙ୍ଗମ । ୪.୫ ଜେନେରେସନ୍ର ଏହି ଯୁଦ୍ଧ ବିମାନ ସ୍ଥଳରେ ଥିବା ସେନ୍ୟମାନଙ୍କୁ ଏୟାର ସପୋର୍ଟ ଦେବା ଲାଗି ଡିଜାଇନ୍ କରାଯାଇଛି ।

୪. ତେଜସ୍ ଯୁଦ୍ଧ ବିମାନକୁ ପ୍ରଥମେ ୨୦୧୬ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ନମ୍ବର ୪୫ ସ୍କ୍ବାର୍ଡନରେ ‘ଫ୍ଲାଇଂ ଡାଗର୍ସ’ ନାଁରେ ସାମିଲ ହୋଇଥିଲା ତେଜସ୍ ।

୫. ‘ମେକ୍ ଇନ ଇଣ୍ଡିଆ’ କ୍ୟାମ୍ପେନ୍ ଅଧୀନରେ ଭାରତ ସରକାର ଚଳିତ ବର୍ଷ ଅଗଷ୍ଟରେ ବାୟୁସେନା ଲାଗି ଆଉ ୯୭ଟି ତେଜସ୍ ମାର୍କ-୧ଏ ଜେଟ୍ କ୍ରୟକୁ ଅନୁମୋଦନ କରିଥିଲେ । ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀକୁ ବେଶ ପ୍ରୋତ୍ସାହିତ କରିଥିଲା ସରକାରଙ୍କ ଏହି ପଦକ୍ଷେପ ।

ତେଜସ୍ Mk1A ହେଉଛି ଏକ ୪.୫ ପିଢ଼ିର ମଲ୍ଟି-ରୋଲ୍ ଯୁଦ୍ଧ ବିମାନ। ଏହାର ଅର୍ଥ, ଏହା ବାୟୁ, ସ୍ଥଳ ଏବଂ ସମୁଦ୍ରରେ ଆକ୍ରମଣ କରିବାକୁ ସକ୍ଷମ। ଏହା ଛୋଟ ରନୱେରେ ମଧ୍ୟ ସହଜରେ ଅବତରଣ ଏବଂ ଉଡ଼ାଣ କରିପାରିବ । ଭାରତ ତେଜସ୍ ଏମକେ-୧ଏ ପରେ ତେଜସ୍ ଏମକେ-୨ ଉପରେ କାମ କରୁଛି। ଏହାର ପ୍ରଥମ ପରୀକ୍ଷଣ ୨୦୨୬ ମସିହାରେ ହେବ ବୋଲି ଆଶା କରାଯାଉଛି। ଏହାର ପ୍ରଥମ ଉଡ଼ାଣ ସେହି ବର୍ଷ ଶେଷ କିମ୍ବା ୨୦୨୭ ପ୍ରାରମ୍ଭରେ ହେବ ବୋଲି କୁହାଯାଉଛି । ଏହାକୁ ଶତ୍ରୁର ଯୁଦ୍ଧ ବିମାନକୁ ଟ୍ରାକ୍ ଏବଂ ଧ୍ୱଂସ କରିବା ପାଇଁ ଡିଜାଇନ୍ କରାଯାଉଛି।