ବିଭିନ୍ନ ଶୈବପୀଠରେ ଭକ୍ତିମୟ ପରିବେଶ, ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

NEWS7
narendra-modi-and-other-leaders-launched-mahatma-gandhis-postal-stamp-at-uns-head-quarter

ଭୁବନେଶ୍ୱର ୧୫।୦୨ : ରବିବାର ପବିତ୍ର ମହାଶିବରାତ୍ରୀ ପାଇଁ ଶିବ ପଞ୍ଚାକ୍ଷରରେ ଗୁଞ୍ଜରିତ ହୋଇଉଛି ଏକାମ୍ର କ୍ଷେତ୍ର । ଏହି କ୍ଷେତ୍ରର ଅଧିଷ୍ଠାତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଛୁଟି ଆସିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଉପବାସ ରଖି ଉପାସନା କରିବେ, ଉଜାଗର ରହି ଜାଗର ଦୀପ ଜାଳିବେ । ଜପ, ତପ, ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ତଲ୍ଲୀନ ହେବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଲୋକେ ଭୋର ସାଢ଼େ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ । ପରେ ଦିନ ତମାମ ଆଡ଼କାଠ ଦର୍ଶନ ଦେବେ ମହାପ୍ରଭୁ ଲିଙ୍ଗରାଜ । ଅପରାହ୍ଣ ୩ଟା ୪୫ ଏବଂ ରାତି ୧୦ଟାରେ ମହାଦୀପ ଉଠିବା ପରେ ମଧ୍ୟ ଘଣ୍ଟାଏ ଲେଖାଏଁ ସାହାଣମେଲା ଦର୍ଶନ। ସେହିପରି ଚାରି ପ୍ରହର ପୂଜା, ହରିହର ଭେଟ ଏବଂ ବଡ଼ସିଂହାର ବେଶ ଓ ପହୁଡ଼ ଆଦି ନୀତି ସୋମବାର ଭୋର ସାଢ଼େ ୫ଟାରେ ବଢ଼ିବ । ଏଥର ମହାଦୀପ ଦର୍ଶନ ନିମନ୍ତେ ରାଜ୍ୟପାଳ ହରୀବାବୁ କୁମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀ, ସାଂସଦ ଆଉ ବିଧାୟକ ଆସିବେ ।

ଭିଆଇପି ପ୍ରଥା ଉପରେ ରୋକ ଲଗାଇବାକୁ ଏଥର ପାସ୍ ସଂଖ୍ୟା ହ୍ରାସ କରାଯାଇଛି । ଯାହା ବି ଅଳ୍ପ ପାସ ପ୍ରଚଳନ ହୋଇଛି, ସେଥିରେ ଗୋଟିଏ ଥର ବ୍ୟବହାର ପାଇଁ କ୍ୟୁଆର କୋଡ ଭଳି ନୂଆ ଏବଂ ଆଧୁନିକ ବୈଷୟିକ ବ୍ୟବସ୍ଥା ହୋଇଛି । ସବୁ ପ୍ରକାର ଗଳା ବାଟରୁ ଅନୁପ୍ରବେଶ ରୋକାଯିବ । ବିଶେଷ କରି ଦକ୍ଷିଣି ଘର(ଚଳନ୍ତି ବିଗ୍ରହ)ମନ୍ଦିର ବାଟ ଦେଇ କାହାରିକୁ ଗର୍ଭଗୃହକୁ ଛଡ଼ା ଯିବ ନାହିଁ । ସମଗ୍ର ଅଞ୍ଚଳକୁ ସିସି କ୍ୟାମେରାରେ ନଜର ରଖାଯିବ । ସୁରକ୍ଷା ନିମନ୍ତେ ୪୧ ପ୍ଳାଟୁନ ଫୋର୍ସ ସହ ୪ଡିସିପି, ୪ ଆଡିସିନାଲ ଡିସିପି, ୧୬ ଏସିପି, ୩୩ ଇନ୍ସପେକ୍ଟର, ୧୧୯ ଜଣ ଏସ୍ଆଇ ଓ ଏଏସ୍ଆଇ, ୯୬ଜଣ ମହିଳା କନଷ୍ଟେବଳ ଏବଂ ୫୮ ଜଣ ହୋମଗାର୍ଡ ନିୟୋଜିତ ହୋଇଛନ୍ତି।

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ତରଫରୁ ଜାତୀୟ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଗାୟିକା ଅନୁରାଧା ପଡୱାଲ ଓ ନୀତିନ ମୁକେଶଙ୍କ ସମେତ ଓଡିଶାର ଅନେକ ପ୍ରତିଷ୍ଠିତ କଳାକାର ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ସଂଗୀତ ସଂଯୋଜନାରେ ଭଜନ ପରିବେଷଣ କରିବେ ।

ଏଥର ମହାଦୀପ ଉଠିବାରେ ଯେମିତି କୌଣସି ଅଘଟଣ ନଘଟିବ ସେଥିପାଇଁ ବିହିତ ପଦକ୍ଷେପ ନିଆଯାଇଛି । ମହାଦୀପ ପରିକ୍ରମା କରାଯାଉଥିବା ତଳ ଚଟାଣକୁ ବ୍ୟାରିକେଡ କରି ନିଷିଦ୍ଧାଞ୍ଚଳ କରି ଦିଆଯାଇଛି । ବ୍ରାହ୍ମଣ ନିଯୋଗର ମେକାପ ମହାଦୀପ ମଶାଲରେ କେବଳ ଆବଶ୍ୟକ ପରିମାଣର ଘିଅ ଢାଳିବା ବ୍ୟତୀତ ଅତିରିକ୍ତ ଘିଅ ଶ୍ରଦ୍ଧାଳୁଙ୍କଠାରୁ ନେଇ ଢାଳିବେ ନାହିଁ । ମଶାଲ ହସ୍ତାନ୍ତର ଓ ବେଢ଼ା ପରିକ୍ରମା ପାଇଁ ସେବାୟତ ଭିଡ଼ ଜମାଇବେ ନାହିଁ କି ଟଣାଓଟରା ହେବେ ନାହିଁ ।

ଏସବୁ ଚେତାବନୀ ଏବଂ ବିଧି ସମ୍ପର୍କରେ ପାଳିଆ ସମର୍ଥା ସେବାୟତ ସୁଜିତ ସମର୍ଥାଙ୍କୁ ନିଯୋଗର ସଭାପତି ରାଜେନ୍ଦ୍ର ସମର୍ଥା ଜଣାଇ ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ନିମନ୍ତେ ସୁରକ୍ଷିତ ଧାଡ଼ି ଦର୍ଶନ, ପିଇବା ପାଣି ବୋତଲ ଓ ପାଣି ଟ୍ୟାଙ୍କର, ଜରୁରିକାଳୀନ ସମସ୍ତ ହସ୍ପିଟାଲ ସେବା, ଅଗ୍ନିଶମ ସେବା, ଶୌଚାଳୟ, ଯାତାୟାତ ପାଇଁ କ୍ରୁଟ୍ ତରଫରୁ ଅତିରିକ୍ତ ବସ୍ ସେବା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗୁରୁତ୍ୱ ସୂଚନା ସହ ଶିବ ସ୍ତୋତ୍ର ଭଜନ ଜଣାଣ ଆଦି ବ୍ୟବସ୍ଥା ହୋଇଛି ।