ବଜେଟ୍ ୨୦୨୬-୨୭: ଅର୍ଥଶାସ୍ତ୍ରୀଙ୍କ ସହ 'ପ୍ରି-ବଜେଟ୍' ବୈଠକ କରିବେ ପିଏମ୍ ମୋଦୀ, ଟାରିଫ୍ ଓ ବୈଶ୍ୱିକ ଆହ୍ୱାନ ଉପରେ ନଜର

NEWS7
narayana-murthy-touched-ratan-tata-foot-on-the-stage-while-honor-him-lifetime-achievement-award

ନୂଆଦିଲ୍ଲୀ: ଦେଶର ଆଗାମୀ ବଜେଟ୍ ୨୦୨୬-୨୭ର ରୂପରେଖ ଓ ପ୍ରାଥମିକତାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି । ଏହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶର ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ଓ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଫେବ୍ରୁଆରୀ ୧ରେ ଆଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟ୍ ପୂର୍ବରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଭାରତୀୟ ଅର୍ଥବ୍ୟବସ୍ଥା ବର୍ତ୍ତମାନ ଜଟିଳ ବୈଶ୍ୱିକ ପରିସ୍ଥିତିର ସାମନା କରୁଛି ।

ସରକାରୀ ସୂତ୍ର ଅନୁସାରେ ଏହି ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ, ସିଇଓ ବି.ଭି.ଆର.ସୁବ୍ରମଣ୍ୟମ ଓ ଆୟୋଗର ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଏହି ଆଲୋଚନା ମାଧ୍ୟମରେ ବିକାଶ ହାରକୁ ଗତି ପ୍ରଦାନ କରିବା, ରାଜକୋଷୀୟ ସମୀକରଣ ଓ ରୋଜଗାର ସୃଜନ ପାଇଁ ବିଶେଷଜ୍ଞଠାରୁ ପରାମର୍ଶ ଲୋଡ଼ିବେ ।

ବିଶେଷଜ୍ଞଙ୍କ ମତରେ ଏହି ବୈଠକର ମୁଖ୍ୟ ବିନ୍ଦୁ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ମଜଭୁତ ଓ ରପ୍ତାନୀ ଏବଂ ବିନିର୍ମାଣ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇର ଭୂମିକା ବଢାଇବା ଉପରେ ହୋଇପାରେ । ଏହା ବ୍ୟତୀତ ଗ୍ରାମୀଣ ଚାହିଦାରେ ସୁଧାର ଓ କୃଷି ମୂଲ୍ୟ ଶୃଙ୍ଖଳାର ଆଧୁନିକୀକରଣ ଉପରେ ଚର୍ଚ୍ଚା ହୋଇପାରେ । ଏହି ସମୟରେ ପୁଞ୍ଜିଗତ ବ୍ୟାୟ (କ୍ୟାପିଟାଲ୍ ଏକ୍ସପେଣ୍ଡିଚର) ଜରିଆରେ ଦୀର୍ଘକାଳୀନ ବିକାଶର ମୂଳଦୁଆ ପକାଇବା ଉପରେ ଆଲୋଚନା ହୋଇପାରେ ।

ବଜେଟ୍ ୨୦୨୬-୨୭ ଏପରି ସମୟରେ ପ୍ରସ୍ତୁତ ହେବାକୁ ଯାଉିଛ, ଯେତେବେଳେ ବୈଶ୍ୱିକ ଭୂ-ରାଜନୀତିକ ସମୀକରଣ ଦ୍ରୁତ ଗତିରେ ବଦଳିବାରେ ଲାଗିଛି । ସବୁଠୁ ବଡ଼ ଆହ୍ୱାନ ଆମେରିକା ପଟୁ ଭାରତୀୟ ଶିପମେଣ୍ଟ ଉପରେ ଲଗାଯାଇଥିବା ୫୦ ପ୍ରତିଶତର ବଡ଼ ଟାରିଫରୁ ସୃଷ୍ଟି ହୋଇଛି । ଆର୍ଥିକ ବିଶେଷଜ୍ଞଙ୍କ ଯୁକ୍ତି ଯେ ଆମେରିକାର ଏହି ଏକତରଫା ପଦକ୍ଷେପରୁ ଭାରତୀୟ ରପ୍ତାନକାରୀ, ବିଶେଷ କରି କପଡ଼ା, ଆଇଟି ଓ ଇଞ୍ଜିନିୟରିଂ କ୍ଷେତ୍ର ଉପରେ ଚାପ ବଢିପାରେ । ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଏହା ଉପରେ ଗଭୀର ଭାବରେ ଆଲୋଚନା ହୋଇପାରେ ।

ନୀତି ଆୟୋଗ ମଧ୍ୟ ଏହି ବୈଠକରେ ବିକାଶର ବିଭିନ୍ନ ମଡେଲ ଉପରେ ନିଜ ପ୍ରସ୍ତୁତିର ବିବରଣୀ ଦେଇପାରେ । ସରକାରଙ୍କ ନଜର କେବଳ ଜିଡିପି ସଂଖ୍ୟା ଉପରେ ନାହିଁ, ବରଂ ସମାବେଶୀ ବିକାଶ ଉପରେ ମଧ୍ୟ ଅଛି । ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ହେଉଥିବା ପରିବର୍ତ୍ତନରୁ ଭାରତ କିପରି ଭାବେ ଅଧିକ ଲାଭ ଉଠାଇ ପାରିବ ସେ ବାବାଦରେ ମତାମତ ନିଆଯିବ ।