ଶବ ଦାହ ଲାଗି ନାହିଁ ପିଣ୍ଡି ଅଭାବ: ଚଟାଣରେ ଗଡାଇ ଜଗୁଛନ୍ତି, ସର୍ବସାଧାରଣ ସ୍ଥାନରେ ପାର୍କିଂ

NEWS7
nandankanan-authority-prepared-to-reopen-for-public-on-21st-may

ପୁରୀ ୨୯/୦୧: ନା ଅଛି ଶବକୁ ସମ୍ମାନ ନା ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କୁ ଆଶ୍ୱାସନା । ଦିନକୁ ଦିନ ସ୍ୱର୍ଗଦ୍ୱାରରେ ଶବ ଦାହ ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଛି । ସ୍ୱର୍ଗଦ୍ୱାରରେ ଶବ ଦାହ ହେଲେ ମୃତକଙ୍କ ସ୍ୱର୍ଗପ୍ରାପ୍ତି ହୁଏ ବିଶ୍ୱାସ ରହିଛି । ଏଣୁ କେବଳ ଓଡ଼ିଶା କାହିଁକି ଦେଶର ବିଭିନ୍ନ ପ୍ରାନ୍ତରୁ ଆତ୍ମୀୟଙ୍କ ଶେଷକୃତ୍ୟ ପାଇଁ ସ୍ୱର୍ଗଦ୍ୱାରକୁ ଆସୁଛନ୍ତି । ଏଭଳି ସ୍ଥିତିରେ ସ୍ୱର୍ଗଦ୍ୱାରର ସ୍ଥିତି ଅସମ୍ଭାଳ ହୋଇଛି । ତିନି ମାସ ହେଲା ସ୍ୱର୍ଗଦ୍ୱାରରେ ଶବ ଦାହ  ସଂଖ୍ୟା ୩ ଗୁଣ ହୋଇ ଦିନକୁ ୧୩୫ ଭଳି ଶବ ଦାହ ହେଉଛି ।

ଶବ ରଖିବାକୁ ପିଣ୍ଡି ଅଣ୍ଟୁନି କି ଦାହସ୍ଥଳୀ । ଏଣୁ ଶବକୁ ଚଟାଣରେ ଗଡ଼ାଇ ଦାହ ପାଇଁ ଘଣ୍ଟା ଘଣ୍ଟା କାଳ ଜଗି ରହୁଛନ୍ତି  ଆତ୍ମୀୟ । ଏପଟେ ନିୟମିତ କାଠର ଅଭାବ ମଧ୍ୟ ଦେଖାଗଲାଣି । ଏଣୁ ସ୍ୱର୍ଗଦ୍ୱାରରେ ଶବ ଦାହ ପାଇଁ ଲୋକେ ଇଲେକ୍ଟ୍ରି ଚୁଲା ଖୋଜିଲେଣି । ସ୍ୱର୍ଗଦ୍ୱାରରେ ବିଦ୍ୟୁତ୍‌ ଚୁଲାର ବ୍ୟବସ୍ଥା ଥିଲେ ହୁଏତ କିଛି ବ୍ୟକ୍ତି ଏହି ସୁବିଧା ହାତେଇ ଅଯଥା ଯନ୍ତ୍ରଣାରୁ ବର୍ତ୍ତିଯାନ୍ତେ ବୋଲି ମତ ଆସୁଛି । ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁ ସାଙ୍ଗକୁ ଦାହ ଯନ୍ତ୍ରଣା ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହେଉଛି ।

ଧର୍ମୀୟ ଭାବ ଧାରାରେ ହେଉ କି ସୁବିଧା ଦୃଷ୍ଟିରୁ ସ୍ୱର୍ଗଦ୍ୱାରରେ ଶବ ଦାହ ସଂଖ୍ୟା ମାତ୍ରାଧିକ ହୋଇଛି । ଚଳିତ ମାସ ୧୧ ତାରିଖରେ ସର୍ବାଧିକ ୧୪୦ ଛୁଇଁଥିଲା ଶବ ସଂଖ୍ୟା । ପୂର୍ବରୁ ଦିନକୁ ୫୦/୬୦ ରହୁଥିବା ସ୍ଥଳେ କିଛି ଦିନ ହେବ ନିୟମିତ ୧୩୦ ପାର କରିଯାଉଛି ସ୍ୱର୍ଗଦ୍ୱାରେ ଶବ ଦାହ ସଂଖ୍ୟା । ଏଥିରୁ ପୁରୀ ଜିଲ୍ଲାର ୨୫ ଭାଗ ଭଳି ହେଲେ ବାକି ଶବ ରାଜ୍ୟ ତଥା ରାଜ୍ୟ ବାହାରୁ । ସ୍ୱର୍ଗଦ୍ୱାରରେ ବ୍ୟବସ୍ଥା ଭଲ ଥିଲେ ସୁଦ୍ଧା ପିଣ୍ଡି ଖାଲି ହେଲେ କିମ୍ବା ଦାହ ସ୍ଥଳୀ ଫାଙ୍କା ହେଲେ ଶବ ଦାହ ସେବା ମିଳିବ ।

ଏଣୁ ଅଧିକ ଶବ ପହଞ୍ଚିଲେ ପିଣ୍ଡି ପୂର୍ଣ୍ଣ ହୋଇ ଚଟାଣରେ ଶବ ଗଡ଼ାଇ ଜଗି ରହୁଛନ୍ତି । ଅଖିଆ ଅପିଆ କଲବଲ ସ୍ଥିତିରେ ଶହ ଶହ ଲୋକ ସ୍ୱର୍ଗଦ୍ୱାରରେ ପ୍ରତୀକ୍ଷା କରୁଛନ୍ତି । ଜଣେ ଜଣେ ୪/୫ ଘଣ୍ଟା ଅପେକ୍ଷା କଲା ପରେ ପୁଣି ଆଉ ୩/୪ ଘଣ୍ଟା ଲାଗୁଛି ଦାହ ପାଇଁ । କଳା ଧୂଆଁରେ ଆକ୍ତମାକ୍ତା ହେଉଛନ୍ତି । ମୃତକଙ୍କ ଯାବତୀୟ ବ୍ୟବହୃତ ଜିନିଷ ସାଙ୍ଗରେ ଆଣି ସ୍ୱର୍ଗଦ୍ୱାରରେ ଜମା କରିବା ସହ ଦୈନିକ ୫ଶହରୁ ୬ଶହ ବାଉଁଶ ବାହାରି ପରିମଳ ସ୍ଥିତି ବିଗିଡ଼ି ଯାଉଛି । ସୁବିଧା ପାଇବାକୁ ଆସି ଶେଷରେ ଦୁରାବସ୍ଥା ଭୋଗି ଫେରୁଛନ୍ତି ।

ଏପଟେ ସ୍ୱର୍ଗଦ୍ୱାର ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ନଥିବାରୁ ଲୋକେ ସର୍ବସାଧାରଣ ରାସ୍ତାରେ ଗାଡ଼ି ମୋଟର ରଖି କଲବଲ ହେବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି । କଟକର ମଙ୍ଗଳ କୁମାର ମହାନ୍ତି କୁହନ୍ତି, ଆମର ପାଳି ପଡ଼ିବାରେ ଦାହ ହେଲା । ଏସବୁ ପାଇଁ ୫ରୁ ୬ ଘଣ୍ଟା ଲାଗିଲା । ଏବେ ଅଧିକାଂଶ ସହରର ଶ୍ମଶାନରେ ବିଦ୍ୟୁତ୍‌ ଚୁଲାର ବ୍ୟବସ୍ଥା ହେଲାଣି । ଯେଉଁମାନେ ଚାହିଁବେ ସେଥିରେ ଦାହ କରିପାରିବେ । ଏବେ ମହାପ୍ରଭୁଙ୍କ ରଥ ତିଆରି ପାଇଁ କାଠର ଅଭାବ ପଡ଼ିଲାଣି ।

ସ୍ୱର୍ଗଦ୍ୱାର ପାଇଁ କୁଆଡ଼ୁ ଆସିବ କାଠ । ଆମେ ସେହି ଦିଗକୁ ଆଗଉଛେ । ଏଣୁ ସ୍ୱର୍ଗଦ୍ୱାରରେ ମଧ୍ୟ ବିଦ୍ୟୁତ୍‌ ଚୁଲା ରଖିବା କଥା । ବାପାଙ୍କ ଶବ ସତ୍କାର ପାଇଁ ଆସିଥିବା ହରିହର କୁହନ୍ତି, ସ୍ୱର୍ଗଦ୍ୱାରରେ ପଞ୍ଜୀକରଣ ସାରି ୪ ଘଣ୍ଟା ଅପେକ୍ଷା କଲା ପରେ ଆମକୁ ଶେଷକୃତ୍ୟ ପାଇଁ ଦାହସ୍ଥଳୀ ମିଳିଲା । ଆମେ ପୁରୀ ଲୋକ ଅପେକ୍ଷା କଲୁ, ଚଳିଗଲା । ଅନେକ ବ୍ୟକ୍ତି ଚାହୁଁଛନ୍ତି ବିଦ୍ୟୁତ୍‌ ଚୁଲାରେ ଦାହ କରି ଫେରିଯିବାକୁ । ଏଣୁ ସ୍ୱର୍ଗଦ୍ୱାରରେ ବିଦ୍ୟୁତ୍‌ ଚୁଲାର ବ୍ୟବସ୍ଥା ହେଲେ, ହୁଏତ ସେମାନେ ଅଯଥା କଷ୍ଟ ନଭୋଗି କାର୍ଯ୍ୟ ସାରି ଫେରିପାରିବେ ।

ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବା ସମିତିର ସମ୍ପାଦକ ରାଜକିଶୋର ଜେନା କୁହନ୍ତି, ଏହା ଏକ ଗମ୍ଭୀର ସମସ୍ୟା । ଏହାର ସମାଧାନ ପାଇଁ ପ୍ରୟାସ ଚାଲିଛି । ଆମେ ସ୍ୱର୍ଗଦ୍ୱାରରେ ‘ସ୍ୱତନ୍ତ୍ର କାଠ ଚୁଲା’ ସ୍ଥାପନ କରିବାକୁ ଉଦ୍ୟମ କରୁଛୁ । ଏଥିରେ ଇନ୍ଧନ ରହିବ କାଠ । ଯେଉଁଥିରେ ଉତ୍ତାପ ସଂରକ୍ଷଣ ସହିତ ଦାହରେ ଅଧିକ କାଠ ସରିବନି । କମ୍‌ ସମୟରେ ମଧ୍ୟ ଦାହ ହୋଇପାରିବ । ବ୍ରହ୍ମପୁର ଯାଇ ଏହାର କାର୍ଯ୍ୟକାରିତା ଅନୁଧ୍ୟାନ କରିଛନ୍ତି ସ୍ୱର୍ଗଦ୍ୱାର ପଦାଧିକାରୀ ।

ଆଗେ ଦୁଇ ଚାରିଟି ପରୀକ୍ଷା ପାଇଁ ଲଗାଯିବ । ସ୍ୱର୍ଗଦ୍ୱାରରେ ଏହାର ପରୀକ୍ଷଣ ସଫଳ ହେଲେ ଅଧିକ ଲାଗିବ । ଏଥିରେ କାହାରି ଧର୍ମ ଭାବନାକୁ ଆଘାତ ନପହଞ୍ଚିବା ସହ ଏବେକା ସମସ୍ୟାର ଆଶୁ ସମାଧାନ ହୋଇପାରିବ । ସ୍ୱର୍ଗଦ୍ୱାର ପାର୍କିଂ ପାଇଁ ସ୍ଥାନ ନାହିଁ । ହେଲେ ସ୍ୱର୍ଗଦ୍ୱାର ଉଭୟ ପାଶ୍ୱର୍ରେ ଯାତ୍ରିକା ଓ ଦିଗବାରେଣୀ ପାର୍କିଂ ରହିଛି । ଲୋକେ ସର୍ବସାଧାରଣ ରାସ୍ତାରେ ଗାଡ଼ି ନରଖି ଉକ୍ତ ଦୁଇ ପାର୍କିଂରେ ରଖିପାରିବେ ।