LIVE TV

ବିଶ୍ୱବ୍ୟାଙ୍କ ଋଣୀଙ୍କ ତାଲିକାର ପ୍ରଥମ ସ୍ଥାନରେ ଭାରତ, ଜାଣନ୍ତୁ ଦେଶ ଉପରେ ଋଣ ବୋଝ କେତେ?

NEWS7
nam-summit-begins-on-coronavirus-pm-modi-present-via-video-conferencing

ନୂଆଦିଲ୍ଲୀ ୧।୧୦: ଭାରତ ଏବେ ୱାର୍ଲଡ ବ୍ୟାଙ୍କର ସବୁଠୁ ବଡ଼ ଋଣୀ ଦେଶ ପାଲଟିଛି। ୱାର୍ଲଡ ବ୍ୟାଙ୍କ ପକ୍ଷରୁ ନିକଟରେ ଜାରି ରିପୋର୍ଟରୁ ଏହା ଜଣାପଡିଛି। ଭାରତ ଉପରେ ମୋଟ ୨୪.୪ ବିଲିୟନ ଡଲାର (ପାଖାପାଖି ୨ଲକ୍ଷ କୋଟି ଟଙ୍କାରୁ ଅଧିକ) ଋଣ ରହିଛି। ଋଣୀ ଦେଶଙ୍କ ସୂଚୀର ପ୍ରଥମ ସ୍ଥାନରେ ଭାରତ ରହିଛି। ପଛକୁ ୨୧.୩ ବିଲିୟନ ଡଲାର ଋଣ ସହ ଇଣ୍ଡୋନେସିୟା ଦ୍ୱିତୀୟ ସ୍ଥାନରେ ରହିଛି। ବିକାଶଶୀଳ ଦେଶଙ୍କ ନିମନ୍ତେ ୱାର୍ଲଡ ବ୍ୟାଙ୍କ ଋଣ ଆର୍ଥିକ ବିକାଶ ଓ ଭିତ୍ତିଭୂମି ନିର୍ମାଣରେ ସହାୟକ ହୋଇଥାଏ।

ରିପୋର୍ଟରେ ଭାରତ ଓ ଇଣ୍ଡୋନେସିୟା ପଛକୁ ୧୬.୬ ବିଲିୟନ ଡଲାର ଋଣ ସହ ୟୁକ୍ରେନ ତୃତୀୟ ସ୍ଥାନରେ ଥିବା ବେଳେ  ପଛକୁ କଲମ୍ବିୟା, ବ୍ରାଜିଲ, ଫିଲପାଇନସ୍, ଚୀନ୍, ମେକ୍ସିକୋ, ତୁର୍କିୟେ ଓ ଆର୍ଜେଣ୍ଟିନା ଆଦି ଦେଶ ରହିଛନ୍ତି। ତେବେ ଭାରତ ଆଗରେ ଦାରିଦ୍ର୍ୟ ଦୂରିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ, ଶକ୍ତି ଓ ଜଳ ପ୍ରବନ୍ଧନ ଭଳି ଅନେକ ବଡ଼ ଲକ୍ଷ୍ୟ ରହିଛି। ଏଥି ଲାଗି ଭାରତ ସରକାର ବିଭିନ୍ନ ଯୋଜନା ହାତକୁ ନେଉଥିବା ବେଳେ ବିପୁଳ ଅର୍ଥର ଆବଶ୍ୟକ ରହିଛି। ଦେଶର ଟ୍ୟାକ୍ସ ଓ ଘରୋଇ ରାଜସ୍ୱରୁ ଏହା ପୂରଣ କରିବା ସମ୍ଭବ ନୁହେଁ। ଏଣୁ ସରକାର ଅନ୍ତର୍ଜାତୀୟ ସଂସ୍ଥାଙ୍କଠାରୁ ଋଣ ଆଣିଛନ୍ତି।

ଭାରତ ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥ ବ୍ୟବସ୍ଥା ଓ ଦ୍ରୁତ ବିକାଶ କରୁଛି। ହେଲେ ବଢୁଥିବା ଋଣ ବୋଝ ଭବିଷ୍ୟତରେ ସରକାରଙ୍କ ଆର୍ଥିକ ସ୍ଥିତି ଉପରେ ଚାପ ସୃଷ୍ଟି କରିପାରେ। ତେବେ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯଦି ଉତ୍ପାଦକ ଯୋଜନା ପାଇଁ ଋଣ ହୋଇଥାଏ ଏହା ଦେଶର ଜଡିପିକୁ ପ୍ରୋତ୍ସାହିତ କରିବ ଓ ରୋଜଗାରର ନୂଆ ଅବସର ସୃଷ୍ଟି କରିବ। କିନ୍ତୁ ଯଦି ଦେଶର କ୍ଷତି ଭରଣା ପାଇଁ ଏହି ଋଣ ରାଶି ଉପଯୋଗ ହେଉଥାଏ ତେବେ ଦେଶ ଉପରେ ଋଣ ବୋଝ ଆହୁରି ବଢିଯିବ।

ଏଣୁ ଭାରତ ଲାଗି ଏହା ଜରୁରି ଯେ ଋଣକୁ କେବଳ ବିକାଶ ପ୍ରକଳ୍ପରେ ଉପଯୋଗ କରିବା। ଏହା ଦ୍ୱାରା ଦେଶର ଉତ୍ପାଦକତା ଓ ଅର୍ଥ ବ୍ୟବସ୍ଥା ଉପରେ ସକରାତ୍ମକ ପ୍ରଭାବ ପଡିବ। ଏଣୁ ସରକାରଙ୍କୁ ଘରୋଇ ନିବେଶ, କର ସଂଗ୍ରହ ଓ ରପ୍ତାନୀ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏହା ଦ୍ୱାରା ଭବିଷ୍ୟତରେ ଋଣ ଉପରେ ଦେଶର ନିର୍ଭରଶୀଳତା କମ ହେବ। ଏଥିରେ ୱାର୍ଲଡ ବ୍ୟାଙ୍କରୁ ଋଣ ନେବା କୌଣସି ଦେଶ ପାଇଁ ଚିନ୍ତାର କାରଣ ନୁହେଁ। ହେଲେ ଏହାର ସଠିକ ଉପଯୋଗ ହେବା ମଧ୍ୟ ଦରକାର।