କୋର୍ଟରେ ବୋମା: ବର୍ଷେ ହେଲା ଆସୁଛି ଧମକ, ଯାଞ୍ଚ ପରେ ସବୁ ମିଛ ପ୍ରମାଣିତ

NEWS7
nakankal-thab-in-khalikot

କଟକ ୦୯/୦୧: ରାଜ୍ୟର ତିନି ଜିଲ୍ଲା କୋର୍ଟକୁ ବୋମା ଧମକ ଆସିବା ପରେ ଧରପଗଡ । ଇମେଲ୍‌ରେ ଏପରି ସୂଚନା ମିଳିବା ପରେ ସରକାର ବି ସଜାଗ । ତେବେ ରାଜ୍ୟ ପାଇଁ ପ୍ରଥମ ଘଟଣା ହୋଇଥିଲେ ବି ଗଲା ବର୍ଷେ ହେବ ଦେଶ ତମାମ୍ ଏଭଳି ମେଲ୍ ବିଭିନ୍ନ କୋର୍ଟକୁ ଆସୁଛି । ଦିଲ୍ଲୀ, ମୁମ୍ବାଇ, ରାଜସ୍ଥାନ, ଗୁଜରାଟ ଓ ଛତିଶଗଡ଼ ହାଇକୋର୍ଟ ସହିତ ଏସବୁ ରାଜ୍ୟର ବହୁ ଜିଲ୍ଲା କୋର୍ଟକୁ ସମାନ ଧରଣର ମେଲ୍ ଆସିଛି । ମାତ୍ର ସବୁ ଥର ଏଭଳି ମେଲ୍ ମିଛ ବୋଲି ପ୍ରମାଣିତ ହୋଇଛି ।

ତେବେ ଏହି ଘଟଣା ପଛରେ ଥିବା ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚିବାକୁ ବିଭିନ୍ନ ରାଜ୍ୟର ସାଇବର୍ ସେଲ୍ ତନାଘନା କରିଥିଲେ ବି ଅପରଧୀ ଧରାପଡ଼ୁନାହାନ୍ତି । ଦୁର୍ବୃତ୍ତ ଭିପିଏନ୍(ଭର୍ଚୁଆଲ୍ ପ୍ରାଇଭେଟ୍ ନେଟ୍ୱାର୍କ)ବ୍ୟବହାର କରୁଥିବାରୁ ଠିକଣା ଜାଣିବା କଷ୍ଟକର ହେଉଛି । ଥରେ ମାତ୍ର ରାଜସ୍ଥାନ ଓ ତାମିଲନାଡ଼ୁର ଦୁଇଟି ସାଇବର୍ କାଫେର ‘ଆଇପି ଆଡ୍ରେସ୍’ ଖୋଜାଯାଇ ପାରିଥିଲା । ୨୦୨୫ ମସିହା ଜୁନ୍ ୯ ରେ କର୍ଣ୍ଣାଟକ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ଙ୍କୁ ବୋମା ଫୁଟିବା ଭୟ ଦେଖାଇ ଏକ ମେଲ୍ ଆସିଲା ।

ସମାନ ମେଲ୍ ରାଜ୍ୟର ବହୁ ନିମ୍ନ କୋର୍ଟକୁ ଆସିଲା । ମାତ୍ର ସେଭଳି କିଛି ବୋମା ମିଳିଲାନି । ଏହା ପରେ ଜୁନ୍ ୨୪ ଓ ଅଗଷ୍ଟ ୨୨ରେ ମଧ୍ୟ କର୍ଣ୍ଣାଟକ ହାଇକୋର୍ଟକୁ ସମାନ ଇ-ମେଲ୍ ଆସିଥିଲା । ତଦନ୍ତ ପରେ ଅଭିଯୁକ୍ତ କିଏ ଜଣାପଡ଼ିଲାନି । ଦୁର୍ବୃତ୍ତ ‘ଭିପିଏନ୍’ ବ୍ୟବହାର କରୁଥିବାରୁ ଠିକଣା ଜଣାପଡ଼ିଲାନି । ଏହି ଘଟଣା ପରଠୁ ଦେଶରେ ଏଭଳି ଇମେଲ୍ ଲଗାତାର ଆସୁଛି । ସେପ୍ଟେମ୍ବର ୧୨ରେ ଗୋଟିଏ ଦିନରେ ଦିଲ୍ଲୀ ଓ ମୁମ୍ବାଇ ହାଇକୋର୍ଟକୁ ଇ-ମେଲ୍ ଆସିଲା । ଡିସେମ୍ବର ୮ରେ ରାଜସ୍ଥାନ ହାଇକୋର୍ଟକୁ ସମାନ ଇମେଲ୍ ଆସିଥିଲା ।

ଚଳିତ ମାସ ପ୍ରଥମ ସପ୍ତାହରେ ଗୁଜରାଟ୍, ଛତିଶଗଡ଼ ସହିତ ପୁଣି କର୍ଣ୍ଣାଟକ ହାଇକୋର୍ଟ ସହିତ ମହୀଶୂର ଓ ଗଦଗ ଭଳି ଜିଲ୍ଲା କୋର୍ଟକୁ ଏଭଳି ଧମକଭରା ଇମେଲ୍ ଆସିଛି । ଆଉ ଗୁରୁବାର ଅର୍ଥାତ୍ ଜାନୁଆରୀ ୮ ତାରିଖରେ ଓଡ଼ିଶାର ୩ କୋର୍ଟ ସହିତ କେରଳର କସାରଗଡ଼ ଜିଲ୍ଲା କୋର୍ଟକୁ ଦିନ ପ୍ରାୟ ୧୧ଟା ବେଳେ ଏଭଳି ଇମେଲ୍ ଆସିଥିଲା । ଏହା ପରେ କୋର୍ଟରୁମ୍ ତଲାସି ନେବାରୁ କିଛି ମିଳି ନଥିଲା । ସମାନ ଭାବେ ପଞ୍ଜାବ ଓ ଆସାମର କୋର୍ଟକୁ ଇ-ମେଲରେ ଧମକ ଆସିଛି ।

ତେବେ ଆଜି ପର୍ଯ୍ୟନ୍ତ ଯେତେ ଗୁଡ଼ିଏ ଧମକଭରା ଇ-ମେଲ୍ ଆସିଛି କୌଣସି ଘଟଣାରେ ବୋମା ମିଳିନି କିମ୍ବା କେହି ଆତ୍ମଘାତୀ ଠାବ ହୋଇନାହାନ୍ତି । ତେଣୁ ଏହି ମେଲ୍ କେହି ଦୁର୍ବୃତ୍ତ ଭୟଭୀତ କରିବା ପାଇଁ କରୁଥିବା ଯାଞ୍ଚ୍ ଏଜେନ୍ସି କହୁଛନ୍ତି । ବିଭିନ୍ନ ଲୋକ ବା ଗ୍ରୁପ୍ ଏଭଳି କରୁଛନ୍ତି । ତେବେ ଦୁଇଟି ଘଟଣାରେ ମେଲ୍ ପଠାଇଥିବା ବ୍ୟକ୍ତିର ଆଇପି ଆଡ୍ରେସ୍ ବା ଲୋକେସନ୍ ଠାବ ହୋଇଛି ।