ଗୌତମ ଗମ୍ଭୀରଙ୍କ ସ୍ଥାନ ନେବେ କି ପାକିସ୍ତାନ ଟିମର ପୂର୍ବତନ କୋଚ୍ ଜେସନ ଗିଲେସ୍ପି ?

NEWS7
nadi-re-budi-jubak-nka-mrutyu

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଦୁର୍ବଳ ପ୍ରଦର୍ଶନକୁ ନେଇ ହେଡ କୋଚ୍ ଗୌତମ ଗମ୍ଭୀର ବିବାଦକୁ ଆସିଛନ୍ତି । ଏପରିକି ତାଙ୍କ ସ୍ଥାନ ଟଳମଳ ବୋଲି ରିପୋର୍ଟ ପ୍ରକାଶ ପାଉଛି । ଭାରତୀୟ ଟିମ୍ର ମୁଖ୍ୟ କୋଚ୍ଙ୍କୁ ପରିବର୍ତ୍ତନ କରାଯାଇପାରେ ବୋଲି ମଧ୍ୟ ମଝିରେ ମଝିରେ ଖବର ଆସୁଛି । ଯଦି ଏଭଳି ହୁଏ, ତେବେ ଗମ୍ଭୀରଙ୍କ ସ୍ଥାନ କିଏ ନେବେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ପ୍ରଶିକ୍ଷକ ଜେସନ ଗିଲେସ୍ପିଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି ।

ଜେସନ ଗିଲେସ୍ପି, ଗମ୍ଭୀରଙ୍କ ସ୍ଥାନ ନେବାକୁ ଚାହିଁବେ କି ? ଏଭଳି ପ୍ରଶ୍ନର ସେ ସିଧା ଜବାବ ଦେଇଛନ୍ତି । ସେ କହିଛନ୍ତି, ଭାରତୀୟ ଟିମର କୋଚ୍ ହେବାରେ ତାଙ୍କର କୌଣସି ଇଚ୍ଛା ନାହିଁ । ସେ ସିଧା ଲେଖିଛନ୍ତି, ‘ନୋ ଥ୍ୟାଙ୍କସ୍’ । ଅନ୍ତର୍ଜାତୀୟ ପ୍ରଶିକ୍ଷଣ କ୍ୟାରିୟରରେ ଜେସନ ଗିଲେସ୍ପିଙ୍କ ଖରାପ ଅନୁଭବ ରହିଛି । ସେ ୨୦୨୪ରେ ପାକିସ୍ତାନ ପୁରୁଷ କ୍ରିକେଟ ଟିମର କୋଚ୍ ହୋଇଥିଲେ । କିନ୍ତୁ ମାତ୍ର ୭ ମାସ ପରେ ପଦରୁ ଇସ୍ତଫା ଦେଇଥିଲେ ଜେସନ ଗିଲେସ୍ପି ।

ସେ ନଭେମ୍ବର ୨୦୨୪ରେ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ସ୍ଥାନ ନେଇଥିଲେ ଆକିବ ଜାଭେଦ । ତା ପରଠାରୁ ପାକିସ୍ତାନ କ୍ରିକେଟ ଟିମ୍ ସହିତ ତାଙ୍କ ସଂପର୍କ ଏବଂ ଇସ୍ତଫା ଦେବା ପଛର କାରଣ ସଂପର୍କରେ କହିଆସିଛନ୍ତି ଜେସନ ଗିଲେସ୍ପି ।

ଗୌତମ ଗମ୍ଭୀର ଏବେ ଚାପରେ ଅଛନ୍ତି ବୋଲି କୁହାଯାଉଛି । ଘରୋଇ ଗ୍ରାଉଣ୍ଡରେ ଭାରତୀୟ ଟିମ୍ର ଶୋଚନୀୟ ପରାଜୟ ଗମ୍ଭୀରଙ୍କୁ ବ୍ୟାକଫୁଟ୍କୁ ନେଇଯାଇଛି । ଏଭଳି ସମୟରେ, ଜଣେ ୟୁଜର ଜେସନ ଗିଲେସ୍ପିଙ୍କୁ ଗମ୍ଭୀରଙ୍କକ ସ୍ଥାନ ନେବେ କି ବୋଲି ଏକ୍ସରେ ପ୍ରଶ୍ନ କରିଥିଲେ । ସେ ଲେଖିଛନ୍ତି, ‘ଜେସନ ଆପଣ ଟିମ୍‌ ଇଣ୍ଡିଆର କୋଚ୍‌ ହେବା ଦରକାର।  ସେମାନେ (ଭାରତୀୟ ଟିମ୍‌) ହାରୁଛନ୍ତି । ସେମାନେ ଘରେ ଦୁଇ ଥର ହାରିଲେଣି । ସେମାନେ ଆପଣଙ୍କୁ ଚାହୁଁଛନ୍ତି ।’

​​​​​​​

ଏହାର ଜବାବରେ ଅଷ୍ଟ୍ରେଲିଆର ପୂର୍ବତନ ବୋଲର ଜେସନ ଗିଲେସ୍ପି ଦୁଇଟି ଶବ୍ଦରେ ଜବାବ ଦେଇଛନ୍ତି । ସେ ଲଖିଛନ୍ତି, ନୋ ଥ୍ୟାଙ୍କସ୍ । ଯଦିଓ ଅନ୍ତର୍ଜାତୀୟ ଟିମର କୋଚ୍ ହେବାରେ ଜେସନ ଗିଲେସ୍ପିଙ୍କ ପାଖରେ ଖରାପ ଅନୁଭବ ରହିଛି କିନ୍ତୁ କାଉଣ୍ଟି କ୍ରିକେଟରେ ୟର୍କଶାୟର ଏବଂ ସସେକ୍ସର କୋଚ୍ ଭାବରେ ସେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି ।