LIVE TV
LIVE TV

ଭାରତୀୟ ସେନାରେ ସାମିଲ ହେଲେ କାଶ୍ମୀରର ୨୬୨ ଯୁବକ, ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ

NEWS7
muslim-men-and-hindu-women-children-will-have-legal-rights-on-fathers-property

ଶ୍ରୀନଗର: ଉତ୍ତର କାଶ୍ମୀରର ୨୬୨ ଜଣ ଯୁବକ ଭାରତୀୟ ସେନାରେ ଯୋଗ ଦେଇ ଇତିହାସ ସୃଷ୍ଟି କରିଛନ୍ତି । ବାରାମୁଲ୍ଲା ଏବଂ ବାନ୍ଦିପୋରା ଜିଲ୍ଲାର ୨୬୨ ଯୁବକ ଭାରତୀୟ ସେନାର ପାସିଂ ଆଉଟ୍ ପରେଡରେ ଅଂଶଗ୍ରହଣ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଧାରା ୩୭୦ ଉଚ୍ଛେଦ ପରେ ଏହା ଏକକାଳୀନ ସେନାରେ ଯୋଗଦେବାରେ ସବୁଠାରୁ ବଡ଼ ସଂଖ୍ୟା । ଏହା ଉପତ୍ୟକାରେ ଏକ ନୂଆ ଉପଲବ୍ଧିକୁ ଦର୍ଶାଉଛି । ସେନାରେ ଯୋଗ ଦେଇଥିବା ସୈନିକମାନେ ନିଜର ଖୁସି ଜାହିର କରିଛନ୍ତି ।

ସେନାରେ ଯୋଗ ଦେଇଥିବା ସୈନିକମାନେ କହିଛନ୍ତି ଯେ, ୩୧ ସପ୍ତାହର କଠୋର ତାଲିମ ପରେ, ସେମାନେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେମାନେ କହିଛନ୍ତି, ‘ଆମେ ଦିନରାତି କଠିନ ପରିଶ୍ରମ କରିଛୁ ଏବଂ ଏବେ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବାକୁ ପ୍ରସ୍ତୁତ।’ ସୈନିକମାନେ ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ଲାଗି ସେମାନଙ୍କର ପ୍ରତିବଦ୍ଧତା ସଂପର୍କରେ ମଧ୍ୟ କହିଛନ୍ତି ।

ଆତଙ୍କବାଦୀଙ୍କୁ ନିପାତ କରିବା ସେମାନଙ୍କର ପ୍ରଥମ ମିଶନ ବୋଲି କହିଛନ୍ତି । ଏହି ଅବସରରେ, କେବଳ ସୈନିକମାନେ ନୁହେଁ ବରଂ ସେମାନଙ୍କ ପରିବାର ଏବଂ ଗାଁ ମଧ୍ୟ ଖୁସିରେ ଝୁମୁଛି । ପରିବାର ଲୋକେ କୁହିଛନ୍ତି ଯେ, ସେମାନଙ୍କ ପୁଅମାନେ ଦେଶ ସେବା କରିବେ ଏବଂ ଏହାଠାରୁ ବଡ଼ ଆନନ୍ଦ ଆଉ କିଛି ହୋଇ ନପାରେ । ଆମର ପିଲାମାନେ ପଥର ଫିଙ୍ଗାଳି ନୁହେଁ, ବରଂ ଦେଶର ସେନାରେ ଯୋଗ ଦେଇଛନ୍ତି ।

କୁପୱାଡ଼ାର ଜଣେ ଯବାନଙ୍କ ପିତା ଅବସରପ୍ରାପ୍ତ ସେନା ଅଧିକାରୀ ଗର୍ବର ସହିତ କହିଛନ୍ତି, ‘ମୁଁ ନିଜେ ସେନାରୁ ଅବସର ନେଇଛି। ମୁଁ ଖୁସି ଯେ, ମୋର ମୂଲ୍ୟବୋଧ ଏବଂ ମୋର ରକ୍ତ ଏବେ ଆଗକୁ ବଢ଼ୁଛି । ଆମ ଅଞ୍ଚଳର ପିଲାମାନେ ପୂର୍ବରୁ ଭୁଲ ମାର୍ଗରେ ଯାଉଥିଲେ ଏବଂ ପଥର ଉଠାଉଥିଲେ । କିନ୍ତୁ ଆଜି ସେମାନେ ରାଇଫଲ୍ ଧରିଛନ୍ତି।’ ଧାରା ୩୭୦ ଉଚ୍ଛେଦ ହେବା ପରେ ସ୍ଥିତି ବଦଳୁଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ସେନା ଅଧିକାରୀଙ୍କ ଅନୁସାରେ, ସେନାରେ ଭର୍ତ୍ତି ହେଉଥିବା ଯୁବକଙ୍କ ସଂଖ୍ୟାରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଛି । ସୀମାବର୍ତ୍ତୀ ଅଞ୍ଚଳ, ବିଶେଷକରି କୁପଓ୍ବାଡ଼ା ଏବଂ ତଙ୍ଗଧାରାରେ ସବୁଠାରୁ ଅଧିକ ଯୁବକ ଆଗକୁ ଆସୁଛନ୍ତି ଏବଂ ସେନାରେ ସାମିଲ ହେଉଛନ୍ତି । ଏହି ପରିବର୍ତ୍ତିତ ଦୃଶ୍ୟ ଜମ୍ମୁକାଶ୍ମୀରରେ ଶାନ୍ତି ଓ ବିକାଶର ନୂଆ କାହାଣୀ କହୁଛି । ଯେଉଁଠି କେବେ ପଥରବାଜି ଏବଂ ବନ୍ଦର ପୋଷ୍ଟର ଲାଗୁଥିଲା, ସେଠାରେ ଆଜି ତ୍ରିରଙ୍ଗା ସହ ଭାରତ ମାତା କି ଜୟ ନାରା ଗୁଞ୍ଜରିତ ହେଉଛି ।