ପାକିସ୍ତାନ ବିପକ୍ଷରେ ଖାସ୍ ରଣନୀତି, କଲମ୍ବୋରେ ସିକ୍ରେଟ୍ ପ୍ଲାନ୍ ସହ ଓହ୍ଲାଇବ ଟିମ୍ ଇଣ୍ଡିଆ

NEWS7
murtadeha-udhar-in-sundargarh

ନୂଆଦିଲ୍ଲୀ, ୧୧|୦୨: ଚାଲିଛି ଟି୨୦ ବିଶ୍ୱକପ୍ । ପ୍ରଥମ ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ମୁକାବିଲାରେ ଦଳ ଆମେରିକାକୁ ପରାସ୍ତ କରିଛି । ତେବେ ଫେବ୍ରୁଆରୀ ୧୨ ତାରିଖରେ ସୂର୍ଯ୍ୟ ସେନା ନାମିବ୍ୟା ଏବଂ ୧୫ରେ ପାକିସ୍ତାନ ସହ ମୁକାବିଲା ଖେଳିବ । ନାମିବ୍ୟା ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିପାରେ । ତେବେ ପାକ୍ ବିପକ୍ଷ ମୁକାବିଲା ପାଇଁ ଖାସ୍ ରଣନୀତି ସହ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

କଲମ୍ବୋରେ ଫାଇଟ୍

ଭାରତ ଏବଂ ପାକିସ୍ତାନ ଶ୍ରୀଲଙ୍କାର କଲମ୍ବୋରେ ମୁହାଁମୁହିଁ ହେବେ । ଉଭୟ ଦେଶ ମଧ୍ୟରେ ଏବେ ସମ୍ପର୍କ ଭଲ ନାହିଁ । ଖେଳାଳିଙ୍କ ମଧ୍ୟରେ ତିକ୍ତତା ରହିଛି । ଯାହା ଏସିଆ କପରେ ଦେଖିବାକୁ ମିଳିଥିଲା । ଏସିଆ କପରେ ପାକିସ୍ତାନକୁ ତିନି ଥର ହରାଇ ଚାମ୍ପିଅନ୍ ହୋଇଥିଲା ଭାରତ । ତେବେ ଟି୨୦ ବିଶ୍ୱକପରେ ମଧ୍ୟ ଏପରି କିଛି ଘଟିବା ନେଇ ଆଶା କରୁଛନ୍ତି ଫ୍ୟାନ୍ସ ।

ଅଭିଷେକଙ୍କ ଉପରେ ନଜର

ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ତାଙ୍କ ପେଟରେ ସଂକ୍ରମଣ ହୋଇଛି । ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆସୁଛି । ତେଣୁ ନାମିବ୍ୟା ବିପକ୍ଷ ମୁକାବିଲା ସେ ଖେଳିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି । ସେହିପରି ପାକିସ୍ତାନ ବିପକ୍ଷ ମୁକାବିଲାରେ ସେ ଫିଟ୍ ଥିବେ ନା ନାହିଁ ତାହା କହିବା କଷ୍ଟକର ।

ମ୍ୟାଚ୍ ପୂର୍ବରୁ ଡ୍ରାମା

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପାକିସ୍ତାନ ନାଟକ କରିବା ଆରମ୍ଭ କରିଥିଲା । ପ୍ରଥମେ ଟୁର୍ଣ୍ଣାମେଣ୍ଟକୁ ଦଳ ବୟକଟ କରିବ ବୋଲି କହିଥିଲା । ପରେ ପରେ ଚାପ ବଢିବାରୁ କେବଳ ଭାରତ ସହ ମ୍ୟାଚ୍ ଖେଳିବନି ବୋଲି ପାକ୍ ସୂଚନା ଦେଇଥିଲା । ଏବେ କିନ୍ତୁ ଭାରତ ସହ ଖେଳିବା ନେଇ ପିସିବି ଗ୍ରୀନ୍ ସିଗନାଲ୍ ଦେଇସାରିଛି । ପାକିସ୍ତାନୀ ଖେଳାଳି ଏବେ ଶ୍ରୀଲଙ୍କାରେ ଅଛନ୍ତି । ଏଠାରେ ହିଁ ଦଳ ଭାରତ ବିପକ୍ଷ ମୁକାବିଲା ସମେତ ସମସ୍ତ ମ୍ୟାଚ୍ ଖେଳିବ ।

ଭାରତୀୟ ଦଳର ପ୍ରସ୍ତୁତିକୁ ନେଇ ସହାୟକ କୋଚ୍ ରିୟାନ୍ ଟେନ୍ ଡଜଚେଟ୍ କହିଛନ୍ତି ଯେ, ପଡିଆ ବାହାରେ ବହୁତ କିଛି ଚାଲିଛି । କିନ୍ତୁ ଖେଳାଳିଙ୍କୁ କେବଳ କ୍ରିକେଟ୍ ଉପରେ ଫୋକସ କରିବାକୁ କୁହାଯାଇଛି । କଲମ୍ବୋରେ ମ୍ୟାଚ୍ ଖେଳିବା ସହଜ କଥା ନୁହେଁ । ଭାରତ ଏଠାକାର ପିଚ୍ କୁ ଭଲ ଭାବେ ବୁଝିବା ପାଇଁ ସମୟ ନେବା ଆବଶ୍ୟକ । ଏଠାରେ ବଡ ସ୍କୋର୍ ହୁଏ ନାହିଁ । କିନ୍ତୁ ଏବେଠୁ କିଛି କହିହେବ ନାହିଁ । କ୍ରିକେଟ୍ ହେଉଚି ଅନିଶ୍ଚିତତାର ଖେଳ ।

ସେ ଆହୁରି କହିଛନ୍ତି ଯେ, ଏବେସୁଦ୍ଧା ଭାରତୀୟ ବୋଲର ନିଜର ପ୍ରକୃତ ଦକ୍ଷତା ଦେଖାଇ ନାହାଁନ୍ତି । ଆମେରିକା ବିପକ୍ଷରେ ବୋଲିଂ ସହଜ ଥିଲା । ପାକିସ୍ତାନ ବିପକ୍ଷରେ ଆହୁରି ଭଲ ରଣନୀତି ସହ ଓହ୍ଲାଇବାକୁ ହେବ । ଦଳରେ ବିଶ୍ୱସ୍ତରୀୟ ବ୍ୟାଟର ଏବଂ ବୋଲର ରହିଛନ୍ତି । ବ୍ୟାଟର କିଛି ଭୁଲ କଲେ ବୋଲର ଏହାକୁ ସଜାଡିବାର କ୍ଷମତା ରଖୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଅନ୍ୟତମ ଅଲରାଉଣ୍ଡର ଭାବେ ଦଳ ପାଖରେ ଓ୍ୱାସିଂଟନ ସୁନ୍ଦରଙ୍କ ବିକଳ୍ପ ରହିଛି । ସେ ଆହତ ଜନିତ ସମସ୍ୟାରୁ ମୁକୁଳିଛନ୍ତି । ଏବେ ସେ ଅଭ୍ୟାସ କରୁଛନ୍ତି । ଦରକାର ହେଲେ ଦଳ ୪ଟି ଅଲରାଉଣ୍ଡରଙ୍କୁ ଖେଳାଇପାରେ ବୋଲି ସେ କହିଛନ୍ତି ।