କାହିଁକି ଚୋରକୁ ଛାଡି ସରପଞ୍ଚଙ୍କୁ ଅଟକ ରଖିଲା ପୋଲିସ ? ଥାନା ଘେରିଲେ ଶତାଧିକ ଗ୍ରାମବାସୀ

NEWS7
mukesh-ambani-returns-to-top-10-rich-list-rises-three-places

ବଲାଙ୍ଗିର ୧୨।୧: ଚୋରକୁ ଧରିବା ପରେ ଛାଡିଦେଲା ସଦର ଥାନା ପୋଲିସ । ହେଲେ ଥାନାରେ ସରପଞ୍ଚଙ୍କୁ ରଖିଲା ଅଟକ । ଏନେଇ ଗାଁରେ ଉତ୍ତେଜନା ପରେ ସଦର ଥାନାକୁ ଆସି ଘେରିବା ସହ ମୁହାଁମୁହିଁ ପୋଲିସ ଓ ଗ୍ରାମବାସୀ । ଥାନା ଗେଟ୍‌କୁ ଟଣାଓଟରା କରି ବିରୋଧ ପ୍ରଦର୍ଶନ କଲେ । ଏହାସହ ରାସ୍ତା ମଧ୍ୟ ଅବରୋଧ କଲେ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁସମେଲ ଗାଁରେ ଗତ ଦୀର୍ଘ ମାସ ହେଲା କିଛି ଚୋର ଗାଁର ଉଠାଜଳ ସେଚନ ପ୍ରକଳ୍ପର ପମ୍ପ ହାଉସରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି କରିନେଉଛନ୍ତି । ଚୋରି କରିବା ଫଳରେ ଗାଁରେ ଜଳଯୋଗାଣ ବନ୍ଦ ହୋଇଯାଉଛି । ଏନେଇ ପୋଲିସକୁ ପୂର୍ବରୁ ଅଭିଯୋଗ କରିଥିଲେ ଗ୍ରାମବାସୀ । ପୋଲିସ ୩ ଚୋରଙ୍କୁ ସନ୍ଦେହରେ ଗିରଫ କରିଥିଲା । ଗାଁ ଲୋକଙ୍କୁ ଏନେଇ ଚୋରଙ୍କୁ ଦେଖାଇବା ସହ ଗାଁ ଲୋକଙ୍କ ସମ୍ମୁଖରେ ଚୋର ମାନେ ଚୋରି କରିଥିବା ସ୍ୱୀକାର କରିଥିଲେ । ହେଲେ ପରେ ପୁଣି ଚୋରଙ୍କୁ ଛାଡି ଦେବାରୁ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏନେଇ ଏସପିଙ୍କୁ ଅଭିଯୋଗ କରିବାକୁ ଆସିବା ପାଇଁ ପୂର୍ବରୁ ପୋଲିସକୁ ସୂଚନା ଦେଇଥିଲେ । ହେଲେ ପୋଲିସ ଗାଁ ସରପଞ୍ଚଙ୍କୁ ଆଗୁଆ ଉଠାଇ ଆଣିଥିଲା ଥାନାକୁ । ଯାହାକୁ ନେଇ ଶତାଧିକ ମହିଳା ପୁରୁଷ ସଦର ଥାନା ଘେରିବା ସହ କିଛି ସମୟ ପାଇଁ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଏନେଇ ଅଟକ ସରପଞ୍ଚଙ୍କୁ ପୋଲିସ ଛାଡିଦେଇଥିଲା । ପରେ ଗ୍ରାମବାସୀ ସହ ସରପଞ୍ଚ, ସମିତି ସଭ୍ୟ ସମସ୍ତେ ଏସପିଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହ ସମସ୍ତ ଚୋରଙ୍କୁ ଗିରଫ ପାଇଁ ଦାବି କରିଥିଲେ । ଏନେଇ ୭ ଦିନର ମହଲତ ଦେଇଛନ୍ତି ଅତିରିକ୍ତ ଏସପି । ତା ପରେ ଧାରଣାରୁ ଓହରିଛନ୍ତି ଗ୍ରାମବାସୀ ।