LIVE TV

ଇଣ୍ଡିଆ ଟେଷ୍ଟ ଟିମରେ ଅଭିଜ୍ଞତା ଓ ଧୈର୍ଯ୍ୟର ଅଭାବ, କୁଆଡ଼େ ଗଲେ ଶାମି-ସରଫରାଜ ?

NEWS7
ms-dhoni-csk-team-mate-moeen-ali-decided-is-set-to-announce-his-immediate-retirement-from-test

ନୂଆଦିଲ୍ଲୀ: ଗୌହାଟୀରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୪୮୯ ରନ କରିଛି। ଜବାବରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୦୧ ରନରେ ଅଲଆଉଟ୍ ହୋଇଛି। ୨୮୮ ରନରେ ପଛରେ ଥିବା ଟିମ୍ ଇଣ୍ଡିଆ ଉପରେ ପରାଜୟ ବାଦଲ ଖେଳି ଯାଇଛି। ପୁଣି ଥରେ ଘରୋଇ ମାଟିରେ ସିରିଜ୍ ହାରିବାର ଦ୍ଵାର ଦେଶରେ ରହିଛି ଭାରତ।

ପ୍ରଥମ ଥର ଘରୋଇ ମାଟିରେ ଭାରତର ଏମିତି ଅବସ୍ଥା ହୋଇନି। ଗତ କିଛି ମାସ ହେବ ଘରୋଇ ମାଟିରେ ଲଗାତାର ପରାଜିତ ହେଉଛି ଭାରତ। ନା ବ୍ୟାଟିଂ କ୍ରମରେ ଅନୁଭବ ରହିଛି ଏବଂ ବୋଲିଂରେ କୌଣସି ଧାର ନଜର ଆସୁଛି। ତଥାପି ମ୍ୟାନେଜମେଣ୍ଟ ଶାମି ଓ କରୁଣ ନାୟରଙ୍କ ପରି ଖେଳାଳିଙ୍କୁ ଦଳରୁ ବାହାରେ ବସାଇଛନ୍ତି। ଅନେକ ଅନଭିଜ୍ଞ ଯୁବ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି। ଦଳରେ ଅଭିଜ୍ଞତାର ଅଭାବ ବାରି ହୋଇ ପଡ଼ୁଛି।

ଗୌହାଟୀରେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୫୧ ଓଭର ବ୍ୟାଟିଂ କରିଛନ୍ତି। ଅର୍ଥାତ ୯୦୬ ବଲର ସମ୍ମୁଖୀନ ହୋଇଛନ୍ତି। ଯାହା ତିନୋଟି ଦିନିକିଆ ଇନିଂସ ସହ ବରାବର। କେବଳ ଏତିକି ନୁହେଁ ଦକ୍ଷିଣ ଆଫ୍ରିକାର ନିମ୍ନକ୍ରମର ବୋଲର ଭାରତୀୟ ବୋଲିଂକୁ ଲାଚାର କରି ଦେଇଛନ୍ତି।

କୁଆଡ଼େ ଗଲେ ଶାମି ?

ମହମ୍ମଦ ଶାମି ଦୀର୍ଘ ସମୟ ଧରି ଦଳରୁ ବାହାରେ ଅଛନ୍ତି। ତାଙ୍କର ଚୟନକୁ ନେଇ ଅନେକ ବିତର୍କ ହୋଇ ସାରିଲାଣି। ଘରୋଇ କ୍ରିକେଟରେ ଶାମି ଲଗାତାର ଭଲ ପ୍ରଦର୍ଶନ କରି ଚାଲିଛନ୍ତି। ଏହା ସତ୍ତ୍ଵେ ଦଳରେ ତାଙ୍କୁ ଚୟନ କରାଯାଉ ନାହିଁ। ଏପରିକି ସୌରଭ ଗାଙ୍ଗୁଲିଙ୍କ ପରି ବରିଷ୍ଠ ଖେଳାଳି ମଧ୍ୟ ସାମିଙ୍କୁ ଦଳରେ ସୁଯୋଗ ଦେବା ଉଚିତ୍ ବୋଲି କହିଛନ୍ତି। ତଥାପି ଚୟନକର୍ତ୍ତା ଶାମିଙ୍କ ପ୍ରତି ଅଣଦେଖା କରି ଚାଲିଛନ୍ତି।

କୁଆଡ଼େ ଗଲେ କରୁଣ ନାୟର ଓ ସରଫରାଜ

କରୁଣ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ସିରିଜ ଜରିଆରେ ୮ ବର୍ଷ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମାତ୍ର ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି। କିନ୍ତୁ ନାୟରଙ୍କ ଘରୋଇ ରେକର୍ଡ ବେଶ ପ୍ରଭାବଶାଳୀ ରହିଛି। ଏମିତି ଲାଗୁଛି ଆଇପିଏଲ ଆଧାରରେ ଦଳରେ ଚୟନ କରାଯାଇଥିବା ସାଇ ସୁଦର୍ଶନଙ୍କ ଉପରେ ଲଗାତାର ଭରସା କରୁଛି ଟିମ୍ ମ୍ୟାନେଜମେଣ୍ଟ। ଅନ୍ୟପଟେ ସରଫରାଜ ଖାନଙ୍କ ପ୍ରତି ଚୟନକର୍ତ୍ତା ଧ୍ୟାନ ବି ଦେଉ ନାହାନ୍ତି। ଘରୋଇ କ୍ରିକେଟରେ ସରଫରାଜ ଖୁବ୍ ରନ ବର୍ଷା କରି ଚାଲିଛନ୍ତି।

ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳରେ ଅନୁଭବ ଓ ଧୈର୍ଯ୍ୟର ଘୋର ଅଭାବ ଦେଖିବାକୁ ମିଳୁଛି। କୌଣସି ବ୍ୟାଟରଙ୍କଠାରେ ଲମ୍ବା ଇନିଂସ ବ୍ୟାଟିଂ କରିବାର ସ୍ଫୃହା ଦେଖିବାକୁ ମିଳୁନି। ଡିଫେନ୍ସ କରି ନିଜର ଓ୍ଵିକେଟ୍ ବଞ୍ଚାଇ କେମିତି ଲମ୍ବା ଇନିଂସ ଖେଳି ପାରିବେ ତାହା ସଂପ୍ରତି ଭାରତୀୟ ଟେଷ୍ଟ ଦଳର ବ୍ୟାଟରଙ୍କ ନିକଟରେ ଦେଖିବାକୁ ମିଳୁନି। ପ୍ରତ୍ୟେକ ବ୍ୟାଟର ଆଇପିଏଲ୍ ଷ୍ଟାଇଲରେ ବ୍ୟାଟିଂ କରୁଛନ୍ତି।