ଭୟଙ୍କର ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀଙ୍କ ମୃତ୍ୟୁ : ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

NEWS7
mrutadeha-from-gaccha

ଭୁବନେଶ୍ବର ୨୨।୨: ଝାରସୁଗୁଡାରେ ବୋଲେରୋ ଓ ଟ୍ରେଲର ମଧ୍ୟରେ ଭୟଙ୍କର ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ।

ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟମାନଙ୍କର ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ଓମ୍ ଶାନ୍ତି ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ସଦର ଥାନା ସମ୍ମୁଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଭୋର ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବେପାରୁଆ ଟ୍ରେଲର ସହ ପୋଲିସ ବୋଲେରୋ ମୁହାଁମୁହିଁ ହୋଇଥିଲା । ଏହାର ଭୟାବହତା ଏତେ ଥିଲା ଯେ ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତଦେହ ଗୁଡିକୁ ବାହାର କରିଥିଲେ । ଆହତ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ମୃତକମାନେ ହେଲେ କାଶୀରାମ ଭୋଇ, ନିରଞ୍ଜନ କୁଜୁର (ଡ୍ରିଲ୍ ସବ୍-ଇନ୍ସପେକ୍ଟର), ଦେବଦତ୍ତ ସା, ଲିଙ୍ଗରାଜ ଧୂରୁଆ, ଭକ୍ତବନ୍ଧୁ ମିର୍ଧା (ହୋମଗାର୍ଡ)। ସେହିପରି ଆହତ ମାନେ ହେଲେ ଦୁବରାଜ ମିରିଗ, ଆକାଶ ନାଏକ, ରାଜୀବ ଭରସାଗର । ଖବର ପ୍ରସାରିତ ହେବା ପରେ ପୋଲିସ ବିଭାଗ ଓ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟ୍ରେଲର ଚାଳକଙ୍କୁ ଅଟକ ରଖାଯାଇଥିବା ବେଳେ ଗାଡିଟିକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।