LIVE TV
LIVE TV

ବଜାରକୁ ଆସିଲା ମଣିଷ ଗାଧୁଆ ମେସିନ, ୧୫ ମିନିଟ୍‌ରେ ଦେହ ସଫା, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍...

NEWS7
mother-killed-and-son-injured-in-accident-in-choudwar

ଓସାକା ୧।୧୨: ଜାପାନୀ କମ୍ପାନୀ ସାଇନ୍ସ ଇଂକ ଡଟ୍ ଏକ ଏପରି ମେସିନ ଲଞ୍ଚ କରିଛି, ଯାହାକୁ ‘ମିରାଇ ହୁମ୍ୟାନ ୱାସିଂ ମେସିନ’ କୁହାଯାଉଛି। ଏହି ମେସିନକୁ ପ୍ରଥମ ଥର ଓସାକାରେ ଅନୁଷ୍ଠିତ ହୋଇଥିବା ୱାର୍ଲଡ ଏକ୍ସପୋରେ ଦେଖା ଯାଇଥିଲା। ଏବେ ଏହା ଜାପାନ ବଜାରରେ ବିକ୍ରି ହେଉଛି। ଏହି ୱାସିଂ ମେସିନ କୌଣସି ହାଇ-ଟେକ୍ ସ୍ପା ପଡ ପରି କାମ କରୁଛି, ଯେଉଁଥିରେ ମଣିଷ ମାତ୍ର କିଛି ମିନିଟରେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଧୋଇ ହୋଇଯିବ।

ଏହି ମେସିନରେ ବ୍ୟକ୍ତିକୁ ଏକ ପଡ ଭିତରକୁ ଯିବାକୁ ପଡୁଛି। ଏଥିରେ ଥିବା ଆରାମ ଦାୟକ ଆସନରେ ଆଉଜି କି ବସି ଦ୍ୱାର ବନ୍ଦ କଲେ ଗାଧୋଇବା ଆରମ୍ଭ ହୋଇଯାଉଛି। ଏହା ମାଇକ୍ରୋ ବବଲକୁ ଉପଯୋଗ କରି ଧିରେ ଧିରେ ଶରୀରକୁ ସଫା କରୁଛି। ଏହି ମେସିନ ପୁଣି ବବଲକୁ ଧୋଇ ଦେଉଛି ଓ ଏଥିରେ ଥିବା ବ୍ୟବସ୍ଥା ତୁରନ୍ତ ଶରୀରକୁ ସୁଖେଇ ଦେଉଛି। ଗାଧୋଇବା ବେଳେ ମେସିନରେ ହାଲୁକା ହାଲୁକା ସଙ୍ଗୀତ ମୁର୍ଛନା ମଧ୍ୟ ଆସିଥାଏ। ଏହା ଦ୍ୱାରା ବେଶ୍ ଆରାମପ୍ରଦ ସ୍ନାନ ହୋଇଥାଏ।

କମ୍ପାନୀ ମୁଖପାତ୍ର ସଚିକୋ ମାଏକୁରା କହନ୍ତି ଯେ ‘ଏହି ମେସିନ ଶରୀର ସହିତ ଆତ୍ମାକୁ ମଧ୍ୟ ସଫା କରିଥାଏ। ଏହି ମେସିନ ଉପଯୋଗ କରୁଥିବା ବ୍ୟକ୍ତିର ହାର୍ଟବିଟ୍ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂକେତ ଉପରେ ନଜର ରଖେ। ଏହା ଦ୍ୱାରା ସୁରକ୍ଷା ଓ ଆରାମ ଉଭୟ ସୁନିଶ୍ଚିତ ହୁଏ’। ଏହି ମେସିନରେ ଗାଧେଇବା ଓ ସୁଖିବାକୁ ଅନୁନ୍ୟ ୧୫ ମିନିଟ୍ ଲାଗିଥାଏ। ତେବେ ଖାସ କଥା ଯାହା ତାହା ହେଉଛି ମେସିନରେ ଗାଧେଇବା ବେଳେ ବ୍ୟକ୍ତିଙ୍କୁ କିଛି କରିବାକୁ ପଡି ନଥାଏ। ଏହି ମେସିନ ପାଇଁ ପ୍ରଥମ ପ୍ରେରଣା ୧୯୭୦ ମସିହାରେ ଓସାକା ଏକ୍ସପୋରୁ ମିଳିଥିଲା। ସେତେବେଳେ ଏହାକୁ ସିନେଓ ଇଲେକ୍ଟ୍ରୋନିକ୍ସ (ବର୍ତ୍ତମାନର ପାନାସୋନିକ୍) ଏହାକୁ ପ୍ରସ୍ତୁତ କରିଥିଲା।

ସାଇନ୍ସ ଇଂକ ଡଟ୍ ର ଚେୟାରମ୍ୟାନ୍ ୟାସୁଆକୀ ଅଓୟାମା ଏହାକୁ ତାଙ୍କ ପିଲାଦିନେ ଦେଖିଥିଲେ। ଏହାକୁ ଆଧୁନିକ ଜ୍ଞାନକୌଶଳରେ ଏବେ ପୁଣି ଥରେ ତିଆରି କରିଛନ୍ତି। ୨୦୨୫ ୱାର୍ଲଡ ଏକ୍ସପୋରେ ଏହି ମେସିନ ଏତେ ଲୋକପ୍ରିୟ ହାସଲ କଲାଯେ କମ୍ପାନୀ ଏହାକୁ ବଜାରରେ ବିକ୍ରି କରିବା ପାଇଁ ନିଷ୍ପତ୍ତି କଲା। ଏହି ପଡଟି ପାଖାପାଖି ୮.୨ ଫୁଟ ଲମ୍ବା ଓ ୮.୫ ଫୁଟ ଉଚ୍ଚା। ଏଥିରେ ଜଣେ ଆରାମରେ ଶୋଇ ପାରିବ। ମେସିନରେ ଏତେ ଛୋଟଛୋଟ ମାଇକ୍ରୋ ବବଲ୍ସ ରହିଛି ଯାହା ରୋମ ଛିଦ୍ରରେ ପଶି ତୈଳ, ମଇଳା ଓ ମୃତ କୋଷିକାକୁ କାଢିଦେବ। ଏହି ଟେକ୍ନୋଲଜି ପୂର୍ବରୁ ଜାପାନର ସ୍ପା ଓ ବ୍ୟୁଟି ସେଲୁନରେ ଉପଯୋଗ ହୋଇ ଆସୁଛି।

ପଡରେ ଲାଗିଥିବା ସେନସର ଏହା ବି ସୁନିଶ୍ଚିତ କରୁଛି ଯେ ଗାଧୋଉଥିବା ବ୍ୟକ୍ତିର ଯେପରି ମୁଣ୍ଡ ନ ବୁଲାଏ, ଯେପରି ସେ ଘାବରେଇ ନ ଯାଏ କି ମେଡିକାଲ ସମସ୍ୟା ନ ଉପୁଜେ। ଏବେ ଆସନ୍ତୁ ଜାଣିବା ଏହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହାର ମୂଲ୍ୟ। ଏହି ମେସିନର ମୂଲ୍ୟ ପାଖାପାଖି ୬୦ ମିଲିୟନ ୟେନ ଅର୍ଥାତ ୩ ଲକ୍ଷ ୮୫ ହଜାର ଡଲାର। ଏଣୁ ଏହା ଘରୋଇ ଉପଯୋଗ ପାଇଁ ନୁହେଁ ବରଂ ଲଗଜରୀ ସ୍ପା, ଥିମ ପାର୍କ, ଉନସେନ୍ (ଜାପାନୀ ହଟସ୍ପ୍ରିଂ ସେଣ୍ଟର), ହାଇଏଣ୍ଡ ହୋଟେଲ ଓ ହେଲଥ ରିସର୍ଟ ପାଇଁ ନିର୍ମିତ ହୋଇଛି।

କମ୍ପାନୀ ଏବେ ଏହି ମେସିନରୁ ମାତ୍ର ୪୦ରୁ ୫୦ ୟୁନିଟି ତିଆରି କରିବାକୁ ନିଷ୍ପତ୍ତି ନେଇଛି। ଏହି ୟୁନିଟ୍ ଗୁଡିକ ହାତରେ ତିଆରି ହେବ। ଏକ ହୋଟେଲ ଚେନ୍ ଏହାର ପ୍ରଥମ ୟୁନିଟ୍ କୁ କିଣି ନେଇଛି। ଏହା ଛଡା ୫ରୁ ୮ଟି ୟୁନିଟ୍ ପ୍ରଥମରୁ ରିଜର୍ଭ ହୋଇସାରିଛି। ଉଲ୍ଲେଖଯୋଗ୍ୟ ଯେ ଏହି ମେସିନ କେବଳ ଗାଧୋଇବା ପାଇଁ ନୁହେଁ, ଏହା ଜାପାନର ବୟଷ୍କ ଜନସଂଖ୍ୟା ଲାଗି ଭବିଷ୍ୟତର ଅଟୋମେଟେଡ କେୟାର ସିଷ୍ଟମ ଲାଗି ପ୍ରାରମ୍ଭିକ ରୂପ। ଏପରି ମେସିନ ଆଗାମୀ ସମୟରେ ବଷ୍କ ଲୋକଙ୍କ ସୁରକ୍ଷିତ ସ୍ନାନରେ ସହାୟତା କରିବ। କମ୍ପାନୀ କହିଛି ଯେ ଭବିଷ୍ୟତରେ ଯଦି ବହୁଳ ପ୍ରଡକ୍ସନ ସମ୍ଭବ ହେଲା ତେବେ ଏହାର ଶସ୍ତା ଘରୋଇ ମଡେଲ ମଧ୍ୟ ତିଆରି କରାଯିବ।