ସୋଆରେ ଆନ୍ତର୍ଜାତିକ AI କନ୍‌କ୍ଲେଭ୍‌, ଭବିଷ୍ୟତରେ ଯନ୍ତ୍ର ଅଧିକ ଚତୁର ଭାବେ କାର୍ଯ୍ୟ କରିବ

NEWS7
more-hot-days-ahead

ଭୁବନେଶ୍ୱର ୦୩।୦୩ : ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ସବୁଠି ଚର୍ଚ୍ଚାରେ। ଭବିଷ୍ୟତରେ ମେସିନ୍ ଅଧିକ କାର୍ଯ୍ୟକ୍ଷମ ଓ ଚତୁର ହେବା ସହ ମଣିଷର ବୁଦ୍ଧିମତ୍ତାକୁ ପଛରେ ପକାଇଦେବ ବୋଲି ଆନ୍ତର୍ଜାତିକ ବିଶେଷଜ୍ଞ ମତ ଦେଇଛନ୍ତି ।

ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ ଏଆଇ କନ୍କ୍ଲେଭ୍ ଆୟୋଜିତ ହୋଇଥିଲା। ସେଥିରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଏଆଇ ଏଥିକ୍ସ ଆଣ୍ଡ ସୋସାଇଟି ପ୍ରଫେସର ଓ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବର୍କମ୍ୟାନ୍ କ୍ଲେନ୍ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିର ପ୍ରଫେସର ଡକ୍ଟର ଜନି ପେନ୍ କହିଛନ୍ତି, ମେସିନ୍ କେବଳ ଶିକ୍ଷା ଆହରଣ କରିବ ନାହିଁ। ବରଂ ଶିକ୍ଷା ଗ୍ରହଣ କିଭଳି କରାଯାଏ ତାହାକୁ ମଧ୍ୟ ଶିଖିବାରେ ସକ୍ଷମ ହୋଇଯିବ।

ସମ୍ମିଳନୀର ପ୍ରସଙ୍ଗ ‘ଇଣ୍ଡିଆଜ୍ ଏଆଇ ଫ୍ୟୁଚର- ରୋଲ ଅଫ୍ ଏକାଡେମିଆ, ଇଣ୍ଡଷ୍ଟ୍ରି, ରିସର୍ଚ୍ଚ ଆଣ୍ଡ ଇନୋଭେସନ’ ଉପରେ ବକ୍ତବ୍ୟ ରଖି ପ୍ରଫେସର ପେନ୍ କହିଥିଲେ, ୧୫ ବର୍ଷ ତଳେ ଏଆଇ ଚର୍ଚ୍ଚାରେ ନଥିଲା । ବର୍ତ୍ତମାନ ଲୋକମାନେ ଏଆଇ ଭବିଷ୍ୟତକୁ କିଭଳି ପ୍ରଭାବିତ କରିବ ସେ ବିଷୟରେ ଚିନ୍ତିତ ଅଛନ୍ତି । ‘ଇଣ୍ଟେନ୍ସନ୍ ଇକୋନୋମି’ କ୍ଷେତ୍ରରେ ଏଆଇ ପ୍ରଭାବ ରହିଛି। ସାମାଜିକ ବୈଷୟିକ କ୍ଷେତ୍ର ଓ ଜଳବାୟୁ ପରିବର୍ତ୍ତନକୁ ନେଇ ମଧ୍ୟ ଏହାର ଭୂମିକା ରହିବ। କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ। ଭାରତରେ ଅବସ୍ଥାପିତ ଗୁୟାନାର ହାଇକମିଶନ ଧରମ କୁମାର ସିରାଜ, ଟିମୋରଲେଷ୍ଟେର ରାଷ୍ଟ୍ରଦୂତ କାର୍ଲିଟୋ ନ୍ୟୁନସ ଏବଂ ବଲିଭିଆର କାଉନ୍ସେଲର ମିସ୍ ଆର୍ଲେଟ ଗାବ୍ରିଏଲା ବୁସ୍ତାମାଂଟେ ଗାର୍ସିଆ ମଧ୍ୟ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ଶ୍ରୀ ସିରାଜ କହିଥିଲେ, ମଣିଷର ଦୈନନ୍ଦିନ ଜୀବନରେ ଏଆଇର ପ୍ରଭାବ ରହିଛି। ବିକାଶ କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେଉଛି । ଅର୍ଥନୀତି ଓ ବିକାଶ ଉପରେ ମଧ୍ୟ ଏହାର ଭୂମିକା ରହିବ। ଏଆଇ ପ୍ରଶିକ୍ଷିତ ଓ ଏଆଇର ବ୍ୟବହାର ଜାଣିଥିବା ବ୍ୟକ୍ତିଙ୍କ ପାଇଁ ଏଆଇକୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ । ତେବେ ଯେଉଁମାନେ ଏଆଇ ପ୍ରଶିକ୍ଷିତ ନୁହନ୍ତି, ସେମାନେ ଚାକିରି ହରାଇବା ସମ୍ଭାବନା ରହିଥିବା ସେ କହିଥିଲେ । କାର୍ଯ୍ୟକ୍ରମରେ ସୋଆ ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।