‘ଜାତୀୟ ସୁରକ୍ଷା ମାମଲା’: ଆମେରିକା ଫେରନ୍ତା ଡାକ୍ତର ଦମ୍ପତିଙ୍କ ପାଖରୁ ଲୁଟି ନେଲେ ୧୫ କୋଟି ଟଙ୍କା

NEWS7
moon-milk-for-good-sleep-and-to-boost-immune-power

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ଏକ ସାଂଘାତିକ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ସାଇବର ଠକ ଦିଲ୍ଲୀର ଜଣେ ଆମେରିକା ଫେରନ୍ତା ଡାକ୍ତର ଦମ୍ପତିଙ୍କୁ ‘ଡିଜିଟାଲ ଆରେଷ୍ଟ’ କରି ସେମାନଙ୍କଠାରୁ ୧୪.୮୫ କୋଟି ଟଙ୍କା ଠକି ନେଇଛନ୍ତି । ଡାକ୍ତର ଓମ୍ ତନେଜା ଏବଂ ତାଙ୍କ ପତ୍ନୀ ଡାକ୍ତର ଇନ୍ଦିରା ତନେଜା ପ୍ରାୟ ୪୮ ବର୍ଷ ଧରି ଆମେରିକାରେ ରହି ଜାତିସଂଘରେ କାର୍ଯ୍ୟ କରୁଥିଲେ ଏବଂ ଅବସର ନେବା ପରେ ୨୦୧୫ରେ ଭାରତ ଫେରି ଆସିଥିଲେ।

୨୦୧୫ ମସିହାରୁ, ଏହି ଦମ୍ପତି ଦାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଡିସେମ୍ବର ୨୪ ତାରିଖରେ, ଦମ୍ପତିଙ୍କୁ ସାଇବର ଠକମାନେ ଏକ ଫୋନ୍ କରିଥିଲେ । ସେମାନେ ମିଥ୍ୟା ମାମଲା ଏବଂ ଗିରଫ ପରୱାନା ଜାରି ହୋଇଥିବା ନାଁରେ ଭୟଭୀତ କରାଇଥିଲେ। ଡିସେମ୍ବର ୨୪ ରୁ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ, ସାଇବର ଠକମାନେ ଭିଡିଓ କଲ୍ ମାଧ୍ୟମରେ ଓମ୍ ତନେଜା ଏବଂ ତାଙ୍କ ପତ୍ନୀ ଇନ୍ଦିରା ତନେଜାଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲେ। ଏହି ସମୟ ମଧ୍ୟରେ ଡାକ୍ତର ଦମ୍ପତି ୮ଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ।

ଇନ୍ଦିରା ତନେଜା କହିଛନ୍ତି ଯେ, ସାଇବର ଠକମାନେ ତାଙ୍କୁ ଗିରଫ ୱାରେଣ୍ଟ ଏବଂ ମିଥ୍ୟା ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ। ଏହା ବ୍ୟତୀତ, ସେମାନେ PMLA ଏବଂ ମନି ଲଣ୍ଡରିଂ ଆଇନର ଭୟ ଦେଖାଇଥିଲେ । ସେମାନେ ଜାତୀୟ ସୁରକ୍ଷା ନାମରେ ତାଙ୍କୁ ଡିଜିଟାଲ ଆରେଷ୍ଟ ମଧ୍ୟ କରିଥିଲେ। ଡକ୍ଟର ଇନ୍ଦିରା ତନେଜାଙ୍କ ଅନୁଯାୟୀ, ତାଙ୍କ ଡିଜିଟାଲ ଗିରଫଦାରୀ ସମୟରେ ଯେତେବେଳେ ତାଙ୍କୁ ବାହାରକୁ ଯିବାକୁ ପଡୁଥିଲା କିମ୍ବା କଲ୍ କରିବାକୁ ପଡୁଥିଲା, ସାଇବର ଠକମାନେ ତାଙ୍କ ସ୍ୱାମୀଙ୍କୁ ଭିଡିଓ କଲ୍ କରି ସବୁକିଛି ଶୁଣୁଥିଲେ । ତନେଜା କହିଛନ୍ତି, ସାଇବର ଠକଙ୍କ ପଛ ପଟେ କୋଲାବା ପୋଲିସ ଲେଖାଥିବା ଏକ ବ୍ୟାନର ଥିଲା ।

ସାଇବର ଠକ କହିଥିଲେ, ତାଙ୍କ (ତନେଜା) ନାଁରେ ଏକ କାନାରା ବ୍ୟାଙ୍କ ଆକାଉଣ୍ଟ ରହିଛି । ଏହି ଆକାଉଣ୍ଟରେ ଜାତୀୟ ସୁରକ୍ଷା ସହ ଜଡ଼ିତ ଏକ ବଡ଼ ଠକେଇ ମାମଲା ସାମ୍ନାକୁ ଆସିଛି। ଏହା ପରେ ସେମାନେ ଦମ୍ପତିଙ୍କୁ ମୁମ୍ବାଇ ଯିବାକୁ କହିଥିଲେ ଏବଂ ସେଠାରେ ତାଙ୍କୁ ଗିରଫ କରାଯିବ ବୋଲି ଭୟ ଦେଖାଇଥିଲେ । କିନ୍ତୁ ଇନ୍ଦିରା ତନେଜା କହିଥିଲେ, ସେ ମୁମ୍ବାଇ ଆସିବା ସମ୍ଭବ ନୁହେଁ, କାରଣ ତାଙ୍କ ସ୍ବାମୀ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାପରେ ସାଇବର ଠକ ଏହାର ଏକ ବିକଳ୍ପ ଦେଇଥିଲେ । ତଦନ୍ତ ଚାଲିବା ପର୍ଯ୍ୟନ୍ତ କାହାକୁ କଣ୍ଟାକ୍ଟ କରିବାକୁ ମନା କରିଥିଲେ।

ପୋଲିସ ଅନୁସାରେ, ଜାନୁଆରୀ ୯ରେ ସାଇବର ଠକମାନେ ଆଉ କଲ କରିନଥିଲେ । ପରେ ଦମ୍ପତି ପୋଲିସ ପାଖରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ଦମ୍ପତିଙ୍କ ପାଖରୁ ୧୪ କୋଟି ୮୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସାଇବର ଲୁଟେରା। ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।