ବିଦେଶରେ ସହଜ ହେବ ପେମେଣ୍ଟ, ବ୍ରିକ୍ସ ଦେଶର ଡିଜିଟାଲ ମୁଦ୍ରା ଯୋଡ଼ିବାକୁ RBIର ପ୍ରସ୍ତାବ: ରିପୋର୍ଟ

NEWS7
monsoon-to-be-touch-odisha-by-2nd-june

ନୂଆଦିଲ୍ଲୀ: ବିଦେଶରେ ସହଜ ଏବଂ ସରଳ ପେମେଣ୍ଟ ବ୍ୟବସ୍ଥା କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ପ୍ରସ୍ତାବ ଆଣିଛି। ଖବର ସରବରାହ ସଂସ୍ଥା ରୟଟର୍ସର ରିପୋର୍ଟ ଅନୁସାରେ, RBI ବିଦେଶରେ ପେମେଣ୍ଟକୁ ସହଜ କରିବା ପାଇଁ ବ୍ରିକ୍ସ ଦେଶମାନଙ୍କର ଡିଜିଟାଲ ମୁଦ୍ରାକୁ ସଂଯୋଗ କରିବାକୁ ପ୍ରସ୍ତାବ ଦେଇଛି। ରିଜର୍ଭ ବ୍ୟାଙ୍କ ଅନୁସାରେ, ଏହାଦ୍ବାରା ସୀମାପାର ବାଣିଜ୍ୟ ଏବଂ ପର୍ଯ୍ୟଟନ ସୁଗମ ହେବ।

ରିପୋର୍ଟ ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ପ୍ରସ୍ତାବ ସରକାରଙ୍କୁ ସୁପାରିଶ କରିଛି। ଆରବିଆଇର ଏହି ପ୍ରସ୍ତାବକୁ ୨୦୨୬ ବ୍ରିକ୍ସ ଶିଖର ସମ୍ମେଳନର ଏଜେଣ୍ଡାରେ ସାମିଲ କରାଯାଇପାରେ। କାରଣ ଏଥର ଭାରତ ବ୍ରିକ୍ସ ସମ୍ମେଳନ ଆୟୋଜନ କରିବାକୁ ଯାଉଛି। ଏହି ସମ୍ମେଳନ ଚଳିତ ବର୍ଷ ଶେଷ ବେଳକୁ ଆୟୋଜିତ ହେବ।

ତେବେ ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରାଯାଏ, ତେବେ ଏହା ବ୍ରିକ୍ସ ସଦସ୍ୟଙ୍କ କେନ୍ଦ୍ରୀୟ ବ୍ୟାଙ୍କ୍ ଡିଜିଟାଲ ମୁଦ୍ରା (CBDC)କୁ ଯୋଡ଼ିବାର ପ୍ରଥମ ଔପଚାରିକ ପ୍ରୟାସ ହେବ। ଏକ ଏଭଳି ପଦକ୍ଷେପ ଯାହା ଭୂ- ରାଜନୈତିକ ତିକ୍ତତାର ଏହି ଅବସରରେ ଆମେରିକା ଡଲାରରେ ନିର୍ଭରତା କମ୍ କରିପାରେ।

ସୂଚନାଥାଉକି, ବ୍ରିକ୍ସ ସମୂହରେ ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ସହ ୟୁଏଇ, ଇରାନ ଏବଂ ଇଣ୍ଡୋନେସିଆ ଭଳି ନୂଆ ସଦସ୍ୟ ସାମିଲ ଅଛନ୍ତି। ତେବେ ଏହି ଦେଶମାନଙ୍କ ମଧ୍ୟରେ ଡିଜିଟାଲ ଚୁକ୍ତି ଲାଗୁ ଉପରେ ଓ୍ବାସିଂଟନ ପକ୍ଷରୁ କଡ଼ା ନିରୀକ୍ଷଣ ରଖାଯାଇପାରେ। କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ହିଁ ବ୍ରିକ୍ସକୁ ‘ଆମେରିକା ବିରୋଧୀ’ କହିଛନ୍ତି ଏବଂ ସଦସ୍ୟ ଦେଶଙ୍କ ଉପରେ ମଧ୍ୟ ଟାରିଫ୍ ଲଗାଇବାକୁ ଧମକ ଦେଇଥିଲେ। ତେବେ ଏନେଇ ଆରବିଆଇ, ଭାରତ ସରକାର ଏବଂ ଅନେକ ବ୍ରିକ୍ସ କେନ୍ଦ୍ରୀୟ ବ୍ୟାଙ୍କ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଉଲ୍ଲେଖଯୋଗ୍ୟ, ଭାରତ ସୀମା ପାର ନେଣଦେଣର ଦ୍ରୁତ ବୃଦ୍ଧି ପାଇଁ ଏବଂ ବିଶ୍ବ ସ୍ତରରେ ଭାରତୀୟ ମୁଦ୍ରାର ଅଧିକ ବ୍ୟବହାର ବଢ଼ାଇବାକୁ ଡିଜିଟାଲ ଟଙ୍କାକୁ ଅନ୍ୟ ଦେଶର ସିବିଡିସି ସହ ଯୋଡ଼ିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛି। ଅବଶ୍ୟ ଏପର୍ଯ୍ୟନ୍ତ ବ୍ରିକ୍ସର କୌଣସି ସଦସ୍ୟ ଦେଶ ନିଜର ସିବିଡିସିକୁ ସଂପୂର୍ଣ୍ଣ ଭାବରେ ଲଞ୍ଚ କରିନାହାଁନ୍ତି।କିନ୍ତୁ ସବୁ ୫ ପ୍ରମୁଖ ଅର୍ଥବ୍ୟବସ୍ଥା ପାଇଲଟ ପ୍ରୋଜେକ୍ଟ ଚଳାଉଛନ୍ତି। ଭାରତର ଇ- ରୁପି ୨୦୨୨ ଡିସେମ୍ବରରେ ଲଞ୍ଚ ହେବା ପର ଠାରୁ ପ୍ରାୟ ୭ ମିଲିୟନ ରିଟେଲ ୟୁଜର୍ସ କରିଛି। ଯେତେବେଳେକି ଚୀନ ଏହାର ଡିଜିଟାଲ ୟୁଆନର ବ୍ୟାପକ ଅନ୍ତର୍ଜାତୀୟ ବ୍ୟବହାରକୁ ପ୍ରୋତ୍ସାହିତ କରୁଛି।ଆରବିଆଇ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଅଫଲାଇନ ପେମେଣ୍ଟ, ସରକାରୀ ସବସିଡି ପାଇଁ ମଧ୍ୟ ଏହାକୁ ଜାରି କରିଛି।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ମୁଦ୍ରା ସଂଯୋଗର ସୂଚାରୁ ରୂପେ ପରିଚାଳନା ପାଇଁ ପ୍ରଯୁକ୍ତି, ଶାସନ ଏବଂ ବାଣିଜ୍ୟିକ ଅସନ୍ତୁଳନର ସମାଧାନ ପାଇଁ ଏକ ମିଳିତ ଢାଞ୍ଚା ଆବଶ୍ୟକ ହେବ। କେଉଁ ଟେକ୍ନୋଲୋଜିର ବ୍ୟବହାର କରାଯିବ ? କିମ୍ବା କେଉଁ ଦେଶର ପ୍ଲାଟଫର୍ମ ଉପରେ ଭରସା କରାଯିବ। ତାହା ଉପରେ ମତଭେଦ ବିକାଶକୁ ମନ୍ଥର କରିପାରେ। ଏଥିପାଇଁ ପରସ୍ପର ମଧ୍ୟରେ ସହମତି ଅତ୍ୟନ୍ତ ମହତ୍ବପୂର୍ଣ୍ଣ।

ସୂଚନାଥାଉକି, ଟ୍ରମ୍ପଙ୍କ ଟାରିଫ୍ ଧମକ ଏବଂ ଭୂ- ରାଜନୈତିକ ପରିବର୍ତ୍ତନ ମଧ୍ୟରେ ବ୍ୟାପକ ବ୍ରିକ୍ସ ପ୍ରକଳ୍ପ ପୁଣି ଥରେ ଧ୍ୟାନ ଆକର୍ଷଣ କରିଛି। ଭାରତର ରୁଷ ଏବଂ ଚୀନ ସହ ଆର୍ଥିକ ସମ୍ପର୍କ ମଜଭୁତ ହୋଇଛି। ଅବଶ୍ୟ ଆମେରିକା ସହ ଟ୍ରେଡ ଡିଲ୍ର ସାମ୍ନା କରିବାକୁ ପଡ଼ୁଛି।

ତେବେ ମିଳିତ ଭାବରେ ଗୋଟିଏ ବ୍ରିକ୍ସ ମୁଦ୍ରା ଆଣିବା ପ୍ରସ୍ତାବ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି। ଷ୍ଟେବୁଲକଏନର ଦ୍ରୁତ ଭାବରେ ପ୍ରସାର କାରଣରୁ ସିବିଡିସି ପ୍ରତି ବୈଶ୍ବିକ ଉତ୍ସାହ କମ୍ ହୋଇଛି। ଭାରତୀୟ ଅଧିକାରୀ ଷ୍ଟେବୁଲକଏନକୁ ନେଇ ସତର୍କ ରହିଛନ୍ତି। କାରଣ ଆରବିଆଇ ଅନୁସାରେ ଏହାଦ୍ବାରା ମୌଦ୍ରିକ ସ୍ଥିରତା ଦୁର୍ବଳ ହୋଇପାରେ ଏବଂ ପେମେଣ୍ଟ ପ୍ରଣାଳୀ ଖଣ୍ଡିତ ହୋଇପାରେ। କିନ୍ତୁ ସିବିଡିସି ଏକ ସୁରକ୍ଷିତ ବିକଳ୍ପ। ଏହା ବ୍ୟକ୍ତିଗତ ଭାବରେ ଜାରି କରାଯାଇଥିବା ଡିଜିଟାଲ ଟୋକେନ ସହ ଜଡ଼ିତ ସଙ୍କଟରୁ ଦୂରରେ ରହିଛି।

ତେବେ ଭାରତ ଦ୍ବାରା ବ୍ରିକ୍ସ ଡିଜିଟାଲ ମୁଦ୍ରା ଯୋଡ଼ିବା ପ୍ରସ୍ତାବ ଚଳିତ ବର୍ଷର ଶିଖର ସମ୍ମେଳନରେ ସବୁଠୁ ମହତ୍ବପୂର୍ଣ୍ଣ ଆର୍ଥିକ ଚର୍ଚ୍ଚା ମଧ୍ୟରେ ଗୋଟିଏ ହୋଇଛି। ଏହା ବିକାଶଶୀଳ ଅର୍ଥବ୍ୟବସ୍ଥା ଦ୍ବାରା ବାଣିଜ୍ୟକୁ ନୂଆ ଆକାର ଦେଇପାରେ ଏବଂ ଆମେରିକା ଡଲାରର ପ୍ରଭୁତ୍ବକୁ ଚାଲେଞ୍ଜ ଦେଇପାରେ।