LIVE TV

RJD ସେୟାର କରିଛି ଫିଙ୍ଗା ଯାଇଥିବା VVPAT ସ୍ଲିପ୍ ଭିଡିଓ, ବିହାର ଭୋଟଗ୍ରହଣ ପ୍ରକ୍ରିୟା ଉପରେ ଉଠିଲା ପ୍ରଶ୍ନ

NEWS7
monetary-fund-suspends-relations-with-afghanistan-setback-for-taliban

ସମସ୍ତିପୁର ୮।୧୧: ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ସମସ୍ତିପୁରରୁ ବଡ଼ ଖବର ସାମ୍ନାକୁ ଆସୁଛି। ସରାୟରଞ୍ଜନ ବିଧାନସଭା ନିର୍ବାଚନମଣ୍ଡଳିର ଶୀତଲ ପଟ୍ଟି ଗାଁ ନିକଟରେ ହଜାର ହଜାର ଭିଭିପିଏଟି ସ୍ଲିପ୍ ଅଳିଆ ଗଦାରେ ଫିଙ୍ଗା ହୋଇଥିବା ଦେଖା ଯାଇଛି। ତେବେ ଏତେ ସଂଖ୍ୟାରେ ଭିଭିପିଏଟି ସ୍ଲିପ୍ ଫିଙ୍ଗାଯିବାର କାରଣ କଣ ସେ ନେଇ ହଟଚମଟ ସୃଷ୍ଟି ହୋଇଛି। ଏହି ଘଟଣା ନିର୍ବାଚନ ପ୍ରକ୍ରିୟାର ପାରଦର୍ଶିତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ବିହାରରେ ଯେଉଁ ସବୁ ସିଟ୍ ରେ ଭୋଟଗ୍ରହଣ ସରିଛି ସେହି ସବୁ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖା ଯାଇଥିବା ବେଳେ ଏହାର ସୁରକ୍ଷା ପାଇଁ ବହୁ ସଂଖ୍ୟାରେ ପୋଲିସ କର୍ମୀ ଓ ରାଜନୈତିକ ଦଳର ପ୍ରତିନିଧି ମୁତୟନ ହୋଇଛନ୍ତି। ତେବେ ଫିଙ୍ଗା ଯାଇଥିବା ଭିଭିପିଏଟି ସ୍ଲିପ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆରଜେଡି ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫିଙ୍ଗା ଯାଇଥିବା ଭିଭିପିଏଟି ସ୍ଲିପର ଭିଡିଓ ସେୟାର କରିଛି ଓ ଏହା ସମସ୍ତିପୁରର ସରାୟରଞ୍ଜନ ନିର୍ବାଚନ ମଣ୍ଡଳିର ବୋଲି ଦାବି କରିଛି।

ଏଥିରେ ଅଭିଯୋଗ କରାଯାଇଛି ଯେ ସମସ୍ତିପୁର ସରାୟରଞ୍ଜନ ବିଧାନସଭା ନିର୍ବାଚନମଣ୍ଡଳିର କେଏସଆର କଲେଜ ନିକଟ ସଡ଼କରେ ବହୁ ସଂଖ୍ୟାରେ ଇଭିଏମରୁ ବାହାରିଥିବା ଭିଭିପିଏଟି ସ୍ଲିପ୍ ଉଡୁଛି। କେବେ, କିପରି ଓ କାହିଁକି,  କାହା ଇସାରାରେ ଏହି ସ୍ଲିପଗୁଡିକୁ ଫିଙ୍ଗିଦିଆଗଲା ନିର୍ବାଚନ ଆୟୋଗ ଏହାର ଜବାବ ଦେବେ? ଏହା ଉପରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସମସ୍ତିପୁର ଡିଏମଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଇ ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି। ଡିଏମଙ୍କ ପ୍ରାରମ୍ଭିକ ଯାଞ୍ଚରୁ ଫୋପାଡି ଦିଆଯାଇଥିବା ସ୍ଲିପଗୁଡିକ ମକ ପୋଲର ଭିଭିପିଏଟି ସ୍ଲିପ ବୋଲି ଜଣାପଡିଛି। ଡିଏମ ଏହି ସୂଚନା ନିର୍ବାଚନ ଲଢୁଥିବା ସବୁ ପ୍ରାର୍ଥୀଙ୍କୁ ମଧ୍ୟ ଦେଇଛନ୍ତି। ଏହା ଛଡା ସମ୍ବଦ୍ଧିତ ଏଆରଓଙ୍କୁ ଦାୟିତ୍ୱରେ ଅବହେଳା ଅଭିଯୋଗରେ ଚାକିରୀରୁ ନିଲମ୍ବନ କରାଯାଇଛି।

ସୂଚନା ଅନୁସାରେ ନଭେମ୍ବର ୬ ତାରିଖ ଦିନ ସରାୟରଞ୍ଜନ ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ଭୋଟ ଗ୍ରହଣ ସମାପ୍ତ ହୋଇଥିଲା। ତେବେ ଭୋଟ ଗ୍ରହଣର ଦୁଇ ଦିନ ପରେ ଶୀତଲ ପଟ୍ଟି ଗାଁରେ ଭିଭିପିଏଟିରୁ ବାହାରିଥିବା ସ୍ଲିପ ଗୁଡିକ ଅଳିଆ ଗଦାରେ ପଡିଥିବା ଦେଖାଯାଇଛି। ଏଣୁ ନିର୍ବାଚନ ଆୟୋଗଙ୍କ ପ୍ରକ୍ରିୟା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ବିବାଦ ବଢିବାରୁ ଜିଲ୍ଲା ଡିଏମ ଓ ଏସପି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ପାଇଁ ଆଶ୍ୱାସନା ଦେଇଛନ୍ତି । ଏବେ ପ୍ରଶାସନ ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ କରୁଛି, ଯାହା ଦ୍ୱାରା ନିର୍ବାଚନର ପାରଦର୍ଶିତା ନିଶ୍ଚିତ କରାଯାଇ ପାରିବ ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବ।