LIVE TV

ଜୋହରାନଙ୍କ ବିଜୟ ପଛରେ ମାୟାଙ୍କ 'ମାୟା', ସମ୍ଭାଳିଥିଲେ ପ୍ରଚାର ଦାୟିତ୍ୱ

NEWS7
modis-visit-critical-to-strengthening-india-us-relationship

ନୂଆଦିଲ୍ଲୀ, ୦୭|୧୧  :   ନ୍ୟୁୟର୍କ ମେୟର ନିର୍ବାଚନରେ ବାଜିମାତ୍ କରି ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଜୋହରାନ ମମଦାନୀ । ତାଙ୍କ ବିଜୟକୁ ନେଇ ଆମେରିକା ସହ ଭାରତରେ ମଧ୍ୟ ଜୋରଦାର ଚର୍ଚ୍ଚା । ତାଙ୍କ ମାଆ ଭାରତରେ ଜନ୍ମ ହୋଇଥିବାରୁ ଜୋହରାନଙ୍କ ଭାରତ ସହ ପୁରୁଣା ସମ୍ପର୍କ ରହିଛି । ତେବେ ସେ ଜିତିବା ପଛରେ ଏକ ବଡ କାରଣ ଥିଲା ସମାଜବାଦୀ ଚିନ୍ତାଧାରା । ଏହାସହ ପ୍ରଭାବୀ ପ୍ରଚାର ମଧ୍ୟ ସେ କରିଥିଲେ । ଯାହାର ନେତୃତ୍ୱ ନେଉଥିଲେ ମାୟା ହଣ୍ଡା । ୨୦୨୫ ଜୁଲାଇ ମାସରେ ମାୟାଙ୍କୁ ଜୋହରାନଙ୍କ ପ୍ରଚାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା ।  

ମାୟା ହେଲେ ଜଣେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ୍ । ନ୍ୟୁୟର୍କ ବିଷୟରେ ତାଙ୍କ ପାଖରେ ସମସ୍ତ ତଥ୍ୟ ରହିଥିଲା । ଭୋଟରଙ୍କ ମୁଡକୁ ମଧ୍ୟ ସେ ପରଖିଥିଲେ । କେଉଁ ଭାଷଣ ଦେଲେ ଭୋଟର ଆକୃଷ୍ଟ ହେବେ, କଣ କଲେ ଜୋହରାନଙ୍କ ସପକ୍ଷରେ ହାଓ୍ୱା ହେବ ସେନେଇ କାର୍ଯ୍ୟ କରୁଥିଲେ ମାୟା । ଏହାସହ କେଉଁ ପ୍ରସଙ୍ଗକୁ ଫୋକସ କରାଯିବ କାହାକୁ ଫେକାସ କରାନଯିବ ସେନେଇ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିଥିଲେ ।

ମାୟା ପ୍ରଚାର କ୍ଷେତ୍ରରେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଛନ୍ତି । ସେ ସିନେଟର ଏଲିଜାବେଥ୍ ଓ୍ୱାରେନଙ୍କ ପ୍ରଚାର କାର୍ଯ୍ୟ ସମ୍ଭାଳୁଥିଲେ । ନର୍ଥ କଲମ୍ବିଆରେ ନିଦା ଆଲାମଙ୍କ ନିର୍ବାଚନ କାର୍ଯ୍ୟର ସମସ୍ତ ତଦାରଖ କରୁଥିଲେ ସେ । ଏତତ୍ ବ୍ୟତୀତ ଅନେକ ସ୍ଥାନୀୟ ଅଧିକାରୀଙ୍କ ସହ କାମ କରିଛନ୍ତି । ସାମାଜିକ ନ୍ୟାୟ, ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ମଧ୍ୟ ରହିଥିଲା । ଯାହା ଜୋହରାନଙ୍କ ବିଜୟର ରାସ୍ତାକୁ ସହଜ କରିଦେଇଥିଲା ।

ଇତିହାସ ରଚିଥିଲେ ଜୋହରାନ

ନିକଟରେ ଆମେରିକାର ନ୍ୟୁୟର୍କରେ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମେୟର ପଦ ପାଇଁ ଲଢୁଥିବା ଜୋହରାନ ମମଦାନୀ ନିର୍ବାଚନରେ ବିଜୟ ହୋଇଥିଲେ । ଏହାସହ ଡେମୋକ୍ରାଟିକ୍ ସୋସିଆଲିଷ୍ଟ୍ ପାର୍ଟିର ମୁଖ୍ୟ ପ୍ରାର୍ଥୀ ଭାବେ ସେ ନିର୍ବାଚନରେ ନିଜର ପତିଆରା ବୃଦ୍ଧି କରିଛନ୍ତି । ସେ ତାଙ୍କ ପ୍ରତିପକ୍ଷ ତଥା ସ୍ବାଧୀନ ପ୍ରାର୍ଥୀ ଆଣ୍ଡ୍ରିୟୁ କୁଓମୋ ଏବଂ ରିପବ୍ଲିକାନ୍ ପ୍ରାର୍ଥୀ କର୍ଟିସ୍ ସ୍ଲିଓ୍ୱାଙ୍କୁ ମାତ୍ ଦେଇଥିଲେ ।

ତ୍ରିମୁଖି ନିର୍ବାଚନରେ ଜୋହରାନଙ୍କୁ କଡା ଟକ୍କର ଦେଉଥିଲେ ଆଣ୍ଡ୍ରିୟୁ । ମେୟର ନିର୍ବାଚନ ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଥିଲା । କାରଣ ଜୋହରାନଙ୍କୁ ଟ୍ରମ୍ପ୍ ବିରୋଧ କରୁଥିଲେ । ଏପରିକି ଧମକ ମଧ୍ୟ ଦେଇଥିଲେ । ଏହା ସତ୍ୱେ ଜୋହରାନ ଐତିହାସିକ ବିଜୟ ହାସଲ କରିଛନ୍ତି । ପ୍ରଚାର ସମୟରେ ଜୋହରା ହିନ୍ଦୀରେ ଭାଷଣ ଦେଉଥିଲେ । ଏପରିକି ବିଜୟୀ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହରୁଙ୍କ ଏକ ଉକ୍ତିକୁ ଭାଷଣରେ ସ୍ଥାନ ଦେଇଥିଲେ ।