ଅଷ୍ଟ୍ରେଲିଆନ ଓପନ୍ସ : ଫାଇନାଲରେ ରିବାକିନା-ସାବାଲେଙ୍କା

NEWS7
modi-orders-to-buy-one-lakhs-oxygen-concentrators-from-pm-cares-fund

ମେଲବର୍ଣ୍ଣ, ୩୦|୧ : ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମର ମହିଳା ସିଙ୍ଗଲ୍ସ ଫାଇନାଲରେ ଟପ୍ ସିଡ୍ ବେଲାରୁଷର ଅରନ୍ୟା ସାବାଲେଙ୍କା ଓ ପଞ୍ଚମ ସିଡ୍ କାଜାଖସ୍ତାନର ଏଲିନା ରିବାକିନା ପରସ୍ପରକୁ ଭେଟିବେ । ଉଭୟ ୨୦୨୩ ସଂସ୍କରଣର ଫାଇନାଲରେ ମଧ୍ୟ ସାମ୍ନା ସାମ୍ନି ହୋଇଥିଲେ । ଦ୍ୱାଦଶ ଦିବସରେ ଅନୁଷ୍ଠିତ ସେମି ଫାଇନାଲ୍ ମୁକାବିଲାରେ ସାବାଲେଙ୍କା ୬-୨,୬-୩ ସେଟରେ ଦ୍ୱାଦଶ ସିଡ୍ ୟୁକ୍ରେନର ଏଲିନା ସ୍ୱିତୋଲିନାଙ୍କୁ ହରାଇଥିଲେ । ଏହି ମ୍ୟାଚ ଜିତିବା ପାଇଁ ତାଙ୍କୁ ୧ଘଣ୍ଟା ୧୬ ମିନିଟ୍ ଲାଗିଥିଲା ।

ମ୍ୟାଚ ମଧ୍ୟରେ କିଛି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ସାବାଲେଙ୍କାଙ୍କୁ ପଏଣ୍ଟ ହରାଇବାକୁ ପଡ଼ିଥିଲା । ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ସେ ସିଧାସଳଖ ସେଟରେ ବିଜୟ ହାସଲ କରିଥିଲେ । ମ୍ୟାଚ୍ ପରେ ମଧ୍ୟ ଉଭୟ ଖେଳାଳି କରମର୍ଦ୍ଦନ କରି ନଥିଲେ । ରିବାକିନା ମଧ୍ୟ ସିଧାସଳଖ ସେଟ୍ରେ ଷଷ୍ଠ ସିଡ୍ ଜେସିକା ପେଗୁଲାଙ୍କୁ ହରାଇଥିଲେ । ସେ ୬-୩,୭-୬(୯-୭) ସେଟରେ ବିଜୟ ହାସଲ କରିଥିଲେ । ଦ୍ୱିତୀୟ ସେଟରେ ପେଗୁଲା ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ହେଁ ଟାଇବ୍ରେକରରେ ପରାଜିତ ହୋଇଥିଲେ । ରିବାକିନା ଦ୍ୱିତୀୟ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଥିଲେ । ସାବାଲେଙ୍କା ଓ ରିବାକିନା ଇତି ମଧ୍ୟରେ ପରସ୍ପରକୁ ୧୪ଥର ଭେଟିଛନ୍ତି । ଏଥିରୁ ସାବାଲେଙ୍କା ୮ଟି ମ୍ୟାଚ ଜିତିଥିବାବେଳେ ରିବାକିନା ୬ଟିରେ ବିଜୟୀ ହୋଇଛନ୍ତି ।

୨୦୨୩ ଅଷ୍ଟ୍ରେଲିଆ ଫାଇନାଲ୍ ଖେଳିବା ସମୟରେ ରିବାକିନାଙ୍କ ମାନ୍ୟତା ୨୨ ଓ ସାବାଲେଙ୍କାଙ୍କ ମାନ୍ୟତା ୫ ଥିଲା । ସାବାଲେଙ୍କା ୪-୬,୬-୩,୬-୪ ସେଟ୍ରେ ଉକ୍ତ ମ୍ୟାଚ ଜିତି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ । ସେବେଠୁ ସାବାଲେଙ୍କା କ୍ରମାନ୍ୱୟରେ ଚତୁର୍ଥ ଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲ୍ ଖେଳିବାକୁ ଯାଉଛନ୍ତି । ଗତ ବର୍ଷ ସେ ଆମେରିକାର ମାଡିସନ କିଜଙ୍କ ଠାରୁ ଫାଇନାଲରେ ପରାଜିତ ହୋଇ ଟାଇଟଲରୁ ବଞ୍ଚିତ ହୋଇଥିଲେ । ଗତ ବର୍ଷ ସାବାଲେଙ୍କା ଓ ରିବାକିନା ପରସ୍ପରକୁ ୪ଥର ଭେଟିଥିଲେ । ରିବାକିନା ସିନସିନାଟି ଓପନ ଓ ଡବଲୁଟିଏ ଫାଇନାଲରେ ବିଜୟ ହାସଲ କରିଥିଲେ ।

ସେହିପରି ସାବାଲେଙ୍କା ଚାଇନା ଓପନ ଓ ବର୍ଲିନ ଓପନରେ ରିବାକିନାଙ୍କୁ ହରାଇଥିଲେ । ପୁରୁଷ ଡବଲ୍ସ ଫାଇନାଲରେ ଜାସନ କୁବଲର ଓ ମାର୍କ ପୋଲମାନ୍ସ ଯୋଡ଼ି ଷଷ୍ଠ ସିଡ୍ ଖ୍ରୀଷ୍ଟିଆନ ହ୍ୟାରିସନ ଓ ନିଲ ସ୍କୁପସସ୍କି ଯୋଡ଼ିଙ୍କୁ ଭେଟିବେ । ସେମି ଫାଇନାଲରେ କୁବଲର-ପୋଲମାନ୍ସ ଯୋଡ଼ି ୬-୨,୩-୬,୬-୩ ସେଟରେ ଲ୍ୟୁକ ଜନସନ ଓ ଜାନ ଜେଲିନସ୍କି ଯୋଡ଼ିଙ୍କୁ ହରାଇଥିଲେ । ଅନ୍ୟ ସେମି ଫାଇନାଲରେ ହ୍ୟାରିସ୍-ସ୍କୁପସ୍କି ଯୋଡ଼ି ୬-୩,୭-୬(୯-୭) ସେଟରେ ମର୍ସେଲ ଗ୍ରାନୋଲର୍ସ ଓ ହୋରାସିଓ ଜେବାଲସ ଯୋଡ଼ିଙ୍କୁ ପରାଜିତ କରିଥିଲେ । ମହିଳା ଡବଲ୍ସ ଫାଇନାଲରେ ଚତୁର୍ଥ ସିଡ୍ ଏଲିସ ମର୍ଟେନ୍ସ ଓ ସୁଆଇ ଝାଙ୍ଗ ଯୋଡ଼ି ସପ୍ତମ ସିଡ୍ ଆନ୍ନା ଡାଲିନିନା ଓ ଆଲେକଜାନ୍ଦ୍ରା କ୍ରୁନିକ ଯୋଡ଼ିଙ୍କୁ ଭେଟିବେ । ସେମି ଫାଇନାଲରେ ମର୍ଟେନ୍ସ-ଝାଙ୍ଗ ଯୋଡ଼ି ୬-୩,୬-୨ ସେଟ୍ରେ ଭେରା ଭୋନାରେଭା ଓ ଏନା ଶିବାହାରା ଯୋଡ଼ିଙ୍କୁ ଭେଟିବେ । ଅନ୍ୟ ସେମି ଫାଇନାଲରେ ଡାଲିନିନା ଓ କ୍ରୁନିକ ଯୋଡ଼ି ୭-୬(୭-୨),୩-୬,୬-୪ ସେଟରେ ପଞ୍ଚମ ସିଡ୍ ଗାବ୍ରିଏଲା ଡାବ୍ରୋସ୍କି ଓ ଲୁଇସା ଷ୍ଟିଫାନି ଯୋଡ଼ିଙ୍କୁ ହରାଇଥିଲେ ।