ବାଂଲାଦେଶରେ ଗଣତନ୍ତ୍ର ସୁଧାର ଆଶା ଧୂଳିସାତ, ଜୁଲାଇ ଚାର୍ଟର ମାନିବାକୁ ମନା କରିଦେଲେ ତାରିକ୍ ରହମାନ

NEWS7
mobile-phones-must-not-be-utilised-in-a-wrong-way

ଢାକା ୧୭।୨: ବାଂଲାଦେଶରେ ନୂଆ ବିଏନପି ସରକାର ଗଠନ ସହିତ ଜୁଲାଇ ଚାର୍ଟରର ଭବିଷ୍ୟ ଅନ୍ଧକାରମୟ ହୋଇଯାଇଛି। ୧୭ ଫେବୃଆରୀ ମଙ୍ଗଳବାର ତାରିକ୍ ରହମାନଙ୍କ ସହିତ ବିଏନପି ନିର୍ବାଚିତ ସାଂସଦମାନେ ସମ୍ବିଧାନ ସୁଧାର ଆୟୋଗର ସଦସ୍ୟ ରୂପେ ଦ୍ୱିତୀୟ ଶପଥପାଠକୁ ମନା କରିଦେଇଛନ୍ତି। ବିଏନପି ନେତା ସଲାହୁଦ୍ଦିନ ଅହମଦ ସ୍ପଷ୍ଟ ଭାବେ କହିଛନ୍ତି ଯେ ପାର୍ଟି ଏହାକୁ ମାନିବ ନାହିଁ, କାରଣ ଏହା ଏବେ ସମ୍ବିଧାନରେ ସାମିଲ ହୋଇନି।

ଏଣୁ ଗଣତନ୍ତ୍ର ର ସଂସ୍କାର ଲାଗି ୟୁନୁସ ସରକାର ଦ୍ୱାରା ଅଣାଯାଇଥିବା ଜୁଲାଇ ଚାର୍ଟର ଅନୁସାରେ ଜନମତ ସଂଗ୍ରହ ମଞ୍ଜୁରୀ ସତ୍ତ୍ୱେ ମଧ୍ୟ ଲାଗୁ ହେବା ରାସ୍ତାରେ ବାଧା ଉପୁଜିଛି। ଜାନୁୟାରୀ ୧୨ ତାରିଖରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ଓ ଜନମତ ସଂଗ୍ରହରେ ୫୦%ରୁ ଅଧିକ ଭୋଟର ଜୁଲାଇ ଚାର୍ଟରକୁ ମଞ୍ଜୁରୀ ଦେଇଥିଲେ। ହେଲେ ଏବେ ବିଏନପି ଏହାକୁ ଅସ୍ୱୀକାର କରିବା ସୁଧାର ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ବିଏନପି ନୁହେଁ ଜମାତ-ଏ-ଇସ୍ଲାମୀ ସରକାରୀ ଦଳର ଆଭିମୁଖ୍ୟକୁ ସ୍ୱାଗତ କରିଛି ଓ ଶପଥ ନନେବା ପାଇଁ ଧମକ ଦେଇଛି। ଏଣୁ ଦେଶର ନୂଆ ସଂସଦ ପ୍ରାରମ୍ଭରୁ ହିଁ ବିବାଦସ୍ପଦ ହୋଇପଡିଛି।

ବିଏନପି ସାଂସଦମାନେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଆଗରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ହେଲେ ସାମ୍ବିଧାନିକ ସୁଧାର ପରିଷଦର ସଦସ୍ୟ ରୂପେ ଅତିରିକ୍ତ ଶପଥପାଠ ଲାଗି ମନା କରିଦେଇଛନ୍ତି। ବିଏନପି ଷ୍ଟାଣ୍ଡିଂ କମିଟି ସଦସ୍ୟ ସଲାହୁଦ୍ଦିନ ଅହମଦ ତାରିକ ରହମାନଙ୍କ ଉପସ୍ଥିତିରେ ଘୋଷଣା କରିଛନ୍ତି ଯେ ପାର୍ଟି ଏହାକୁ ମାନିବ ନାହିଁ। ସେହିପରି ବିରୋଧୀ ଜମାତ-ଏ-ଇସ୍ଲାମୀ ମଧ୍ୟ ଜୁଲାଇ ଚାର୍ଟରକୁ ମାନିବାକୁ ମନା କରିଦେଇଛି। ଜମାତର ନାୟବ ଅମୀର ସୈୟଦ ଅବଦୁଲ୍ଲା ମହମଦ ତାହେର ସ୍ଥାନୀୟ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ବିଏନପି ଭଳି ଆମ ସାଂସଦମାନେ ମଧ୍ୟ ଏହି ପଦର ଶପଥ ନେବେ ନାହିଁ। ଆମେ ଆମ ଅନୁସାରେ କାମ କରିବୁ।