୨୦ ଟଙ୍କା ଲାଞ୍ଚ ମାମଲାରେ ୩୦ ବର୍ଷ ଜେଲ, ନିର୍ଦ୍ଦୋଷ ପ୍ରମାଣିତ ହେବା ପରଦିନ ମୃତ୍ୟୁ

NEWS7
miscreants-steal-from-liquor-shop-in-nilgiri

ନୂଆଦିଲ୍ଲୀ ୦୮।୦୨: ଗୁଜରାଟର ଜଣେ ବ୍ୟକ୍ତି ୨୦ ଟଙ୍କା ଲାଞ୍ଚ ମାମଲାରେ ୩୦ ବର୍ଷ ଜେଲ୍ରେ ବିତାଇବା ପରେ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରାଗଲା। କିନ୍ତୁ ଏହି ଖୁସି ସେ ଦିନେ ବି ଉପଭୋଗ କରିପାରିଲେ ନାହିଁ । ମାମଲାଟି କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ । ଗତ ଫେବ୍ରୁଆରୀ ୪ ତାରିଖ ମାମଲାର ଶୁଣାଣିରେ ଗୁଜରାଟ ହାଇକୋର୍ଟ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ । ଏହା ଶୁଣି ସେ କହିଲେ, ମୋ ଜୀବନରୁ ଏକ କଳଙ୍କ ଧୋଇ ହୋଇଯାଇଛି। ଭଗବାନ ମୋତେ ନେଇଗଲେ ବି ମୋର ଦୁଃଖ ରହିବ ନାହିଁ ।

ଏ ଖବର ବି ପଢନ୍ତୁ:- ସରିଲା ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ସାଇ-ପାୟଲ-ନାଣ୍ଡୁଙ୍କ ପାଇଁ ହଙ୍ଗାମା, ଟିକେଟ ଟଙ୍କା ଫେରାଗଲା

୧୯୯୬ରେ ପୁଲିସ କନ୍ଷ୍ଟେବଲ ବାବୁଭାଇ ପ୍ରଜାପତିଙ୍କର ଅହମଦାବାଦରେ ପୋଷ୍ଟିଂ ହୋଇଥିଲା । ଏହି ସମୟରେ ତାଙ୍କ ବିରୋଧରେ ୨୦ ଟଙ୍କା ଲାଞ୍ଚ ନେବାର ଅଭିଯୋଗ ହୋଇଥିଲା। ଦୁର୍ନୀତି ନିବାରଣ ଅଧିନିୟମ ଅଧୀନରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ୧୯୯୭ରେ ସେସନ୍ କୋର୍ଟରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ୨୦୦୨ରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା । ୨୦୦୩ରେ ସାକ୍ଷୀଙ୍କ ଶୁଣାଣି ଆରମ୍ଭ ହେଲା ଏବଂ ୨୦୦୪ରେ ସେସନ୍ କୋର୍ଟ ପ୍ରଜାପତିଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ ସହିତ ୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ। ପ୍ରଜାପତି ସେସନ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କଲେ। ଏହା ପରେ ତାଙ୍କ ଆବେଦନ ଦୀର୍ଘ ୨୨ ବର୍ଷ ଧରି ଅଟକି ରହିଲା । ଚଳିତ ମାସ ୪ ତାରିଖରେ ହାଇକୋର୍ଟ ରାୟ ଦେଲେ, ପ୍ରଜାପତି ନର୍ଦ୍ଦୋଷ। କୋର୍ଟ କହିଲେ, ସାକ୍ଷୀମାନଙ୍କ ବୟାନରେ ଗମ୍ଭୀର ବିରୋଧାଭାସ ଥିଲା ଏବଂ ଓକିଲ ତାଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହେଲେ । ପ୍ରଜାପତିଙ୍କ ଓକିଲ ନିତିନ ଗାନ୍ଧୀ କୋର୍ଟକୁ କହିଲେ, ପୂରା ମାମଲା ସନ୍ଦେହ ଉପରେ ଆଧାରିତ ଥିଲା । କୋର୍ଟଙ୍କ ରାୟ ପରେ ସେ ନିତିନଙ୍କ କାର୍ଯ୍ୟାଳୟରେ ପହଞ୍ଚି କଳଙ୍କ ଧୋଇଗଲା ବୋଲି ମର୍ମସ୍ପର୍ଶୀ କଥା କହି ଘରକୁ ଫେରିଗଲେ । ପରଦିନ ତାଙ୍କର ମୃତ୍ୟୁ ହେଲା । ତାଙ୍କ ଶୁଭଚିନ୍ତକ କହୁଛନ୍ତି, ଏହି ଖୁସିକୁ ଉପଭୋଗ କରିବା ପାଇଁ ସେ ଆଉ କିଛି ଦିନ ବଞ୍ଚିଥିଲେ ଭଲ ହୋଇଥାନ୍ତା । ତାଙ୍କ ଓକିଲ ନିତିନ କହିଛନ୍ତି, ମୃତ୍ୟୁ ପୂର୍ବ ଦିନ ସେ ଅଫିସକୁ ଆସିଥିଲେ । ଦୀର୍ଘ ବର୍ଷ ହେଲା ନିଜ ଦେହରେ ଲାଗିଥିବା ମିଛ କଳଙ୍କର ଦାଗ ଧୋଇ ହୋଇଯିବାରୁ ସେ ଖୁବ୍ ଖୁସି ଥିଲେ । ମୁଁ ତାଙ୍କୁ କହିଲି, କାକା ତୁମକୁ ସରକାରଙ୍କଠୁ ମିଳୁଥିବା ସମସ୍ତ ସୁବିଧା ଲାଗି ଆବେଦନ କରିବା ଉଚିତ୍ । ପର ଦିନ ତାଙ୍କୁ ଫୋନ୍ କରିବା ପରେ ଜାଣିଲି, ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି ।

ଏ ଖବର ବି ପଢନ୍ତୁ:-Jatra Controversy : ଆଜି ହୋଇପାରିବ ତ ଶେଷ ଦେଖା ? କମିଟି ପକ୍ଷରୁ ନାଣ୍ଡୁ ବାବୁ, ସାଇ ଏବଂ ପାୟଲ ନାଁରେ ଏତଲା