ମୋବାଇଲ୍ ନେଟୱାର୍କ ପାଇଁ ଦରକାର ପଡ଼ିବନି ଟାୱାର ! ଦୁନିଆର ସର୍ବବୃହତ ବାଣିଜ୍ୟିକ ଉପଗ୍ରହ ଲଞ୍ଚ୍ କରିବ ISRO

NEWS7
miscreants-fired-upon-petrol-pump-employee-in-chandikhol

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣ ସଂଗଠନ (ଇସ୍ରୋ) ବର୍ଷର ଶେଷ ମିଶନରେ ଇତିହାସ ରଚିବାକୁ ଯାଉଛି । ଡିସେମ୍ୱର ୨୪ରେ ଇସ୍ରୋ ଆମେରିକୀୟ କମ୍ପାନି ଏଏସଟି ସ୍ପେସ୍ ମୋବାଇଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପଗ୍ରହକୁ ମହାକାଶକୁ ଉତକ୍ଷେପଣ କରିବ । ଏଥିପାଇଁ ମଙ୍ଗଳବାର ୨୪ ଘଣ୍ଟିଆ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ବୁଧବାର ସକାଳ ୮.୫୪ ମିନିଟରେ ଏହାର ଉତକ୍ଷେପଣ କରାଯିବ । ଏଲଭିଏମ୩-ଏମ୬ ମିଶନ ଜରିଆରେ ଆମେରିକୀୟ କମ୍ପାନିର ଯୋଗାଯୋଗ ସାଟେଲାଇଟ୍ ବ୍ଲୁ ବର୍ଡ ବ୍ଲକ୍-୨କୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପନ କରିବ । ଯଦି ମିଶନ ସଫଳ ହୁଏ ତେବେ ଏହା ଭାରତ ଠାରୁ ଆରମ୍ଭ କରି ସାରା ଦୁନିଆ ଏକ ଐତିହାସିକ ମୂହୁର୍ତ୍ତର ସାକ୍ଷୀ ହେବ ।  

ଡିସେମ୍ବର ୨୪ରେ ଇସ୍ରୋର ଏହାର ସବୁଠାରୁ ଶକ୍ତିଶାଳୀ ରକେଟ୍, LVM3-M6 ସାହାଯ୍ୟରେ ପରବର୍ତ୍ତୀ ପିଢ଼ିର ବାଣିଜ୍ୟିକ ଉପଗ୍ରହ, ‘ବ୍ଲୁ ବାର୍ଡ୍ ବ୍ଲକ-୨’ ଉତ୍‌କ୍ଷେପଣ କରିବ । ଏହି ମିଶନ ଆମେରିକୀୟ କମ୍ପାନି ଏଏସଟି ସ୍ପେସମୋବାଇଲ୍ ସହିତ ଏକ ବାଣିଜ୍ୟିକ ଚୁକ୍ତି ଅନୁଯାୟୀ ପରିଚାଳିତ ହେଉଛି । ଶ୍ରୀହରିକୋଟାରୁ ଏହି ଉତ୍‌କ୍ଷେପଣ ମୋବାଇଲ୍ କନେକ୍ଟିଭିଟିରେ କ୍ରାନ୍ତି ଆଣିପାରେ । ଏହି ଉପଗ୍ରହଟି ସିଧାସଳଖ ସ୍ମାର୍ଟଫୋନକୁ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଉପଗ୍ରହକୁ ୫,୬୦୦ରୁ ଅଧିକ ବ୍ୟକ୍ତିଗତ ସିଗନାଲ୍ ସେଲ୍ ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ପ୍ରତି ସେକେଣ୍ଡରେ ୧୨୦ ମେଗାବିଟ୍ ପର୍ଯ୍ୟନ୍ତ ସର୍ବାଧିକ ଗତି (ପିକ୍ ସ୍ପିଡ୍) ପ୍ରଦାନ କରିବାକୁ ସକ୍ଷମ । ଏହି ଗତି ଭଏସ୍ କଲିଂ, ମେସେଜିଂ, ଦ୍ରୁତ ଡାଟା ସ୍ଥାନାନ୍ତର ଏବଂ ନିରବଚ୍ଛିନ୍ନ ଭିଡିଓ ଷ୍ଟ୍ରିମିଂ ପାଇଁ ଯଥେଷ୍ଟ ।

ସଫଳ ଉତକ୍ଷେପଣ ଏବଂ ଉପଗ୍ରହ ସ୍ଥାପନ ହେବା ପରେ ଉପଗ୍ରହକୁ ନିମ୍ନ କକ୍ଷପଥରେ ପରୀକ୍ଷଣ କରାଯିବ । ପ୍ରଥମେ ଉପଗ୍ରହ ଏହାର ଆଣ୍ଟେନା ନିୟୋଜିତ କରିବ, ଯାହାର ଆକାର ପ୍ରାୟ ୨୨୩ ବର୍ଗ ମିଟର । ଏହା ନିମ୍ନ ପୃଥିବୀ କକ୍ଷପଥରେ ସବୁଠାରୁ ବଡ଼ ବାଣିଜ୍ୟିକ ଯୋଗାଯୋଗ ଆଣ୍ଟେନା ହେବ । ଏହା ଏକ ବଡ଼ ଅଞ୍ଚଳକୁ ସିଧାସଳଖ ସିଗନାଲ ପ୍ରଦାନ କରିବ । ଉପଗ୍ରହଟି ସଠିକ୍ ସ୍ଥିତିରେ କାର୍ଯ୍ୟକ୍ଷମ ହେବା ପରେ, ବାଣିଜ୍ୟିକ ସେବା ଆରମ୍ଭ ହେବା ପୂର୍ବରୁ ଏହାକୁ ପରୀକ୍ଷଣ କରାଯିବ । ଏଥିପାଇଁ କିଛି ମୋବାଇଲ୍ ନେଟୱାର୍କ ଚିହ୍ନଟ ହୋଇସାରିଛି ।

  • ଏହି ସାଟେଲାଇଟ୍‌ର ସବୁଠାରୁ ବଡ଼ ସୁବିଧା ହେଉଛି ଏହାକୁ କୌଣସି ସ୍ୱତନ୍ତ୍ର ଉପକରଣ କିମ୍ବା ଗ୍ରାଉଣ୍ଡ ଷ୍ଟେସନର ଆବଶ୍ୟକତା ନାହିଁ । ଏହା ସାଧାରଣ ସ୍ମାର୍ଟଫୋନକୁ ସିଧାସଳଖ 4G ଏବଂ 5G ସଂଯୋଗ ପ୍ରଦାନ କରିବ ।
  • ଏହି ମିଶନ ଇସ୍ରୋର LVM3 ରକେଟ୍ ଇତିହାସରେ ନିମ୍ନ ପୃଥିବୀ କକ୍ଷପଥକୁ ପଠାଯାଇଥିବା ସବୁଠାରୁ ଭାରୀ ପେଲୋଡ୍ ହେବ । ଏହି ଉପଗ୍ରହର ଓଜନ ପ୍ରାୟ ୬.୫ ଟନ୍ ।
  • ଏହା ମହାକାଶରେ ନିୟୋଜିତ ହୋଇଥିବା ଆଜି ଯାଏ ସବୁଠାରୁ ବଡ଼ ବାଣିଜ୍ୟିକ ଯୋଗାଯୋଗ ଆଣ୍ଟେନା । ଗଭୀର ସମୁଦ୍ର, ଘନ ଜଙ୍ଗଲ କିମ୍ବା ଉଚ୍ଚ ପର୍ବତରେ ମଧ୍ୟ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବ ।

ଏହି ମିଶନ ମହାକାଶ ବଜାରରେ ଭାରତର ବାଣିଜ୍ୟିକ ସଂସ୍ଥା 'ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍' (NSIL)ର ବିଶ୍ୱବ୍ୟାପୀ ବିଶ୍ୱସନୀୟତାକୁ ଆହୁରି ସୁଦୃଢ଼ କରିବ ।

ବ୍ରଡ୍‌ବ୍ୟାଣ୍ଡ ସୁବିଧା ଯୋଗାଇବ 

AST SpaceMobile ପ୍ରଥମ ଏବଂ ଏକମାତ୍ର ସ୍ପେସ୍-ଆଧାରିତ ସେଲ୍ୟୁଲାର୍ ବ୍ରଡବ୍ୟାଣ୍ଡ ନେଟୱାର୍କ ବିକଶିତ କରୁଛି, ଯାହା ସ୍ମାର୍ଟଫୋନ୍ ମାଧ୍ୟମରେ ସିଧାସଳଖ ପହଞ୍ଚିପାରିବ । ଏହା ବାଣିଜ୍ୟିକ ଏବଂ ସରକାରୀ ଉଭୟ ପ୍ରୟୋଗ ପାଇଁ ଡିଜାଇନ୍ କରାଯାଇଛି ।

କମ୍ପାନି ଏହାର ୱେବସାଇଟ୍‌ରେ କହିଛି, "ଆଜି ପ୍ରାୟ ଛଅ ବିଲିୟନ ମୋବାଇଲ୍ ଉପଭୋକ୍ତା ସମ୍ମୁଖୀନ ହେଉଥିବା କନେକ୍ଟିଭିଟି ଚ୍ୟାଲେଞ୍ଜର ସମାଧାନ କରିବା ଏବଂ ଇଣ୍ଟରନେଟ୍ ସହିତ ସଂଯୋଗ ହୋଇନଥିବା କୋଟି କୋଟି ଲୋକଙ୍କ ପାଖରେ ବ୍ରଡବ୍ୟାଣ୍ଡ ସୁବିଧା ପହଞ୍ଚାଇବା ପାଇଁ ଆମେ ଏକ ମିଶନରେ ଅଛୁ ।"

କମ୍ପାନି ୨୦୨୪ ମସିହାରେ ମଧ୍ୟ ଉପଗ୍ରହ ପ୍ରକ୍ଷେପଣ କରିଥିଲା

AST SpaceMobile ସେପ୍ଟେମ୍ବର ୨୦୨୪ରେ ପାଞ୍ଚଟି ଉପଗ୍ରହ - ବ୍ଲୁ ବାର୍ଡ ୧-୫ ଉତକ୍ଷେପଣ କରିଥିଲା । ଏହା ଫଳରେ ଆମେରିକା ଏବଂ କିଛି ଅନ୍ୟ ବଛା ବଛା ଦେଶରେ ନିରନ୍ତର ଇଣ୍ଟରନେଟ୍ କଭରେଜ୍ ସମ୍ଭବ ହୋଇଥିଲା । ଆମେରିକାର ଏହି କମ୍ପାନି ଏହାର ନେଟୱାର୍କ ସମର୍ଥନକୁ ଆହୁରି ସୁଦୃଢ଼ କରିବା ପାଇଁ ଏପରି ଅଧିକ ସାଟେଲାଇଟ୍ ଉତକ୍ଷେପଣ କରିବାକୁ ଯୋଜନା କରୁଛି । ବିଶ୍ୱବ୍ୟାପୀ ୫୦ରୁ ଅଧିକ ମୋବାଇଲ୍ ଅପରେଟରଙ୍କ ସହ ସହଭାଗୀ ହୋଇଛି ।

ଆଗାମୀ ମିଶନରେ, AST SpaceMobile ଏହାର ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ଉପଗ୍ରହ, ବ୍ଲୁ ବର୍ଡ ବ୍ଲକ-୨ ଉତକ୍ଷେପଣ କରିବାକୁ ଯୋଜନା କରୁଛି । ଯାହା ସାରା ବିଶ୍ୱରେ ସ୍ମାର୍ଟଫୋନଗୁଡ଼ିକୁ ସିଧାସଳଖ ୨୪ ଘଣ୍ଟା ହାଇ-ସ୍ପିଡ୍ ସେଲ୍ୟୁଲାର ବ୍ରଡବ୍ୟାଣ୍ଡ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି ।