ଆଉ ୧୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା, ବୁଧବାର ଦିନ ୧୨ଟା ପର୍ଯ୍ୟନ୍ତ ରହିବ ଜାରି

NEWS7
miscreants-beaten-by-villagers-in-balipatna

ଭୁବନେଶ୍ବର ୯।୧୨: ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ୍ କଟକଣା । ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । ବୁଧବାର ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି ନେଇ ସୂଚନା ଜାରି କରାଯାଇଛି । RDC ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଛି । ସରକାରୀ, ବ୍ୟାଙ୍କ ଓ ରେଲୱେ ସେବା ପାଇଁ ଇଣ୍ଟରନେଟ୍ କଟକଣା ମନା ।

ଆଦିବାସୀ ଲୋକଙ୍କ ହିଂସାରେ ଏମ୍ଭି ୨୬ ଗାଁର ଶତାଧିକ ଘର ନିଆଁରେ ପୋଡି ଛାରଖାର ହୋଇଯାଇଛି । ଘଟଣାର ଦୁଇ ଦିନ ପରେ ବି ଲୋକଙ୍କ ଘର ଭିତରେ ଓ ବାହାରେ ନିଆଁ ଜଳୁଛି । ସାଇକେଲ ମୋଟର ସାଇକେଲ ଠାରୁ ଆରମ୍ଭ କରି ଯାନବାହାନ ସବୁ କିଛି ପୋଡି ଦେଇଛନ୍ତି ଉତ୍ତ୍ୟକ୍ତ ଆଦିବାସୀ ଲୋକେ । ଘର ଭିତରେ ଥିବା ଲୋକଙ୍କ ଆସବାବପତ୍ର ଓ ଧାନ ଚାଉଳରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ଭୟଭୀତ ଅବସ୍ଥାରେ ଏମ୍ଭି ୨୬ ଗାଁ ଲୋକେ ଅନ୍ୟ ଗାଁକୁ ଚାଲି ଯାଇଛନ୍ତି । କିଏ ଜଙ୍ଗଲ ଭିତରେ ତ ଆଉ କିଏ ନିଜ ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି । ଜୀବନ ବଞ୍ଚାଇ ମଣିଷ ସିନା ଚାଲି ଯାଇଛନ୍ତି ହେଲେ ନିରୀହ ଗୃହ ପାଳିତ ପଶୁ ପକ୍ଷୀ ଏବେ ଅନାହାରରେ ଛଟ ପଟ ହେଉଥିବା ଦେଖିବାକୁ ମିଳିଛି । ପାଳ ଗଦା ପାଖରେ ମାଲିକ ଅପେକ୍ଷାରେ ଗାଈ ଶୋଇଥିବା ବେଳେ କୁକୁଡା ଛୋଟେଇ ଛୋଟେଇ ତାହାର ଘର ଖୋଜୁଛି । ଛେଳି ଗୁହାଳ ଖାଲି ପଡିଛି । ସବୁ କିଛି ନିଆଁରେ ପୋଡି ନଷ୍ଟ ହେବା ପରେ ବଞ୍ଚି ଯାଇଥିବା ସାମଗ୍ରୀ ନେବା ଲାଗି କିଛି ଲୋକେ ଗାଁକୁ ଆସିଥିଲେ । ମୋଟର ସାଇକେଲ, ପିକଅପ ଓ ଟ୍ରାକ୍ଟରରେ ବୋହି ନେଇଛନ୍ତି ପାଉଁଶ ଭିତରୁ ବାହାରି ଥିବା କିଛି ସାମଗ୍ରୀ । ଜୀବନ ସାରା ଅର୍ଜନ କରିଥିବା ସବୁ ଧନ ସମ୍ପତ୍ତି ଚାଲିଯିବା ପରେ ଜଣେ ବୟସ୍କ ମହିଳା ନିଜର ଇଷ୍ଟ ଦେବତାଙ୍କ ଫଟୋ ଚିତ୍ରଟିକୁ ନେଇ ଘର ଛାଡି ଚାଲିଯିବା ସମୟରେ ଛାତି ଫଟେଇ କାନ୍ଦୁଥିଲେ ।

ସେପଟେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହିଳାଙ୍କ ମୁଣ୍ଡ ବୀହିନ ମୃତଦେହ ରାଖାଲଗୁଡା ଗାଁରେ ପହଞ୍ଚିବା ପରେ ଶବ ସତ୍କାର ହୋଇଛି । ମୁଣ୍ଡ ନଥିବାରୁ ଆଦିବାସୀ ପରମ୍ପରା ଅନୁସାରେ ଏକ ମାଟିର ମୁଣ୍ଡ ତିଆରି କରି ଶବ ସହିତ ମାଟିରେ ପୋତା ଯାଇଛି । ଜିଲ୍ଲାର ସବୁ ବର୍ଗର ଆଦିବାସୀ ନେତାଙ୍କ ଉପସ୍ଥିତିରେ ମହିଳାଙ୍କ ବିବାଦୀୟ ଚାଷ ଜମିରେ ଶବ ସତ୍କାର କରାଯାଇଛି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ମାଲକାନଗିରି ଏସ୍ପି ଓ ଜିଲ୍ଲାପାଳଙ୍କ ଉପସ୍ଥିତରେ ଶବ ସତ୍କାର ସମ୍ପନ୍ନ ହୋଇଛି । ଶବକୁ ପୋତା ଯାଇଥିବା ସ୍ଥାନରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ୍ ସ୍ଥାପନ କରାଯାଇଛି । ଆଗାମୀ କିଛି ମାସ ପର୍ଯ୍ୟନ୍ତ ଶବକୁ ଜଗି ରହିବେ ସୁରକ୍ଷା କର୍ମୀ । ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ୧୦ କମ୍ପାନୀ ସିଆରପିଏଫ ଯବାନ ମୁତୟନ କରାଯାଇଛି । ପୂର୍ବରୁ ଏମ୍ଭି ୨୬ ଗାଁରେ ସିଆରପିଏଫ, ଓଏସଏପି, ଆଇଆରବି ଓ ଓଡ଼ିଶା ପୋଲିସର ୨୦ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି । ସଂପୂର୍ଣ୍ଣ ଗାଁ ଏବେ ପୋଲିସ ଛାଉଣୀ ହୋଇ ରହିଛି । ଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ମୁତୟନ ରହିଛନ୍ତି । ବାହାର ଲୋକଙ୍କୁ ଗାଁ ଭିତରେ ଛଡା ଯାଉନାହିଁ ।