ନବବର୍ଷ ପାଳନ କରୁଥିବା ଲୋକଙ୍କ ଉପରେ ୟୁକ୍ରେନର ଡ୍ରୋନ୍ ମାଡ଼; ୨୪ ମୃତ, ୫୦ରୁ ଅଧିକ ଆହତ

NEWS7
minor-boy-rescued-after-5-years-of-kidnapping-in-rourkela

ମସ୍କୋ : ରୁଷ ଉପରେ ୟୁକ୍ରେନର ଏକ ବଡ଼ ଆକ୍ରମଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ୫୦ ରୁ ଅଧିକ ଆହତ ହୋଇଛନ୍ତି ବୋଲି ରୁଷୀୟ ଅଧିକାରୀମାନେ ଦାବି କରିଛନ୍ତି । ଖେରସନ ଅଞ୍ଚଳର ଏକ ରୁଷୀୟ ଅଧିକୃତ ଗାଁରେ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ୟୁକ୍ରେନୀୟ ସେନା ଏକ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଛି। ତେବେ ୟୁକ୍ରେନ ଆକ୍ରମଣର ରୁଷ ପ୍ରତିଜବାବ ଦେଇପାରେ । ଫଳରେ ଦୁଇ ଦେଶ ମଧ୍ୟ ଚାଲିଥିବା ଶାନ୍ତି ଆଲୋଚନା ପ୍ରଭାବିତ ହେବ ।

ଖେରସନ ଅଞ୍ଚଳରେ ମସ୍କୋର ପ୍ରତିନିଧି ଭ୍ଲାଦିମିର ସାଲଡୋ ଟେଲିଗ୍ରାମରେ କହିଛନ୍ତି ଯେ, କୃଷ୍ଣ ସାଗର ଉପକୂଳରେ ଥିବା ଖୋର୍ଲି ରିସର୍ଟ ସହରର ଏକ କାଫେ ଏବଂ ହୋଟେଲରେ ତିନୋଟି ଡ୍ରୋନ୍ ମାଡ଼ ହୋଇଥିଲା। ଡ୍ରୋନଗୁଡ଼ିକ ମଧ୍ୟରୁ ଗୋଟିଏରେ ଏକ ଅଗ୍ନି ସୃଷ୍ଟିକାରୀ ମିଶ୍ରଣ ଥିଲା । ନୂଆବର୍ଷ ପାଳନ ପାଇଁ ସମବେତ ଶହ ଶହ ଲୋକଙ୍କ ଉପରେ ପଡ଼ିଥିଲା ଏହି ଡ୍ରୋନ୍ ।

ରୁଷର ଦାବି ଉପରେ ୟୁକ୍ରେନ କୌଣସି ପ୍ରତିକ୍ରିୟା ଦେଇନାହିଁ । ଆକ୍ରମଣକୁ ନେଇ ରୁଷ ଅସନ୍ତୋଷ ପ୍ରକାଶ କରିଛି । ବହୁ ଅଧିକାରୀ ଏହାକୁ କଡ଼ା ନିନ୍ଦା କରିଛନ୍ତି। ରୁଷ ସଂସଦର ବାଚସ୍ପତି ଭାଲେଣ୍ଟିନା ମାଟଭିୟେଙ୍କୋ କହିଛନ୍ତି ଯେ, ଏହି ଆକ୍ରମଣ ୟୁକ୍ରେନରେ ଶୀଘ୍ର ଲକ୍ଷ୍ୟ ହାସଲ କରିବା ପାଇଁ ରୁଷର ସଂକଳ୍ପକୁ ଆହୁରି ମଜଭୁତ କରିଛି।

ପୂର୍ବରୁ ରୁଷ ଦାବି କରିଥିଲା ଯେ, ୟୁକ୍ରେନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାରୀ ବାସଭବନ ଉପରେ ଏକ ଦୂରଗାମୀ ଡ୍ରୋନ ଆକ୍ରମଣ କରିଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଖସାଇ ଦିଆଯାଇଥିବା ଡ୍ରୋନର ଏକ ଭିଡିଓ ଜାରି କରିଛି । କିନ୍ତୁ କିଭ୍ ରୁଷର ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି ପ୍ରତ୍ୟାଖ୍ୟାନ କରିଛି।