ମହାରାଷ୍ଟ୍ରର BMC ସମେତ ୨୯ ନିଗମ ପାଇଁ ନିର୍ବାଚନ ତାରିଖ ଘୋଷଣା, ଜାନୁଆରୀ ୧୫ରେ ଭୋଟ

NEWS7
mini-truck-turns-over-10-critical

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ ଆୟୋଗ ସୋମବାର ନଗର ନିଗମ ନିର୍ବାଚନ ପାଇ ତାରିଖ ଘୋଷଣା କରିଛନ୍ତି । ବିଏମସି ସମେତ ରାଜ୍ୟର ୨୯ ନଗର ନିଗମ ପାଇଁ ଜାନୁଆରୀ ୧୫ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଜାନୁଆରୀ ୧୬ରେ ଭୋଟ ଗଣତି ହେବ । ଏସ୍ଇସିର କାର୍ଯ୍ୟସୂଚୀ ଅନୁଯାୟୀ, ଡିସେମ୍ବର ୨୩ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ନାମାଙ୍କନ ଗ୍ରହଣ କରାଯିବ । ଡିସେମ୍ବର ୩୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ପ୍ରାର୍ଥୀମାନେ ଜାନୁଆରୀ ୨ରୁ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ । ନିର୍ବାଚନୀ ଚିହ୍ନ ବଣ୍ଟନ ସହିତ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ଜାନୁଆରୀ ୩ରେ ପ୍ରକାଶିତ ହେବ ।

 ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ଯେ ନଗର ନିଗମ ନିର୍ବାଚନରେ ମତଦାତା କେବଳ ଗୋଟିଏ ହିଁ ଭୋଟ୍ ଦେବେ । ଏହାସହ ମୁମ୍ୱାଇରେ ମୋଟ ୧୦,୧୧୧ ମତଦାନ କେନ୍ଦ୍ର ହେବ । ମୁମ୍ୱାଇରେ ୧୧ ଲକ୍ଷ ମତଦାତା ଦୁଇଟି ସ୍ଥାନରେ ଅଛନ୍ତି । ଏହି ମତଦାତାମାନେ କେଉଁ ସ୍ଥାନରେ ଭୋଟ ଦେବେ, ସେମାନଙ୍କ ରାୟ ନିଆଯିବ । ଏହାସହ ଏହି ମତଦାତାଙ୍କ ନାଁ ଆଗରେ ଦୁଇ ଷ୍ଟାର ଚିହ୍ନ ଲଗାଯିବ ।

ରାଜ୍ୟର ମୋଟ ୨୯ଟି ନିଗମରେ ୨୮୬୯ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏସଇସି ଏହି ଆସନ ପାଇଁ ସଂରକ୍ଷଣର ବିବରଣୀ ମଧ୍ୟ ପ୍ରକାଶ କରିଛି । ଏଥିମଧ୍ୟରୁ ୧୪,୪୨ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ । ସାମାଜିକ ବର୍ଗ ସଂରକ୍ଷଣରେ, ୩୪୧ଟି ଆସନ ଅନୁସୂଚିତ ଜାତି ପାଇଁ, ୭୭ଟି ଅନୁସୂଚିତ ଜନଜାତି ପାଇଁ ଏବଂ ୭୫୯ଟି ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ସଂରକ୍ଷିତ ।

ରାଜ୍ୟ ରାଜନୀତି ପାଇଁ ବିଏମସି ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ନିର୍ବାଚନ ତାରିଖ ଘୋଷଣା ସହିତ ରାଜନୀତ ମଧ୍ୟ ଉଷ୍ମ ହେବା ଆଶା କରାଯାଉଛି । ରାଜନୈତିକ ଦୃଷ୍ଟିରୁ ବିଏମସି, ପୁଣେ ଏବଂ ଥାନେ ଭଳି ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହା ରାଜ୍ୟର ରାଜନୈତିକ ଦିଗ ନିର୍ଣ୍ଣୟ କରିବ ବୋଲି ଆଶା କରାଯାଉଛି । ଏହି ନିର୍ବାଚନଗୁଡ଼ିକ ଜନତାଙ୍କ ମନୋଭାବ ଏବଂ ଶାସକ ଦଳର ଲୋକପ୍ରିୟତାକୁ ମଧ୍ୟ ପ୍ରତିଫଳିତ କରେ । ଶିବସେନା ଦ୍ୱାରା ନିୟନ୍ତ୍ରିତ ବିଏମସି ପାଇଁ ପ୍ରତିଯୋଗିତା ତୀବ୍ର ହେବ । ବିଏମସି କେବଳ ଦେଶର ନୁହେଁ ବରଂ ଏସିଆର ସବୁଠାରୁ ବଡ଼ ନଗର ନିଗମ । ଏହାର ବଜେଟ୍ ଅନେକ ଛୋଟ ରାଜ୍ୟର ବାର୍ଷିକ ବଜେଟ୍ ଅପେକ୍ଷା ଅଧିକ ।

ଗତ ପୌର ନିର୍ବାଚନରେ ଅବିଭକ୍ତ ଶିବସେନା ତା'ର ଦବଦବା ବଜାୟ ରଖିଥିଲା । ଦଳ ୮୪ଟି ଆସନ ଜିତିଥିଲା, ଯେତେବେଳେ ବିଜେପି ୮୨ଟି ଏବଂ କଂଗ୍ରେସ ୩୧ଟି ଆସନ ଜିତିଥିଲା । ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନାର ସାତ ଜଣ କର୍ପୋରେଟରଙ୍କ ମଧ୍ୟରୁ ଛଅ ଜଣ ଶିବସେନାରେ ଯୋଗ ଦେଇଥିଲେ । ୨୦୨୨ ମସିହାରେ ଶିବସେନା ଭାଗ ହେବା ପରେ, ୨୦୧୭ରେ ଜିତିଥିବା ପ୍ରାୟ ୨୬ ଜଣ ପୂର୍ବତନ କର୍ପୋରେଟର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀରେ ଯୋଗ ଦେଇଥିଲେ ।