ଜାଗୃତି ସାଂସ୍କୃତିକ ଏକାଡ଼େମୀ ପକ୍ଷରୁ ସାଂସ୍କୃତିକ ସନ୍ଧ୍ୟା “ପରମ୍ପରା” ଆୟୋଜିତ

NEWS7
milk-made-products-may-provide-in-mid-day-meal-in-school

ଭୁବନେଶ୍ଵର: ଜାଗୃତି ସାଂସ୍କୃତିକ ଏକାଡ଼େମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଓଡ଼ିଶୀ ସଙ୍ଗୀତ ଉପରେ ଆଧାରିତ ଏକ ମହତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ସନ୍ଧ୍ୟା “ପରମ୍ପରା” GKCMORC ଉତ୍କଳ ରଙ୍ଗମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ଡ. ବିଜୟ କୁମାର ଜେନାଙ୍କୁ ଗୁରୁକ୍ଷୀରୋଦ ଚନ୍ଦ୍ର ପାତ୍ର ସ୍ମୃତି ସମ୍ମାନ–୨୦୨୫ ପ୍ରଦାନ କରାଯାଇଛି।

ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ଗୁରୁ ଓ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୁରୁରାମ ହରି ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ମର୍ଦଳଗୁରୁ ଗୁରୁ ନିରଞ୍ଜନ ପାତ୍ର ଓ ଓଡ଼ିଶୀସଙ୍ଗୀତର ପ୍ରଖ୍ୟାତ ଗବେଷକ ଡ଼. କୀର୍ତ୍ତନନାରାୟଣ ପାଢ଼ୀ (ମୁଖ୍ୟପରାମର୍ଶଦାତା, ଜାଗୃତି ସାଂସ୍କୃତିକଏକାଡେମି) ଯୋଗ ଦେଇ ଆନୁଷ୍ଠାନିକ ଭାବେ ଓଡ଼ିଶୀ ସଙ୍ଗୀତ ସନ୍ଧ୍ୟାକୁ ଉଦ୍ଘାଟନ କରିବା ସହିତ ସମ୍ମାନ ପ୍ରଦାନ କରିଥିଲେ।

ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଜାଗୃତି ସାଂସ୍କୃତିକ ପରିଷଦର ବରିଷ୍ଠ ଶିଳ୍ପୀ ତଥା ସ୍ୱର୍ଗତ ଗୁରୁକ୍ଷୀରୋଦ ଚନ୍ଦ୍ର ପାତ୍ରଙ୍କ ଛାତ୍ରୀ- ଅନିନ୍ଦିତା, ଗୋଧୂଳିଲଗ୍ନା ଓ ନିହାରୀକାଙ୍କ ତ୍ରୟ ଓଡ଼ିଶୀ କଣ୍ଠ ସଙ୍ଗୀତରୁ । ପରେ ଶ୍ରୁତି ମିଶ୍ର (GGPO ଏକାଡେମି), ଗୁରୁନର ସିଂହ ସାହୁ (ଗଞ୍ଜାମ) ଓ ଗୁରୁଡ଼. ବିଜୟ କୁମାର ଜେନାଙ୍କ ଏକକ ଓଡ଼ିଶୀଗାୟନ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତବାନ୍ଧି ରଖି ପାରିଥିଲା। ଏଥି ସହିତ ବାଦ୍ୟବାଣୀ ଗୁରୁକୂଳର ବରିଷ୍ଠ ଶିଳ୍ପୀ ଶ୍ରୀସୀତାକାନ୍ତ ଜେନା ଓ ଶ୍ରୀରୋହିତ ପ୍ରଧାନଙ୍କ ଯୁଗ୍ମମର୍ଦ୍ଦଳ–ମୃଦଙ୍ଗ ବାଦନ ଅତିଉଚ୍ଚ କୋଟୀର ହୋଇଥିଲା। ସନ୍ଧ୍ୟାର ସହଯୋଗୀଶିଳ୍ପୀଭାବରେ ମର୍ଦ୍ଦଳରେ ଗୁରୁନିରଞ୍ଜନସାହୁ, ସୌମ୍ୟରଞ୍ଜନ ନାୟକ ଓ ବଂଶୀରେ ଡ. ଜବାହର ମିଶ୍ର ସହାୟତା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ପାଦକ ନିରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ, ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ତ୍ରିଲୋଚନ ସାହୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସନ୍ଧ୍ୟାର କାର୍ଯ୍ୟକ୍ରମକୁ ସୁଶ୍ରୀ ଅନନ୍ୟା ମିଶ୍ର ଅତିସୁନ୍ଦର ଭାବରେ ସଂଚାଳନା କରିଥିଲେ।