ଭିନ୍ନ ହେବ ଏଥରର ବଜେଟ୍ ଭାଷଣ, ଦୀର୍ଘ ମିଆଦୀ ଲକ୍ଷ୍ୟ ଉପରେ ଫୋକସ୍; ପାର୍ଟ-Bରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା

NEWS7
members-took-oath-on-first-day-of-17th-loksabha

ନୂଆଦିଲ୍ଲୀ: ଭାରତର ସଂସଦୀୟ ପରମ୍ପରାରେ ରବିବାର ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ସରକାରୀ ସୂତ୍ରକୁ ନେଇ ହିନ୍ଦୁସ୍ତାନ କରିଥିବା ରିପୋର୍ଟ ଅନୁସାରେ, ବଜେଟର ଦ୍ୱିତୀୟ ଭାଗ ବା ପାର୍ଟ-Bରେ ଅଧିକ ଗୁରୁତ୍ୱ ଦିଆଯାଇଛି । ୨୦୨୬ ବଜେଟ୍ ଭାଷଣ ଗତ ୭୫ ବର୍ଷ ଧରି ଦିଆଯାଉଥିବା ଭାଷଣଠାରୁ ଭିନ୍ନ ହେବ । ବଜେଟ୍ ଭାଷଣର ଦ୍ୱିତୀୟ ଭାଗ ସେଣ୍ଟର ଷ୍ଟେଜରେ ରହିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ନବମ ଥର ପାଇଁ ବଜେଟ୍ ଉସ୍ଥାପନ କରି ରେକର୍ଡ କରିବେ । ନୀତି ସଂସ୍କାର ଓ ଯୋଜନାବଦ୍ଧ ସରକାରୀ ଖର୍ଚ୍ଚ କଣ ରହିବ ତାହା ଉପରେ ସଭିଙ୍କ ନଜର ରହିବ । ଗତ ବର୍ଷଗୁଡ଼ିକରେ ବଜେଟ୍ ଭାଷଣର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଭାଗରେ ସ୍ଥାନ ପାଇଥାଏ, କିନ୍ତୁ ଏହି ବର୍ଷ ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ସରକାରୀ ସୂତ୍ର ଅନୁସାରେ, ଅର୍ଥମନ୍ତ୍ରୀଙ୍କ ଭାଷଣର ଦ୍ୱିତୀୟ ଭାଗ ଲମ୍ୱା ହୋଇପାରେ । ପୂର୍ବ ବଜେଟ୍ ଭାଷଣଗୁଡ଼ିକରେ ଦ୍ୱିତୀୟ ପାର୍ଟରେ କେବଳ କିଛି ସୀମିତ ଘୋଷଣା କରାଯାଇଥାଏ । ଚଳିତ ବର୍ଷ ବଜେଟର ଭାଷଣର ପାର୍ଟ-Bରେ କ୍ଷୁଦ୍ର ଓ ଦୀର୍ଘ ମିଆଦୀ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏକବିଂଶ ଶତାବ୍ଦୀର ଦ୍ୱିତୀୟ କ୍ୱାର୍ଟର ପାଇଁ ଭାରତର ଅର୍ଥନୀତିକ ଦୂରଦୃଷ୍ଟି ଓ ପ୍ରାଧାନ୍ୟକୁ ଏହା ପ୍ରତିବିମ୍ୱିତ କରିବ ।

ସରକାରୀ ସୂତ୍ର ଅନୁସାରେ ଭାରତର ସ୍ଥାନୀୟ ସାମର୍ଥକୁ ବୈଶ୍ୱିକ ମଞ୍ଚରେ ପହଞ୍ଚାଇବାର ରୋଡ୍ ମ୍ୟାପ୍‌କୁ ବି ପାର୍ଟ-Bରେ ସ୍ଥାନିତ କରାଯାଇଛି । ବଜେଟ୍ ଭାଷଣର ଦ୍ୱିତୀୟ ଭାଗ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ଅଧିକ ଧ୍ୟାନ ଆକର୍ଷଣ କରିବ । ଏଥିରେ ନୀତି ନିର୍ମାଣ ଓ କାର୍ଯ୍ୟକାରୀ ଉପରେ ଗୁରୁତ୍ୱପୂର୍ଣ୍ଣ ଘୋଷଣାକୁ ମଧ୍ୟ ସ୍ଥାନ ଦିଆଯାଇଛି । ରିପୋର୍ଟ ଅନୁସାରେ ଏଥର ବଜେଟ୍ ଉପସ୍ଥାପନ ପାରମ୍ପାରିକ ଭାଷଣଠାରୁ ପୂରା ଅଲଗା ହେବ, ଯେଉଁଥିରେ ପ୍ରଥମ ଭାଗ ଅପେକ୍ଷା ଦ୍ୱିତୀୟ ଭାଗ ଉପରେ ଅଧିକ ଫୋକସ ରହିବ ।  

Also Read: ବଜେଟ୍ ୨୦୨୬: ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ରିୟଲ୍ ଇଷ୍ଟେଟ୍‌ରେ ବଡ଼ ପରିବର୍ତ୍ତନ ଆଶା