ନୂଆବର୍ଷରେ IASସ୍ତରରେ ବଡ ଧରଣର ଅଦଳ ବଦଳ, କିଏ ରହିବେ ଅନୁ ଗର୍ଗଙ୍କ ଟିମରେ ?

NEWS7
maternity-death-due-to-medical-negligence

ଭୁବନେଶ୍ଵର: ନୂଆବର୍ଷରେ ନୂଆ ଶାସନ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ଅନୁ ଗର୍ଗ। ୩୧ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେବ। ତେବେ ଦାୟିତ୍ବ ନେବା ପରେ ଅନୁ ଗର୍ଗ ପ୍ରଶାସନିକ ସ୍ତରରେ ନୂଆ ଟିମ୍ ଗଠନ କରିବେ। ବିଶେଷ କରି କିଏ କେଉଁ ସ୍ଥାନରେ ରହିବେ ତାହା ଏବେ ପାୱାର କରିଡରରର ଚର୍ଚ୍ଚାର ବିଷୟ ହୋଇଛି।

କିଏ ରହିବ ଅନୁ ଗର୍ଗଙ୍କ ଟିମରେ । ନୂଆବର୍ଷରେ ଆଇଏସସ୍ତରରେ ବଡ ଧରଣର ଅଦଳ ବଦଳ ହେବ । ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଶାସନିକ ସ୍ତରରେ ନିଜର ନୂଆ ଟିମ୍ ଗଠନ କରିବେ। ତେଣୁ ପରବର୍ତ୍ତୀ ଉନ୍ନୟନ କମିଶନର କିଏ ହେବ,ସେହଥିରୁ ସାମ୍ନାକୁ ଆସିବ ଅନୁଙ୍କ ନୂଆ ଫର୍ମୁଲା । ବରିଷ୍ଠତା ଭିତରେ ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଥିବାରୁ ଏବେ ଉନ୍ନୟନ କମିଶନର ମଧ୍ୟ ବରିଷ୍ଠତା ଭିତରେ କରାଯାଇପାରେ ।

ଉନ୍ନୟନ କମିଶନର ରେସରେ ଅଛନ୍ତି ୧୯୯୩ ବ୍ୟାଚର ଦେଓରଂଜନ କୁମାର ସିଂହ, ଯିଏ ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି। ସେହି ବ୍ୟାଚର ସୁରେନ୍ଦ୍ର କୁମାର ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ବ ତୁଲାଉଛନ୍ତି। ୧୯୯୪ ବ୍ୟାଚର ଜି.ମାଥିଭାଥନନ୍ ଗୋପବନ୍ଧୁ ପ୍ରଶାସନିକ ଏକାଡେମିର ଡାଇରେକ୍ଟର ଜେନେରାଲ, ୧୯୯୫ ବ୍ୟାଚର ହେମନ୍ତ ଶର୍ମା ଏବେ ଶିଳ୍ପ ବିଭାଗ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରହିଛନ୍ତି । ତେବେ ବରିଷ୍ଠତା ଭିତ୍ତିରେ ସର୍ବାଗ୍ରେ ଥିବା ୧୯୯୧ ବ୍ୟାଚର ସତ୍ୟବ୍ରତ ସାହୁ ଏବେ ଗୃହ ସଚିବ ଥିବା ବେଳେ ସେ କେଉଁ କାର୍ଯ୍ୟ ତୁଲାଇବେ ତାହା ମଧ୍ୟ ଚର୍ଚ୍ଚାରେ ରହିଛି।

ସେହିପରି ଅନୁ ଗର୍ଗ ଉନ୍ନୟନ କମିସନର ସହ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେହି ପଦବି ଖାଲି ପଡ଼ିବ। ଯିଏ ବି ଦାୟିତ୍ବ ନେବେ ତାଙ୍କ ପାଇଁ ଏହି ପଦବୀ ଗୁରୁତ୍ବ ପୁର୍ଣ୍ଣ ରହିବ । ମହାନଦୀ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଆଗକୁ ବଢୁଥିବାରୁ ତାଙ୍କ ଉପରେ ଗୁରୁ ଦାୟିତ୍ବ ରହିବ । ଯଦି ଓଡ଼ିଶାରେ କାର୍ଯ୍ୟ କରୁଥିବା ୬ଜଣ ଅତିରିକ୍ତ ମୁଖ୍ୟ ସଚିବଙ୍କ ମଧ୍ୟରୁ କାହାକୁ ଉନ୍ନୟନ କମିସନର କରାଯାଏ ତେବେ ଗୋଟିଏ କି ଦୁଇଟି ବିଭାଗର ସଚିବ ପଦବି ଖାଲି ପଡ଼ିବ। ଏହା ହେଲେ ରାଜ୍ୟ ସରକାର କାହାକୁ ସେହି ପଦବି ଦେଉଛନ୍ତି ତାହାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି।

ସାଧାରଣତଃ ମୁଖ୍ୟ ଶାସନ ସଚିବ ବଦଳିଲେ ପ୍ରଶାସନିକ ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ ହୁଏ। ମୁଖ୍ୟ ସଚିବ ତାଙ୍କ ପସନ୍ଦର ଅଧିକାରୀଙ୍କୁ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ, ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ ଭଳି ପଦବିରେ ନିଯୁକ୍ତି ଦିଅନ୍ତି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ବି ବଦଳନ୍ତି। ତେଣୁ ନୂଆ ବର୍ଷରେ ପାୱାର କରିଡରରେ ହେବ ନୂଆ ପରିବର୍ତ୍ତନ ।