ପ୍ରଧାନମନ୍ତ୍ରୀ କାର୍ନିଙ୍କ ଭାରତ ଗସ୍ତ ପୂର୍ବରୁ ତହୱୁର ରାଣାର ନାଗରିକତା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କଲା କାନାଡ଼ା

NEWS7
massive-avalanche-killed-six-persons-including-4-solders-of-indian-army

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି। ହେଲେ ତାପୂର୍ବରୁ,୨୬/୧୧ ମୁମ୍ବାଇ ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପାକିସ୍ତାନୀ କାନାଡିଆନ୍ ନାଗରିକ ତହୱୁର ରାଣାର ନାଗରିକତା ପ୍ରତ୍ୟାହାର କରିବାକୁ ପଦକ୍ଷେପ ନେଇଛି କାନାଡ଼ା। ଏନଇ ଗ୍ଲୋବାଲ ନ୍ୟୁଜରେ ଖବର ପ୍ରକାଶ ପାଇଛି।

ଭାରତ କାନାଡା ମଧ୍ୟରେ ପୁନଃ ସୁସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ଭାରତ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ କାର୍ନି। କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସମୟରେ ଦୁଇ ଦେଶର ସମ୍ପର୍କ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚି ଯାଇଥିଲା। ଦୁଇ ଦେଶ ପରସ୍ପରର ଦୂତାବାସ ବନ୍ଦ ମଧ୍ୟ କରି ଦେଇଥିଲେ। ବର୍ତ୍ତମାନ ଆମେରିକା ବାଣିଜ୍ୟ ଯୁଦ୍ଧ ପାଇଁ ବାରମ୍ବାର ରଣହୁଙ୍କାର ଦେଉଥିବା ବେଳେ ଭାରତ ସହିତ ବାଣିଜ୍ୟ ସମ୍ପର୍କ ସୁଧାରିବା କାନାଡ଼ା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କାର୍ନି ବିଚାର କରୁଛନ୍ତି। ତେଣୁ ସେ ଭାରତ ସହ ଏକ ବାଣିଜ୍ୟ ଚୁକ୍ତି କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି।

ପଢ଼ନ୍ତୁ- ବାଂଲାଦେଶ ସେନାରେ ବଡ଼ ଧରଣର ଅଦଳବଦଳ, ଭାରତରୁ ଫେରାଇ ନେଲା ଡିଫେନ୍ସ ଆଡଭାଇଜର

ସେପଟେ ୨୬/୧୧ ମୁମ୍ବାଇ ଆକ୍ରମଣରେ ଅଭିଯୁକ୍ତ ଆତଙ୍କବାଦୀ ତହୱୁର ରାଣା ବର୍ତ୍ତମାନ ଭାରତରେ ଆଇନଗତ ପ୍ରକ୍ରିୟାରେ ସମ୍ମୁଖୀନ ହେଉଛି। ତା’ ପାଖରେ କାନାଡ଼ୀୟ ନାଗରିକତା ରହିଛି। ଏହା ଭାରତ ସହ ସମ୍ପର୍କ ଖରାପ କରିପାରେ। ତେଣୁ କାନାଡ଼ା ରାଣାର ନାଗରିତ୍ୱ ଛଡ଼ାଇ ନେବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଗ୍ଲୋବାଲ ନ୍ୟୁଜ୍ ରିପୋର୍ଟ ପ୍ରକାଶ କରିଛି।

ପାକିସ୍ତାନର ଆଇଏସଆଇ ଗୁପ୍ତଚର ସଂସ୍ଥା ଦ୍ୱାରା ପ୍ରାୟୋଜିତ ଲସ୍କର ଏ ତୈବା (ଏଲଇଟି)ର ଷଡ଼ଯନ୍ତ୍ରର ଅଂଶ ଭାବରେ ରାଣା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହଯୋଗ କରିଥିବା ଅଭିଯୋଗ ରହିଛି। ଡେନମାର୍କର ଏକ ଖବରକାଗଜ କାର୍ଯ୍ୟାଳୟ ଉପରେ ଆକ୍ରମଣ ଯୋଜନା ପାଇଁ ମଧ୍ୟ ଆମେରିକାରେ ତାକୁ ଏକ ପୃଥକ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା। ଗତ ବର୍ଷ ତାକୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା।

ଗ୍ଲୋବାଲ ନ୍ୟୁଜ୍ ରିପୋର୍ଟ ଅନୁସାରେ କାର୍ନିଙ୍କ ସରକାର ରାଣାଙ୍କ ନାଗରିକତା ପ୍ରତ୍ୟାହାର କରିବା ପାଇଁ ପ୍ରକ୍ରିୟାକୁ ଆଗକୁ ବଢାଇଛନ୍ତି। ରାଣା ଜାଲିଆତି କରି ନାଗରିକତା ହାସଲ କରିଥିବା ଅଭିଯୋଗ ଆଧାରରେ ନାଗରିକତା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା କାନାଡାରେ ଆତଙ୍କବାଦୀଙ୍କ ନାଗରିକତା ପ୍ରତ୍ୟାହାର ପାଇଁ ମାନକ ପଦ୍ଧତି ବୋଲି ବିଚାର କରାଯାଏ। ରାଣାର ନାଗରିକତା ପ୍ରତ୍ୟାହାର ପ୍ରକ୍ରିୟା ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପରଙ୍କ ସମୟରେ ଆରମ୍ଭ ହୋଇଥିଲା। ହେଲେ ଟ୍ରୁଡୋଙ୍କ ସରକାର ସମୟରେ ଏହାକୁ ବନ୍ଦ କରାଯାଇଥିଲା।

ହାର୍ପରଙ୍କ ସରକାର ଅନେକ ଆତଙ୍କବାଦୀଙ୍କ ନାଗରିକତା ପ୍ରତ୍ୟାହାର କରିବା ଏବଂ ଏକ ଡଜନରୁ ଅଧିକ ଦୋଷୀ ସାବ୍ୟସ୍ତ ଉଗ୍ରବାଦୀଙ୍କୁ କାନାଡିୟ ନାଗରିକତା ଫେରାଇ ଆଣିବା ପରେ ଟ୍ରୁଡୋ ସରକାର ଏକ ଆଇନ ପ୍ରଚଳନ କରିଥିଲେ। ଏହି ଆଇନ କେବଳ ଆତଙ୍କବାଦ ଆଧାରରେ ସରକାର ନାଗରିକତା ପ୍ରତ୍ୟାହାର କରିପାରିବେ ନାହିଁ ବୋଲି କୁହାଯାଇଥିଲା।

​​​​​​​

ପଢନ୍ତୁ- ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଉପରେ ଲାଗିଲା ବ୍ରେକ୍, ମଧ୍ୟରାତ୍ରରୁ ଟାରିଫ ଅସୁଲି ବନ୍ଦ

ମୁମ୍ବାଇ ଆକ୍ରମଣ-

ମୁମ୍ବାଇ ଆକ୍ରମଣରେ, ଆତଙ୍କବାଦୀମାନେ ସମୁଦ୍ର ପଥରେ ଭାରତରେ ପ୍ରବେଶ କରିଥିଲେ ଏବଂ ଛତ୍ରପତି ଶିବାଜୀ ଟର୍ମିନସ୍ ରେଳ ଷ୍ଟେସନ୍, ତାଜମହଲ ପ୍ୟାଲେସ୍ ହୋଟେଲ୍, ଓବେରୟ ହୋଟେଲ୍ ଏବଂ ଇହୁଦୀ କେନ୍ଦ୍ର ଚାବାଦ ହାଉସ୍ ସମେତ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୬୬ ଜଣଙ୍କ ଜୀବନ ଯାଇଥିଲା। ୨୦୦ ରୁ ଅଧିକ ଆହତ ହୋଇଥିଲେ।

କାହିଁକି ଭାରତ ଗସ୍ତରେ ଆସିବେ କାର୍ନି?

କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଫେବୃଆରୀ ୨୬ରୁ ମାର୍ଚ୍ଚ ୭ପର୍ଯ୍ୟନ୍ତ ଭାରତ,ଅଷ୍ଟ୍ରେଲିଆ ଏବଂ ଜାପାନକୁ ଏକ ଉଚ୍ଚସ୍ତରୀୟ କୂଟନୈତିକ ମିଶନ ନେଇ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ପ୍ରମୁଖ ଭାରତ-ପ୍ରଶାନ୍ତ ମହାସାଗରୀୟ ଗସ୍ତ ହେବ। ବାଣିଜ୍ୟ,ଶକ୍ତି,ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବହୁ-କ୍ଷେତ୍ରୀୟ ସହଭାଗୀତାକୁ ସୁରକ୍ଷିତ କରିବା ପାଇଁ ଗସ୍ତର ମୁଖ୍ୟ ଲକ୍ଷ୍ୟ ରହିଛି। ଏହି ଗସ୍ତ କାନାଡାର ନୂଆ ସରକାରଙ୍କ ପାଇଁ ଏକ ରଣନୈତିକ ଦିଗକୁ ଦର୍ଶାଉଛି। କାରଣ କାନାଡ଼ା ବିଶ୍ୱ ଅସ୍ଥିରତା ମଧ୍ୟରେ ଅର୍ଥନୈତିକ ସ୍ଥିରତାକୁ ସୁଦୃଢ଼ କରିବାକୁ ଚାହୁଁଛି।

କାର୍ନିଙ୍କ ଯାତ୍ରା ମୁମ୍ବାଇରୁ ଆରମ୍ଭ ହେବ। କାନାଡ଼ାରୁ ଆସି ସେ ସିଧା ମୁମ୍ବାଇରେ ଓହ୍ଲାଇବେ। ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ନୂଆଦିଲ୍ଲୀ ଯିବେ। ମୋଦୀ ଓ କାର୍ନି ଦୁଇ ଦେଶ ମଧ୍ୟରେ ଏଆଇ, ସଂସ୍କୃତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ପଦକ୍ଷେପ ମାଧ୍ୟମରେ କାନାଡା-ଭାରତ ସମ୍ପର୍କକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଗସ୍ତର କେନ୍ଦ୍ରବିନ୍ଦୁ ହେଉଛି ବ୍ୟାପକ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା (CEPA)। ଏହା ଏକ ବାଣିଜ୍ୟ ଚୁକ୍ତିନାମା, ଯାହା ୨୦୨୫ ଜି-୨୦ ଶିଖର ସମ୍ମିଳନୀରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା ଏଥିରେ ୨୦୨୪ ରେ ହୋଇଥିବା ୩୧ ବିଲିୟନ ଡଲାର ବାଣିଜ୍ୟକୁ ଦ୍ୱିଗୁଣିତ କରି ୨୦୩୦ ସୁଦ୍ଧା ଏହାକୁ ୭୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।