‘ଷ୍ଟ୍ରେଟ୍ ଅଫ୍ ହରମୋଜ୍’ରେ ଫସିଛନ୍ତି ୩୭ ଭାରତୀୟ ଜାହାଜ, କେବଳ ଚାଇନା ଜାହାଜଙ୍କୁ ଛାଡୁଛି ଇରାନ

NEWS7
mars-transit-in-aquarius-may-2020-sun-transit-in-taurus

ତେହରାନ, ୦୫ /୦୩: ମଧ୍ୟପ୍ରାଚ୍ୟରେ ଥମୁନି ଯୁଦ୍ଧ । ଘମାଘୋଟ ଲଢେଇର ପ୍ରଭାବ ବିଶ୍ୱ ବଜାରରେ ପଡିଛି । ଇରାନ ନିୟନ୍ତ୍ରଣରେ ଥିବା ଷ୍ଟ୍ରେଟ୍ ଅଫ୍ ହରମୋଜରେ ଜାହାଜ ଚଳାଚଳ ବନ୍ଦ ହୋଇଯାଇଛି । ଜାହାଜ ଉପରେ ଆକ୍ରମଣ କରିବ ବୋଲି ତେହରାନ ଧମକ ଦେଇଛି । ହଜାର ହଜାର ଜାହାଜ ହରମୋଜର ଦୁଇ ପାର୍ଶ୍ୱରେ ଅଟକି ରହିଛନ୍ତି । ଏହା ଭିତରୁ ଭାରତର ୩୭ ଜାହାଜ ଅଛନ୍ତି । ତେବେ ଚାଇନାର ଜାହାଜକୁ କିନ୍ତୁ ଆଗକୁ ବଢିବା ପାଇଁ ଇରାନ ଅନୁମିତ ଦେଉଛି ।

ରିପୋର୍ଟ ଅନୁସାରେ, ପର୍ସିଆନ୍ ଗଲ୍ଫ, ଗଲ୍ଫ ଅଫ୍ ଓମାନ ଏବଂ ଏହାର ଆଖପାଖରେ ଭାରତୀୟ ପତାକା ଲାଗିଥିବା ୩୭ଟି ଜାହାଜ ଅଟକି ରହିଛନ୍ତି । ଏଥିରେ ପ୍ରାୟ ୧୧୦୯ ଜଣ ନାବିକ ଅଛନ୍ତି । ହରମୋଜ୍ ଷ୍ଟ୍ରେଟ୍ ବନ୍ଦ ହେଲା ପରେ ଏପରି ଘଟଣା ଦେଖାଦେଇଛି । ଯୁଦ୍ଧ ଏବଂ ଆକ୍ରମଣ ଭୟ ସହ ଇରାନର କଟକଣାର ପ୍ରଭାବ ଜଳପଥ ଉପରେ ପଡିଛି ।

ଗତ କିଛିଦିନ ତଳେ ଇରାନର ମିସାଇଲ ଆକ୍ରମଣରେ ତିନି ଜଣ ଭାରତୀୟ ନାବିକଙ୍କ ଜୀବନ ଯାଇଥିଲା । ଯାହା ପରେ ଜାହାଜ ମାଲିକମାନେ ଭୟଭୀତ ହୋଇ ପଡିଛନ୍ତି । ଭାରତର ଜାହାଜ ଚଳାଚଳ ମହାନିର୍ଦ୍ଦେଶକ ଘଟଣା ଉପରେ ଏବେ ନଜର ରଖିଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଜାହାଜରେ ଥିବା ସଦସ୍ୟଙ୍କ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି । ସରକାରଙ୍କ ପକ୍ଷରୁ ସେମାନଙ୍କ ସହ ଲଗାତାର ଯୋଗାଯୋଗ କରାଯାଉଛି ।

ଘଟଣାକୁ ନେଇ ମଙ୍ଗଳବାର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଏଥିରେ ଜାହାଜର ସୁରକ୍ଷା ବାବଦରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । କିପରି ଭାରତୀୟ ଜାହାଜ ଏବଂ ସଦସ୍ୟଙ୍କୁ ସେଠାରୁ ସୁରକ୍ଷିତ ଭାବେ ମୁକୁଳା ଯାଇପାରିବ ସେନେଇ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ । ଭାରତୀୟ ନୌସେନା ଏବଂ ବୈଦେଶିକ ବିଭାଗ ସହ ଘଟଣାକୁ ନେଇ ସମନ୍ୱୟ ପ୍ରତିଷ୍ଠା କରାଯାଉଛି ।

ଏହି ଖବରକୁ ପଢନ୍ତୁ... ଇରାନ-ଆମେରିକା ଯୁଦ୍ଧରେ ଟାଣିହେବ ପାକିସ୍ତାନ ! ସାଉଦି ଉପରେ ଆକ୍ରମଣ ପରେ ଚିନ୍ତାରେ ଇସଲାମାବାଦ

ଚୀନ୍ ଜାହାଜକୁ ଗ୍ରୀନ୍ ସିଗନାଲ୍

ଯୁଦ୍ଧ ପାଇଁ ଭାରତ ସମେତ ଅନେକ ଦେଶର ଜାହାଜ ଷ୍ଟେଟ୍ ଅଫ୍ ହରମୋଜରେ ଅଟକି ରହିଛନ୍ତି । ସେମାନେ ଏହାକୁ ଅତିକ୍ରମ କରୁ ନାହାଁନ୍ତି । ଇରାନର କଟକଣା ପାଇଁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ବାଛି ବାଛି ଚାଇନାର ଜାହାଜକୁ ହରମୋଜ୍ ଷ୍ଟ୍ରେଟ୍ ଅତିକ୍ରମ କରିବାକୁ ଅନୁମତି ଦିଆଯାଉଥିବା ଜଣାପଡିଛି ।

ସୂତ୍ରାନୁସାରେ, ଇରାନ କହିଛି ଯେ, ସେ କେବଳ ଚୀଇନାର ଜାହାଜଙ୍କୁ ଏହି ଷ୍ଟ୍ରେଟ୍ ଅତିକ୍ରମ କରିବାକୁ ଅନୁମତି ଦେବ । କାରଣ ଯୁଦ୍ଧ ଆରମ୍ଭରୁ ଚାଇନ ଇରାନର ସମର୍ଥନ କରି ଆସୁଛି । ଇରାନର ସୁପ୍ରିମ ଲିଡର ଖାମେନିଙ୍କୁ ଆମେରିକା ଏବଂ ଇସ୍ରାଏଲ ହତ୍ୟା କରିବା ପରେ ବେଜିଂ ଏହାକୁ ପ୍ରଥମେ ନିନ୍ଦା କରିଥିଲା । ବେଜିଂ କହିଥିଲା ଯେ, ଏୟାରଷ୍ଟ୍ରାଇକ୍ ଗ୍ରହଣୀୟ ନୁହେଁ । ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଚାଇନା ସମସ୍ତ ଦେଶକୁ ଆହ୍ୱାନ କରିଥିଲା । ଋଷିଆ ମଧ୍ୟ ଚାଇନା କଥାରେ ସ୍ୱର ମିଳାଇଥିଲା ।

ସୂଚନାଯୋଗ୍ୟ, ଷ୍ଟ୍ରେଟ୍ ଅଫ୍ ହରମୋଜ୍ ଦେଇ ତୈଳ ପରିବହନ ହୋଇଥାଏ । ବୈଶ୍ୱିକ ସ୍ତରରେ ୨୦ ପ୍ରତିଶତ ତୈଳ ପରିବହନ ଏହି ସଙ୍କୀର୍ଣ୍ଣ ଷ୍ଟ୍ରେଟ୍ ଦେଇ କାରବାର କରାଯାଏ ।