ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପାଣି ଭଳି ଟଙ୍କା ଖର୍ଚ୍ଚ : ୧୦ ସେକେଣ୍ଡର ବିଜ୍ଞାପନ ପାଇଁ ଲାଗିବ ୪୦ ଲକ୍ଷ

NEWS7
married-lady-love-his-lover-in-patna-keonjhar

କଲମ୍ବୋ, ୧୫/୦୨ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ମୁକାବିଲା ରବିବାର ଅର୍ଥାତ୍ ଫେବ୍ରୁଆରୀ ୧୫ରେ କଲମ୍ବୋରେ ଖେଳାଯିବ । ଏହି ମହା-ମୁକାବିଲା ପାଇଁ ବିଜ୍ଞାପନ ଦରରେ ବଡ଼ ଧରଣର ବୃଦ୍ଧି ଘଟିଛି । କମ୍ପାନିଗୁଡ଼ିକ ଏ ସୁଯୋଗର ଲାଭ ଉଠାଇବା ପାଇଁ ହୋଇଯାଇଛନ୍ତି ତତ୍ପର ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୦ ସେକେଣ୍ଡର ଏକ ଟିଭି ସ୍ଲଟର ବିଜ୍ଞାପନ ଦର ୩୦ରୁ ୪୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ସାଧାରଣତଃ ବିଶ୍ୱ କପର ବଡ଼ ବଡ଼ ମ୍ୟାଚ୍ ବେଳେ ଏହା ୨୦ରୁ ୨୫ ଲକ୍ଷ ଟଙ୍କା ରହିଥାଏ । କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ନେଇ ଏକ ଭିନ୍ନ ପ୍ରକାର ପାଗଳାମି ଥାଏ । ଏହାକୁ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ କମ୍ପାନି । ଏହି ଟୁର୍ଣ୍ଣାମେଣ୍ଟରୁ ବ୍ରଡକାଷ୍ଟର ଜିଓଷ୍ଟାରକୁ ବିଜ୍ଞାପନ ବାବଦ ପ୍ରାୟ ୨୦୦୦ କୋଟି ଟଙ୍କା ଆୟ ହେବ ବୋଲି ଅନୁମାନ ରହିଛି ।

ବରିଷ୍ଠ କ୍ରୀଡା ବିଶ୍ଳେଷକ ତଥା କମେଣ୍ଟେଟର ନୀରଜ ଝା କହିଛନ୍ତି ଯେ, ଅନ୍ତିମ ମିନିଟ୍ ଇନଭେଣ୍ଟ୍ରିର ଦର ଅନ୍ୟୁନ ୨୦ରୁ ୨୫% ବଢ଼ିଯାଇଛି । ଏହି ମ୍ୟାଚ୍ ପାଇଁ ପ୍ରତି ସେକେଣ୍ଡ୍ ଆଡ୍ ସ୍ଲଟର ବ୍ୟବହାର ହେବ । ଡିଜିଟାଲ (ଜିଓ ହଟଷ୍ଟାର)ରେ ୧୦ ସେକେଣ୍ଡର ବିଜ୍ଞାପନ ଦର ୧୫ରୁ ୨୦ ଲକ୍ଷ ଟଙ୍କାରେ ପହଞ୍ଚିଯାଇଛି । ଗ୍ଲୋବାଲ ମାର୍କେଟିଂ ସଂସ୍ଥା କୋମର୍ଜର ନିର୍ଦ୍ଦେଶକ କୁଶଳ ସାଂଘଭୀ କହିଛନ୍ତି, କମ୍ପାନିଗୁଡ଼ିକ ଯେକୌଣସି ପରିସ୍ଥିତିରେ ଆଡ୍ ସ୍ପେସ୍ ଚାହାନ୍ତି ଏବଂ ଏଥିପାଇଁ ଯେତେଇଚ୍ଛା ଟଙ୍କା ଖର୍ଚ୍ଚ କରିବାକୁ ରାଜି । ଏହି ମ୍ୟାଚର ଭ୍ୟୁୟରସିପ୍ ଅଧିକ ରହିବ ଏବଂ କମ୍ପାନିଗୁଡ଼ିକ ସୁଯୋଗକୁ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ । ଅଟୋ, ଏଫଏମସିଜି, ବିତ୍ତୀୟ ସେବା ଏବଂ ରିୟଲ ଇଷ୍ଟେଟ କମ୍ପାନିଗୁଡ଼ିକର ଏଥିରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି ।

ସେ ଆହୁରି କହିଛନ୍ତି ଯେ, ଶିଳ୍ପ ଭାରତ-ପାକିସ୍ତାନ ମ୍ୟାଚର ତୁଳନା ସୁନା ଏବଂ ରୁପା ଦର ସହ କରୁଛନ୍ତି । ଜିଓଷ୍ଟାର ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ବିଜ୍ଞପନଦାତାଙ୍କ ବିବରଣୀ ପ୍ରଦାନ କରିନାହିଁ କିନ୍ତୁ କହିଛି ଯେ, ଏମିରେଟସ, ଓପନ୍ ଏଆଇ, ବିର୍ଲା ଓପସ୍, ର୍ୟାପିଡୋ, ଅମୁଲ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଅଟୋ, ହ୍ୟୁଣ୍ଡାଇ, ବ୍ରିଟାନିଆ ଏବଂ ଜେନେରାଲ ଇନସ୍ୟୁରାନ୍ସ କାଉନସିଲ୍ ସମେତ କେତେକ କମ୍ପାନି ବିଶ୍ୱ କପରେ ବିଜ୍ଞାପନଦାତା ରହିଛନ୍ତି ।

ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ଭାରତରୁ ବଡ଼ ସଂଖ୍ୟାରେ ଫ୍ୟାନ୍ ଶ୍ରୀଲଙ୍କା ଯାଉଛନ୍ତି । ଏହାଫଳରେ କଲମ୍ବୋ ପାଇଁ ବିମାନ ଟିକଟ ବହୁ ମାତ୍ରାରେ ମହଙ୍ଗା ହୋଇଯାଇଛି । ଏହାସହିତ ସହରରେ ହୋଟେଲ ଭଡ଼ା ବି ଆକାଶ ଛୁଇଁଛି । ଇଜ୍ ମାଇଁଟ୍ରିପର ସିଇଓ ତଥା ସହ-ପ୍ରତିଷ୍ଠାତା ରିକାନ୍ତ ପିଟ୍ଟି କହିଛନ୍ତି ଯେ, ଭାରତର ପ୍ରମୁଖ ସହରଗୁଡ଼ିକରୁ କଲମ୍ବୋକୁ ବିମାନ ଭଡ଼ା ୪୫ରୁ୫୦% ପର୍ଯ୍ୟନ୍ତ ବଢ଼ିଯାଇଛି । ମେକ୍ ମାଇଁ ଟ୍ରିପର କହିବାନୁସାରେ, କଲମ୍ବୋ ପାଇଁ ବୁକିଂ ସାଧାରଣ ଦିନଗୁଡ଼ିକ ତୁଳନାରେ ଦୁଇ ଗୁଣା ବଢ଼ିଯାଇଛି । କ୍ଲିୟର ଟ୍ରିପର ଚିଫ୍ ଗ୍ରୋଥ୍ ଏବଂ ବିଜନେସ ଅଫିସର ମଞ୍ଜରୀ ସିଂଘଲ କହିଛନ୍ତି ଯେ, ଭାରତ-ପାକିସ୍ତାନ ମ୍ୟାଚର ପାଖାପାଖି କଲମ୍ବୋ ପାଇଁ ବୁକିଂରେ ପ୍ରାୟ ୬୫% ବୃଦ୍ଧି ଘଟିଛି । କଲମ୍ବୋରେ ହୋଟେଲ ସର୍ଚ୍ଚ ଏବଂ ବୁକିଂ ବଢ଼ିଯାଇଛି । ଭେନ୍ୟୁର ପାଖାପାଖି ଥିବା ୪ ତାରକା ଏବଂ ୫ ତାରକା ହୋଟେଲ ପ୍ରତି ଆଗ୍ରହ ଅଧିକ ରହିଛି ।