ଅପରେସନ୍ ଆଘାତ: ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ

NEWS7
man-returned-to-assam-from-niali

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପୋଲିସର ଜୋରଦାର ପ୍ରସ୍ତୁତି । ନୂଆବର୍ଷ ପୂର୍ବରୁ ପୋଲିସ ଧରପଗଡ଼ ଆରମ୍ଭ କରିଛି । ଅପରେସନ୍ ଆଘାତ ୩.୦ ଅଧୀନରେ ପୋଲିସ ଅବୈଧ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ BNS ଅଧୀନରେ ୫୦୪ ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ ବିଭିନ୍ନ ଅଞ୍ଚଳରେ ଚଢାଉ ଏବଂ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଛି।

ଦିଲ୍ଲୀ ପୋଲିସ ୨୮୫ ଜଣ ଅଭିଯୁକ୍ତଙ୍କୁ ଅବକାରୀ ଆଇନ, NDPS ଆଇନ ଅନୁଯାୟୀ ଗିରଫ କରିଛି । ଅନ୍ୟମାନଙ୍କୁ ଅପରାଧିକ ମାମଲା ଏବଂ ନୂଆବର୍ଷ ଉତ୍ସବ ସମୟରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗିରଫ କରାଯାଇଛି । ପୋଲିସ କହିଛି ଯେ, ଅଭ୍ୟାସଗତ ଅପରାଧୀଙ୍କୁ ଟାର୍ଗେଟ କରି ୧୧୬ ଜଣଙ୍କୁ ଅଟକ ରଖାଯାଇଛି ।

ଏହି ଅଭିଯାନରେ ପୋଲିସ ୨୧ଟି ଦେଶୀ ପିସ୍ତଲ, ୨୦ଟି ଅଫୁଟା ଗୁଳି ଏବଂ ୨୭ଟି ଛୁରୀ ଉଦ୍ଧାର କରିଛି । ନୂଆବର୍ଷ ପୂର୍ବରୁ ଚୋରା ମଦ ଏବଂ ନିଶାଦ୍ରବ୍ୟ ମଧ୍ୟ ପୋଲିସ ଜବତ କରିଛି। ଚୋରି କିମ୍ବା ହଜିଯାଇଥିବା ୩୧୦ଟି ମୋବାଇଲ୍ ଫୋନ୍ ଖୋଜି ପାଇଛି ପୋଲିସ । ଯାନବାହାନ ଚୋରି ଗ୍ୟାଙ୍ଗ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି । ୨୩୧ଟି ଦୁଇ ଚକିଆ ଏବଂ ଗୋଟିଏ କାର ଉଦ୍ଧାର କରାଯାଇଛି ।

ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ନୂଆବର୍ଷ ସମୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ସାର୍ବଜନୀନ ଶୃଙ୍ଖଳାକୁ ସୁରକ୍ଷା ଦେବା ପାଇଁ ଅପରେସନ୍ ଆଘାତ 3.0 ଆରମ୍ଭ କରାଯାଇଛି ।