ସୁଦାନରୁ ଆଦର୍ଶଙ୍କ ଫେରିବାକୁ ନେଇ ଖୁସିବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ

NEWS7
man-kills-friend-flushes-chopped-body-down-the-toilet-in-mumbai

ଭୁବନେଶ୍ବର ୧୭।୧୨: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରାଯାଇଛି । କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ସେ ଭାରତ ଫେରିଛନ୍ତି । ବୁଧବାର ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରାଯାଇଛି । ଓଡ଼ିଶା ସରକାର ତାଙ୍କ ପରିବାର ସହ ଯୋଗାଯୋଗରେ ରହି ଆଦର୍ଶଙ୍କୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି ।

ଆଦର୍ଶ ସୁଦାନର ଉତ୍ତର ଡରଫର୍ ରାଜ୍ୟର ଏଲ୍ ଫାସର୍ ସହରରେ ନିଖୋଜ ଥିଲେ । ଭାରତ ସରକାର ତାଙ୍କୁ କିଛି ଆନ୍ତର୍ଜାତିକ ମଧ୍ୟସ୍ଥିଙ୍କ ସହଯୋଗରେ ଉଦ୍ଧାର କରିଛନ୍ତି । ଆଦର୍ଶଙ୍କ ଫେରିବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଦର୍ଶ ନିଖୋଜ ଖବର ପାଇ ଗଭୀର ଚିନ୍ତା ପ୍ରକଟ କରିବା ସହ ତାଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ ।

ଏହାସହ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ମଧ୍ୟ ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖି ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜଖବର ନେବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗ୍ରାମର ଆଦର୍ଶ କୁମାର ବେହେରା ୨୦୨୨ ମସିହାରୁ ସୁଦାନରେ କାମ କରୁଥିଲେ । ପରେ, ତାଙ୍କ ପରିବାରବର୍ଗ ପାଖକୁ ଖବର ଆସିଥିଲା ଯେ, ଆଦର୍ଶ ବର୍ତ୍ତମାନ ନିଖୋଜ ଅଛନ୍ତି ଏବଂ ତାଙ୍କର କୌଣସି ଖୋଜଖବର ମିଳୁନାହିଁ ।