ଛୋଟିଆ ଚାକିରି ଦରମା କମ୍ ତଥାପି ନାହିଁ ଲୋଭ, ଏତେ ଗୁଡାଏ ସୁନା ଗହଣା ପାଇ ଫେରାଇଦେଇଥିବା ଏହି ମହିଳାଙ୍କୁ ସଲାମ୍...

NEWS7
man-complained-against-her-father-for-violet-lockdown-newdelhi

ନୂଆଦିଲ୍ଲୀ ୧୩/୦୧: ଆଜିର ସମୟରେ ସୁନାର ଅମୂଲ ମୂଲ । ସୁନାରେ ହାତ ମାରି ହେଉନି । ଯଦି ରାସ୍ତାରେ ସୁନାର ମୁଦି କି ଅନ୍ୟ କିଛି ଅଳଙ୍କାର ମିଳେ ତାହାଲେ କେହି ଛାଡିବେନି । ଘରକୁ ନେଇଯିବେ । ପୋଲିସକୁ ଦେବା ପରିବର୍ତ୍ତେ ନିଜ ଘରେ ସାଇତି ରଖିବାକୁ ପସନ୍ଦ କରିବେ । କିନ୍ତୁ ଚେନ୍ନାଇର ଜଣେ ସଫେଇ କର୍ମଚାରୀ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେ ପାଇଥିବା୪୫ଲକ୍ଷ ଟଙ୍କାର ସୁନା ଗହଣାକୁ ଫେରାଇ ଦେଇଛନ୍ତି ।

ଚେନ୍ନାଇର ତ୍ରିପ୍ରିକେନରେ ରୁହନ୍ତି୪୫ବର୍ଷୀୟା ଏସ୍ ପଦ୍ମା । ପେଶାରେ ସେ ଜଣେ ସଫେଇ କର୍ମଚାରୀ । ସହବଜାରରାସ୍ତାକୁ ସଫା କରିବା ତାଙ୍କର କାମ । ସବୁ ଦିନ ଭଳି ରବିବାର ମଧ୍ୟ ସେ ସକାଳୁ ସକାଳୁ ନିଜ କାମରେ ବାହାରିଯାଇଥିଲେ । ହେଲେ ପାଇଥିଲେ ଏକ ବ୍ୟାଗ । ବ୍ୟାଗ ଭିତରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଯାହାକୁ ସେ ନିଜ ପାଖରେ ନରଖି ପୋଲିସକୁ ଦେଇଥିଲେ । ଏ ସମସ୍ତ ଘଟଣା ବାବଦରେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସୂଚନା ଦେଇଛନ୍ତି ଶ୍ରୀକାନ୍ତ ନାମକ ଜଣେ ୟୁଜର ।

ଶ୍ରୀକାନ୍ତଙ୍କ କହିବା କଥା ହେଲା, ସ୍ଥାନୀୟ ଜଣେ ଗହଣା ବେପାରୀ ଟି.ନଗରରେ ନିଜ ସାଙ୍ଗ ମାନଙ୍କ ସହ କଥା ହେଉଥିଲେ । କଥାବାର୍ତ୍ତାରେ ସେ ଏତେ ମସଗୁଲ ଥିଲେ ଯେ ଗହଣା ଭର୍ତ୍ତି ବ୍ୟାଗକୁପାଖରେ ଥିବାଠେଲାଗାଡିରେ ଥୋଇ ଦେଇଥିଲେ ।ଏହାପରେ ସେଠାରୁ ଚାଲିଯାଇଥିଲେ । କିଛି ସମୟ ପରେ ପଦ୍ମାଙ୍କ ନଜର ବ୍ୟାଗ୍ ଉପରେ ପଡିଥିଲା । ବ୍ୟାଗ୍ ଖୋଲିବା ପରେ ତାହା ମଧ୍ୟରେ ଅନେକ ପ୍ରକାରର ସୁନା ଗହଣା ଥିବା ସେ ଦେଖିଥିଲେ । ସିଧା ବ୍ୟାଗ୍ ନେଇ ପଣ୍ଡି ବଜାର ସ୍ଥିତ ଥାନାରେ ପହଁଚିଥିଲେ । ସେ ପୋଲିସକୁ ସମସ୍ତ କଥା କହି ବ୍ୟାଗ୍ ଦେଇଥିଲେ ।

​​​​​​​

ପୋଲିସ ବ୍ୟାଗ୍ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ଯାହା ଏକ ବ୍ୟବସାୟୀଙ୍କର ବୋଲି ଜଣାପଡିଥିଲା । ତେବେ ସମସ୍ତ ଗହଣାର ଦାମ୍ ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଜାଣିବାକୁ ପାଇଥିଲେ । ଏହାସହ ପଦ୍ମାଙ୍କ ସଚ୍ଚୋଟତାକୁ ପ୍ରଶଂସା ମଧ୍ୟ କରିଥିଲେ। ପରେ ଗହଣା ଦୋକାନୀଙ୍କୁ ଡକାଯାଇ ବ୍ୟାଗ୍ ଫେରସ୍ତ କରାଯାଇଥିଲା ।

ପଦ୍ମାଙ୍କ କାହାଣୀ ସାମ୍ନାକୁ ଆସିବା ପରେ ସମସ୍ତେ ପ୍ରଶଂସା କରୁଛନ୍ତି । ନେଟିଜେନ୍ସ ସଫେଇ କର୍ମଚାରୀଙ୍କ ସାଧୁବାଦ ପାଇଁ ଧନ୍ୟବାଦ ଦେବା ସହ ଆଜି ବି ମଣିଷପଣିଆ ବଞ୍ଚିଥିବା କହୁଛନ୍ତି ।