JNUର ନବମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ, କହିଲେ- ଅସମାନତା ଦୂର ଓ ବଞ୍ଚିତଙ୍କ ସ୍ୱର ହେବାକୁ ଶିକ୍ଷା ଏକ ମାଧ୍ୟମ

NEWS7
mamata-banerjee-oath-take-as-a-chief-minister

ନୂଆଦିଲ୍ଲୀ ୧୩।୦୧ : ଶିକ୍ଷା କେବଳ ଡିଗ୍ରୀରେ ସୀମିତ ନୁହେଁ, ବରଂ ଏହା ସମାଜର ଅସମାନତା ଦୂର କରିବା ଓ ବଞ୍ଚିତ ଶ୍ରେଣୀର ସ୍ୱର ହେବାର ଏକ ମାଧ୍ୟମ। ଗଣତନ୍ତ୍ରକୁ ସୁଦୃଢ଼ କରିବାଠାରୁ ଆରମ୍ଭ କରି ନୂତନ ଅର୍ଥନୀତିର ମୂଳଦୁଆ ପକାଇବା ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ନେବାକୁ ପଡ଼ିବ। ଜେଏନ୍ୟୁର ଛାତ୍ରଛାତ୍ରୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋମବାର ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରୀ ଜେଏନ୍ୟୁର ଏକାଡେମିକ ଉତ୍କର୍ଷତା ଏବଂ ଦେଶ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, "କ୍ରିଟିକାଲ୍ ଥିଙ୍କିଙ୍ଗ୍' ବା ସମାଲୋଚନାତ୍ମକ ଚିନ୍ତାଧାରା ହେଉଛି ଜେଏନ୍ୟୁର ଆତ୍ମା । ଏହି ବିଶ୍ୱବିଦ୍ୟାଳୟ ବର୍ଷ ବର୍ଷ ଧରି ଏକ ସଶକ୍ତ ଏକାଡେମିକ ସ୍ୱାୟତ୍ତତା ଏବଂ ଏକାଡେମିକ ଡିସିପ୍ଲିନାରି ଶିକ୍ଷାଦାନର ପରମ୍ପରା ବଜାୟ ରଖିଛି । ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ୱୋଧନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଜେଏନ୍ୟୁର ଡିଗ୍ରୀ କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଏହା ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ । ଆପଣମାନଙ୍କ ମଧ୍ୟରୁ କିଛି ସଂସଦ ଏବଂ ବିଧାନସଭାରେ ପହଞ୍ଚି ଗଣତନ୍ତ୍ରକୁ ସୁଦୃଢ଼ କରନ୍ତୁ । କିଛି କର୍ତ୍ତବ୍ୟ ଭବନରେ ରାଷ୍ଟ୍ର ସେବାର ଦାୟିତ୍ୱ ନିର୍ବାହ କରନ୍ତୁ । କିଛି ରଣନୈତିକ ବିଶେଷଜ୍ଞ ଓ ରାଷ୍ଟ୍ରଦୂତ ଭାବେ ଭାରତର ବୈଶ୍ୱିକ ଭୂମିକାକୁ ମଜଭୁତ କରନ୍ତୁ । କିଛି ଛାତ୍ରଛାତ୍ରୀ ନବସୃଜନ ଓ ଉଦ୍ୟମିତା ମାଧ୍ୟମରେ ‘ଷ୍ଟାର୍ଟ-ଅପ୍' ଏବଂ ‘ୟୁନିକର୍ଣ୍ଣ'ର ଭିତ୍ତିପ୍ରସ୍ତର ସ୍ଥାପନ କରନ୍ତୁ । କିଛି ଲେଖକ, ସାମ୍ୱାଦିକ ତଥା ସମାଜର ବୌଦ୍ଧିକ ପ୍ରଦର୍ଶକ ସାଜି ରାଷ୍ଟ୍ରର ବୈଚାରିକ ବିତର୍କକୁ ଦିଶା ପ୍ରଦାନ କରନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ବିକଶିତ ଭାରତ-୨୦୪୭'ର ସଂକଳ୍ପକୁ ସାକାର କରିବାରେ ଜେଏନ୍ୟୁର ଛାତ୍ରଛାତ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶିକ୍ଷା ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି । ବିଶ୍ୱବିଦ୍ୟାଳୟର ସମୃଦ୍ଧ ଐତିହ୍ୟ ବିଷୟରେ କହିବାକୁ ଯାଇ ଶିକ୍ଷା ମନ୍ତ୍ରୀ ପୂର୍ବତନ ଛାତ୍ର ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଯଥା ନିର୍ମଳା ସୀତାରମଣ, ଡ. ଏସ୍ ଜୟଶଙ୍କର, ସ୍ୱର୍ଗତ ଡି ପି ତ୍ରିପାଠୀ, ସୀତାରାମ ୟେଚୁରୀ, ପ୍ରକାଶ କରାତ୍ ଏବଂ ଜନ୍ ବ୍ରିଟାସଙ୍କ ଉଦାହରଣ ଦେଇଥିଲେ । ଶେଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଜେଏନ୍ୟୁର ସେହି ସଂସ୍କୃତିକୁ ପ୍ରଶଂସା କରିଥିଲେ, ଯେଉଁଠାରେ ବିଚାରର ଆଦାନପ୍ରଦାନ ହୁଏ ଏବଂ ପରବର୍ତ୍ତୀ ସମୟରେ ଜାତୀୟ ନୀତି ନିର୍ଦ୍ଧାରଣରେ ସହାୟକ ହୋଇଥାଏ ।