ହାରିବା ପରେ ପାକ୍ ଡ୍ରେସିଂ ରୁମ୍‌ରେ ସାଙ୍ଘାତିକ ସ୍ଥିତି : କୋଚ୍ ମାଇକ୍ କହିଦେଲେ ଭିତିରି କଥା

NEWS7
mahant-anand-giri-fasebook-page-hack

ନୂଆଦିଲ୍ଲୀ, ୧୬/୦୨ : ଭାଙ୍ଗିଛି ମୁହଁ ଫୁଟାଣି । ଚୁରମାର ହୋଇଛି ଗର୍ବ । ଟିମ୍ ଇଣ୍ଡିଆ ବିପକ୍ଷରେ ଶୋଚନୀୟ ଭାବେ ହାରିଛି ପାକିସ୍ତାନ । ଟି୨୦ ବିଶ୍ୱକପ୍ ଲିଗ୍ ମୁକାବିଲାରେ ଭାରତଠୁ ୬୧ ରନରେ ମାତ୍ ଖାଇଛି ପାକ୍ । ଯାହାକୁ ନେଇ ଖପ୍ପା ଫ୍ୟାନ୍ସ । ଖାଲି ଫ୍ୟାନ୍ସ ନୁହେଁ ଦଳର ପୂର୍ବତନ ଖେଳାଳି ମଧ୍ୟ ପରାଜୟକୁ ନେଇ ବର୍ଷିଛନ୍ତି । ଟି୨୦ ବିଶ୍ୱକପର ଏହି ବହୁ ପ୍ରତିକ୍ଷୀତ ମୁକାବିଲା ଏକପାଖିଆ ହୋଇଯାଇଥିଲା । ପାକିସ୍ତାନୀ ବ୍ୟାଟର ଭାରତ ଆଗରେ ଆତ୍ମସମର୍ପଣ କରିଦେଇଥିଲେ । ଯାହାକୁ ସ୍ୱୀକାର କରିଛନ୍ତି କୋଚ୍ ମାଇକ୍ ହାସନ୍ ।

ଦଳର ଶୋଚନୀୟ ପରାଜୟକୁ ନେଇ ମାଇକ୍ କହିଛନ୍ତି ଯେ, ଡ୍ରେସିଂ ରୁମରେ ଏବେ ପରିସ୍ଥିତି ଭଲ ନାହିଁ । ପରାଜୟ ପାକ୍ ଖେଳାଳିଙ୍କୁ ନିରାଶ କରିଛି । ଏହି ବିଜୟ ଦଳ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ସଦାବେଳେ ବଡ ହୋଇଥାଏ । ମ୍ୟାଚ୍ ପୂର୍ବରୁ ସେମାନେ ଲଗାତାର ୫ଟି ମ୍ୟାଚ୍ ଜିତିଛନ୍ତି । ଯାହା ତାଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଥିଲା । କିନ୍ତୁ ରବିବାର ସେମାନଙ୍କୁ ଭାଗ୍ୟ ସାଥ୍ ଦେଇନଥିଲା ।

ଏହି ଖବରଟି ପଢନ୍ତୁ... ବିଜୟ ପରେ ପାକିସ୍ତାନକୁ ଶକ୍ତ ଚାପୁଡ଼ା, କିଛି ଏମିତି ଅନ୍ଦାଜରେ ହେଲା ହ୍ୟାଣ୍ଡ୍‌ସେକ୍...

ସେ ଆହୁରି କହିଛନ୍ତି ଯେ, ଆରମ୍ଭରୁ ବଲ୍ ଭଲ ସ୍ପିନ୍ କରୁଥିଲା । ପରେ ଏହା ସେତେ ଘୂରି ନଥିଲା । କିନ୍ତୁ ଇଶାନ କିଷାନ ଯେପରି ବ୍ୟାଟିଂ କଲେ ତାହା ପ୍ରଶଂସାଯୋଗ୍ୟ । ଇଶାନ ନିଜ ବ୍ୟାଟରେ ପାକିସ୍ତାନ ହାତରୁ ବିଜୟ ଛଡାଇ ନେଇଥିଲେ । ଦଳ ପରାଜୟକୁ ଭୁଲି ଆଗକୁ ବଢିବା ଉଚିତ । ଆଗାମୀ ଦିନରେ ଆହୁରି ମ୍ୟାଚ୍ ଅଛି । ପୂର୍ବରୁ ସେମାନେ ଟୁର୍ଣ୍ଣାମେଣ୍ଟରେ ଭଲ ଖେଳିଛନ୍ତି । ଆଗାମୀ ଦିନରେ ଟୁର୍ଣ୍ଣାମେଣ୍ଟରେ ସେମାନେ ଭଲ ଖେଳିବା ଜାରି ରଖିବେ ବୋଲି କୋଚ୍ ଆଶାବାଦୀ ଅଛନ୍ତି ।

ସୂଚନାଯୋଗ୍ୟ, ସୁପର ସଣ୍ଡେରେ ଭାରତ-ପାକ୍ ମଧ୍ୟରେ ସୁପର୍ ଫାଇଟ୍ ହୋଇଥିଲା । ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଦେଇଥିଲା । ଜବାବରେ ଭାରତ ସଅଳ ଅଭିଷେକ ଶର୍ମାଙ୍କ ଓ୍ୱିକେଟ୍ ହରାଇଥିଲା । ଏହାପରେ କିନ୍ତୁ ଇଶାନ କିଷାନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଭାରତ ପାକିସ୍ତାନ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଜବାବରେ ପାକ୍ ମାତ୍ର ୧୧୪ ରନରେ ଅଲଆଉଟ୍ ହୋଇ ପରାସ୍ତ ହୋଇଥିଲା ।